ସମନ୍ବୟ ଭିତ୍ତିକ ପ୍ରକଳ୍ପ କାର୍ଯ୍ୟାନ୍ବୟନରେ ଓଡ଼ିଶା ଆଗୁଆ
ଏକାଧିକ ବିସ୍ତୃତ ପ୍ରକଳ୍ପ ଆଗୁଆ ପ୍ରସ୍ତୁତ କରିବାକୁ ବିଭାଗଗୁଡ଼ିକୁ ନିର୍ଦ୍ଦେଶ

Advertisment

ଭୁବନେଶ୍ବର : ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଗୁରୁତ୍ବପୂର୍ଣ୍ଣ ମାନକଗୁଡ଼ିକରେ ଓଡ଼ିଶା ଜାତୀୟ ହାର ତୁଳନାରେ ଆଗରେ ରହିଛି। ସମୟ ଅନୁସାରେ ମଜୁରୀ ‌ପୈଠ, ହିତାଧିକାରୀ ଭିତ୍ତିକ ପ୍ରକଳ୍ପ, ନିଯୁକ୍ତି ସୁଷ୍ଟି, ଇ-ଦେୟ ପୈଠ ଆଦି ମାନକରେ ଓଡ଼ିଶାର ପ୍ରଦର୍ଶନ ବେଶ୍‌ ଉତ୍ସାହଜନକ। ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ମନରେଗା ପରିଚାଳନା ପରିଷଦ ବୈଠକର ଆଲୋଚନାରୁ ଏହି ସୂଚନା ମିଳିଛି।।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ଯୋଜନା ସମ୍ବନ୍ଧିତ ପ୍ରଶାସନିକ, ଆର୍ଥିକ ଓ ସାଂଗଠନିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ପ୍ରକଳ୍ପଗୁଡ଼ିକର ସଦ୍ୟ ତଥ୍ୟ ଉପସ୍ଥାପନ କରି ରାଜ୍ୟ ମନରେଗା ମିସନ୍ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ୍‌ କହିଥିଲେ ଯେ ୨୦୧୮-୧୯ ବର୍ଷ ପର୍ଯ୍ୟନ୍ତ ଆରମ୍ଭ କରାଯାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୯୧% ପୂର୍ଣ୍ଣାଙ୍ଗ ହୋଇଛି, ଯାହା କି ଜାତୀୟ ହାର ଠାରୁ ୨% ଅଧିକ। ସେହିପରି ମନରେଗା ପ୍ରଥମ ପର୍ଯ୍ୟାୟରେ ସୃଷ୍ଟି କରାଯାଇଥିବା ସାଧାରଣ ସମ୍ପତ୍ତି ମଧ୍ୟରୁ ୯୫% ଓ ଦ୍ବିତୀୟ ପର୍ଯ୍ୟାୟ ସାଧାରଣ ସମ୍ପତ୍ତି ମଧ୍ୟରୁ ୮୪% ଜିଓ ଟ୍ୟାଗିଂ କରାଯାଇଛି। ଜାତୀୟ ସ୍ତରରେ ଏହି ହାର ଯଥାକ୍ରମେ ୯୧% ଓ ୭୯%। ସମୟାନୁସାରେ ମଜୁରୀ ପୈଠ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଆଗୁଆ ରହିଛି। ରାଜ୍ୟରେ ପ୍ରାୟ ୯୯.୪% ଲୋକଙ୍କୁ କାର୍ଯ୍ୟ ଦିବସର ନିର୍ଦ୍ଧାରିତ ସମୟ ମଧ୍ୟରେ ମଜୁରୀ ଦିଆଯାଇଥିବା ବେଳେ ଜାତୀୟ ସ୍ତରରେ ଏହି ହାର ୯୬.୫% ଅଛି। ହିତାଧିକାରୀ ଭିତ୍ତିିକ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହାର ଓଡ଼ିଶାରେ ୮୬%କୁ ବୃଦ୍ଧି ପାଇଥିବା ବେଳେ ଜାତୀୟ ସ୍ତରରେ ଏହା ୬୮% ଅଛି। ରାଜ୍ୟରେ ମନରେଗାରେ କାମ କରୁଥିବା ୮୯% ଜବ୍ କାର୍ଡଧାରୀ ଶ୍ରମିକଙ୍କ ଆଧାର ସଂଯୋଗୀକରଣ କରାଯାଇଛି। ଜାତୀୟ ସ୍ତରରେ ଏହି ହାର ୭୪% ଅଛି। ଚଳିତ ଆର୍ଥିକ ବର୍ଷ ପାଇଁ ଅନୁମୋଦିତ ଶ୍ରମ ଆକଳନର ୮୫% କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଥିଲା ବେଳେ ସର୍ବଭାରତୀୟ ସ୍ତରରେ ଏହି ହାର ୭୯.୬%ରେ ପହଞ୍ଚିଛି। ଚଳିତ ଆର୍ଥିକ ବର୍ଷ ଜାନୁଆରି ସୁଦ୍ଧା ସମଗ୍ର ରାଜ୍ୟରେ ୮୪୪.୯୨ ଲକ୍ଷ କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଛି, ଯାହା କି ଗତ ବର୍ଷ ଠାରୁ ୧୪.୬୭ ଲକ୍ଷ ଅଧିକ।

ସଂଯୋଜନା ଓ ସମନ୍ବୟ ଭିତ୍ତିରେ ଅଧିକରୁ ଅଧିକ ଜନସାଧାରଣଙ୍କ ଆବଶ୍ୟକତା ଭିତ୍ତିକ ଏକାଭିମୁଖୀ ପ୍ରକଳ୍ପ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥି‌େଲ। ଏକାଧିକ ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବ ଆଗୁଆ ପ୍ରସ୍ତୁତ କରି ରଖିବା ପାଇଁ ସେ ବିଭାଗମାନଙ୍କୁ କହିଥି‌େଲ। କୃଷି, ଉଦ୍ୟାନ ଚାଷ, ଗ୍ରାମୀଣ ଗୃହ, ଭୂମି ଉନ୍ନୟନ, ଜୀବିକା ପନ୍ଥା ଅଭିବୃଦ୍ଧି, ଜଳ ଅମଳ, ଫାର୍ମ ପୋଖରୀ, ଡଗ୍‌ ୱେଲ୍‌, ବୃକ୍ଷରୋପଣ, ଚାରା ପ୍ରସ୍ତୁତି ଆଦି କ୍ଷେତ୍ରରେ ନରେଗା ସହ ଅଧିକ ସଂଯୋଜିତ ପ୍ରକଳ୍ପ କାର୍ଯ୍ୟକାରୀ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା।

ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଜଣାଇଥିଲେ ଯେ ସମନ୍ବୟ ଭିତ୍ତିକ ପ୍ରକଳ୍ପ କାର୍ଯ୍ୟାନ୍ବୟନରେ ମଧ୍ୟ ଓଡ଼ିଶା ଆଗୁଆ ରାଜ୍ୟମାନଙ୍କର ତାଲିକାରେ ରହିଛି। ଅଙ୍ଗନବାଡ଼ି କେନ୍ଦ୍ରରେ ସବୁଜ ପାଚେରୀ, ପୁଷ୍ଟି ବଗିଚା, ବୃକ୍ଷରୋପଣ, ଗ୍ରାମାଞ୍ଚଳରେ ସାଧାରଣ ପାର୍କ ନିର୍ମାଣ, ପଞ୍ଚାୟତ ଗ୍ରନ୍ଥାଗାର ପ୍ରତିଷ୍ଠା, ପଞ୍ଚାୟତ ଗୃହ ନିର୍ମାଣ, ପୋଖରୀ ବିକାଶ, ଗୋ ଖାଦ୍ୟ ପାଇଁ ଘାସ ଚାଷ ଆଦି କ୍ଷେତ୍ରରେ ସମନ୍ବୟ ଭିତ୍ତିକ ପ୍ରକଳ୍ପଗୁଡ଼ିକର ସଫଳତା ଉତ୍ସାହଜନକ ହୋଇଛି। ବୈଠକରେ ଉନ୍ନୟନ କମିସନର୍ ସୁରେଶ ମହାପାତ୍ର, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀଙ୍କ ସ‌େମତ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।