ଯାଜପୁର/ସଦର/ବିଂଝାରପୁର : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ ମନରେଗା ଦୁର୍ନୀତି ଘଟଣାରେ ୩ ପଞ୍ଚାୟତର ସରପଞ୍ଚ ଓ ଦାୟିତ୍ବରେ ଥିବା ଅଧିକାରୀମାନଙ୍କ ଠାରୁ ୧୫ଲକ୍ଷ ୭୨ହଜାର ୨୭୬ ଟଙ୍କା ଆଦାୟ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ୭ଦିନ ମଧ୍ୟରେ ହରିଲୁଟ୍ ହୋଇଥିବା ସରକାରୀ ଅନୁଦାନ ଫେରସ୍ତ ପାଇଁ ନିର୍ଦ୍ଦେଶ ହୋଇଥିଲା। ତେବେ, ଆଜିପର୍ଯ୍ୟନ୍ତ ସଂପୃକ୍ତ ବ୍ୟକ୍ତିମାନେ ନି‌ର୍ଦ୍ଦେଶ ପାଳନ କରିନାହାନ୍ତି। ଏଥିନେଇ ବିଂଝାରପୁର ବିଡିଓ ମିନତି ଜଗଦେବ ତିନିଥର ତାଗିଦ୍‌ କରି ନୋଟିସ୍ ଜାରି କରିଥିବା କହିଛନ୍ତି।

Advertisment

୩ ପଞ୍ଚାୟତର ସରପଞ୍ଚ ଓ କର୍ମଚାରୀଙ୍କ ଠାରୁ ଆଦାୟ ହେବ ଅର୍ଥ
ବିଡିଓଙ୍କ ତାଗିଦ୍‌ ପରେ ବି ଅର୍ଥ ଫେରାଇ ନାହାନ୍ତି

ବିଂଝାରପୁର ବିଡ଼ିଓ ଶ୍ରୀମତୀ ଜଗଦେବ ଚିଠି ନମ୍ବର ୪୯୦୭ ତା ୨୪/୮/୨୨ରେ ୧୧ଜଣଙ୍କୁ ନୋଟିସ୍ କରିଛନ୍ତି। ସେମାନଙ୍କ ମଧ୍ୟରେ ବାଙ୍ଗରା ସରପଞ୍ଚ ଆଶାଲତା ନାୟକଙ୍କଠାରୁ ୭ଲକ୍ଷ ୧୫ହଜାର ୮୯୭ ଟଙ୍କା, କନିଷ୍ଠ ଯନ୍ତ୍ରୀ ତୁଷାର କୁମାର ପାତ୍ରଙ୍କଠାରୁ ୨ଲକ୍ଷ ୮୬ହଜାର ୩୫୯, ପିଇଓ ପ୍ରକାଶ କୁମାର ଜେନାଙ୍କ ଠାରୁ ୨ଲକ୍ଷ ୧୪ ହଜାର ୭୬୯ଟଙ୍କା, ଜିଆରଏସ ପ୍ରାର୍ଥସାରଥୀ ଥାଟୋଇଙ୍କଠାରୁ ୨ଲକ୍ଷ ୧୪ହଜାର ୭୬୯ଟଙ୍କା ଆଦାୟ କରିବାକୁ ନୋଟିସ ହୋଇଛି। ସେହିପରି ଓଳେଇଚନ୍ଦନପୁର ପଞ୍ଚାୟତର ସରପଞ୍ଚ ସୌଭାଗ୍ୟ କୁମାର ମହାପାତ୍ରଙ୍କଠାରୁ ୩୩ହଜାର ୬୮୦ଟଙ୍କା, କନିଷ୍ଠ ଯନ୍ତ୍ରୀ ଅମୂଲ୍ୟ କୁମାର ତ୍ରିପାଠୀଙ୍କଠାରୁ ୧୩ହଜାର ୪୭୨ ଟଙ୍କା , ପିଇଓ ଅନନ୍ତ କୁମାର ସେଠୀଙ୍କଠାରୁ ୧୦ହଜାର ୧୦୪ଟଙ୍କା, ଜିଆରଏସ ପାର୍ଥସାରଥୀ ‌ଥାଟୋଇଙ୍କ ଠାରୁ ୧୦ହଜାର ୧୦୪ଟଙ୍କା ଅଦାୟ ପାଇଁ ନୋଟିସ କରାଯାଇଛି। ଅନୁରୂପ ଭାବେ ଆଉଁରି ପଞ୍ଚାୟତର ସରପଞ୍ଚ ସମରେନ୍ଦ୍ର ସାହୁଙ୍କଠାରୁ ୩୬ହଜାର ୫୬୨ଟଙ୍କା, କନିଷ୍ଠ ଯନ୍ତ୍ରୀ ଅମୂଲ୍ୟ କୁମାର ତ୍ରିପାଠୀଙ୍କଠାରୁ ୧୪ହଜାର ୬୨୫ଟଙ୍କା, ପିଇଓ ଉମେଶ ଚନ୍ଦ୍ର ସେଠୀଙ୍କ ଠାରୁ ୧୦ହଜାର ୯୬୮ଟଙ୍କା, ଜିଆରଏସ ରାଜେଶ କୁମାରଙ୍କଠାରୁ ୧୦ହଜାର ୯୬୮ଟଙ୍କା ଆଦାୟ ପାଇଁ ଚିଠି ହୋଇଛି। ୭ଦିନ ମଧ୍ୟରେ ଏହି ଅର୍ଥ ଭରଣା କରିବାକୁ ଚିଠି ହୋଇଥିଲେ‌ ହେଁ କେହି ଅର୍ଥ ଜମା କରିନାହାନ୍ତି ବୋଲି ବିଡିଓ ଶ୍ରୀମତୀ ଜଗଦେବ କହିଛନ୍ତି। ଆଜି ମଧ୍ୟ ତୃତୀୟ ଥର ପାଇଁ ତାଗିଦ୍‌ ନୋଟିସ କରାଯାଇଛି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ବିନା ପ୍ରକଳ୍ପରେ ମିଥ୍ୟା ଭାଉଚର କରି ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଇଥିବା ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ବିଜେପି ଜିଲ୍ଲା ମହିଳା ସଭାନେତ୍ରୀ ବବିତା ମଲିକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇଥିଲେ। ଏହାପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ୨ଜଣିଆ ଟିମ୍ ୩ ଦିନଧରି ବିଂଝାରପୁର ବ୍ଲକ୍‌ର ୬ଟି ପଞ୍ଚାୟତ ଗସ୍ତ କରି ତଦନ୍ତ କରିଥିଲେ।