ମାଲକାନଗିରି : ବଦଳି ହେଲା ପରେ ବି ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ୱାଇ. ବିଜୟଙ୍କ ପିଛା ଛାଡ଼ିନି ବିବାଦ। ଦାମୀ ଏମ୍ଜି ହେକ୍ଟର ଗାଡ଼ି ବ୍ୟବହାରକୁ ନେଇ ଆଜି ପୁଣି ତତ୍କାଳୀନ ଜିଲ୍ଲାପାଳଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ମାଲକାନଗିରି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ସାର୍ବଜନୀନ କରିଛନ୍ତି। ତତ୍କାଳୀନ ଜିଲ୍ଲାପାଳ ମିଛ କହି ଭୁଆଁ ବୁଲାଇବାକୁ ଚେଷ୍ଟା କରିଛନ୍ତି ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।
ଅନିୟମିତତା କରି ଜଣେ ବ୍ୟକ୍ତିଙ୍କୁ ୭ଟି ଖଣି ଦିଆଯିବାରୁ ୱାଇ. ବିଜୟଙ୍କୁ କୋଟିଏ ଟଙ୍କା ଲାଞ୍ଚ ମିଳିଥିଲା। ସେହିପରି ବ୍ୟବହାର କରିବାକୁ ଦାମୀ ଏମ୍ଜି ହେକ୍ଟର ଗାଡ଼ି ବି ପାଇଥିଲେ ବୋଲି ଜୁନ୍ ୨୨ତାରିଖରେ ଶ୍ରୀ ମାଝୀ ଅଭିଯୋଗ କରିଥିଲେ। ସେହିଦିନ ସଂଧ୍ୟାରେ ହିଁ ତତ୍କାଳୀନ ଜିଲ୍ଲାପାଳ ଭର୍ଚୁଆଲ ମୋଡରେ ନିଜ ପକ୍ଷ ରଖିଥିଲେ। ଗାଡ଼ି ଖରାପ ହେବାରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ତାଙ୍କୁ ସେହି ଗାଡ଼ି ବ୍ୟବହାର କରିବାକୁ ଦିଆଯାଇଥିଲା। ତେଣୁ ଅଭିଯୋଗକୁ ଭିତ୍ତିହୀନ ବୋଲି ୱାଇ.ବିଜୟ ସଫେଇ ଦେଇଥିଲେ। କିନ୍ତୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥାରୁ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ସଂପୂର୍ଣ୍ଣ ଭିନ୍ନ ବୋଲି ଶ୍ରୀ ମାଝୀ ଆଜି ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏମ୍ଜି ହେକ୍ଟର ଗାଡି ଭଡାରେ ଲାଗିନାହିଁ କିମ୍ବା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ତରଫରୁ ତତ୍କାଳୀନ ଜିଲ୍ଲାପାଳଙ୍କୁ ଏଭଳି କୌଣସି ଗାଡ଼ି ବ୍ୟବହାର ନିମନ୍ତେ ଦିଆଯାଇନାହିଁ ବୋଲି କହିଛନ୍ତି। ଜିଲ୍ଲାପାଳ ମନରେଗା ଡିପିସି ଭାବେ ରହିଥିବାରୁ ସେ ଭଡ଼ାସୂତ୍ରରେ ୩୭ ହଜାର ଟଙ୍କା ମଧ୍ୟ ଡିଆରଡିଏରୁ ଗାଡ଼ି ମାଲିକଙ୍କୁ ଟଙ୍କା ପଠାଇଥିବା ଅଭିଯୋଗ କରିଛନ୍ତି।
ଏଥିସହ ଶ୍ରୀ ମାଝୀ ତତ୍କାଳୀନ ଜିଲ୍ଲାପାଳଙ୍କୁ ଉପହାର ଭାବେ ମିଳିଥିବା ଏମ୍ଜି ହେକ୍ଟର ଗାଡିକୁ କେବେ ଜବତ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ।