ଯାଜପୁରରେ ମନରେଗା ମହାଦୁର୍ନୀତି: ଚୋରି ହେଉଛି ପ୍ରକଳ୍ପ, ବସିରହୁଛନ୍ତି ଶ୍ରମିକ

ଯାଜପୁର/ସିଂହପୁର : ମନରେଗା ଯୋଜନାକୁ ବାଟବଣା କରି ଅସାଧୁମେଣ୍ଟ କରୋନା ସମୟରେ ‌ଭୋକିଲା ଶ୍ରମିକଙ୍କ‌ ପେଟକୁ ଲାତ ମାରିଛନ୍ତି। ତାହାର ନମୁନା ଦେଖିବାକୁ ମିଳିଛି ବିଂଝାରପୁର ବ୍ଲକ୍ ଜରୀ ପଞ୍ଚାୟତରେ। ଶ୍ରମିକଙ୍କୁ କାମ ବଦଳରେ ମଜୁରି ଦିଆଯାଇଥିବା ଦର୍ଶାଇ ଏକାଧିକ ପ୍ରକଳ୍ପ ବାବଦରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଛି। ଏପରିକି ଅନେକ ପ୍ରକଳ୍ପର ନାମଗନ୍ଧ ନାହିଁ। ପ୍ରକଳ୍ପ ନଥିବା ବେଳେ କାମ କଲା କିଏ? ମଜୁରି ଦେଲେ କାହାକୁ? ଏଭଳି ବିସ୍ଫୋରକ ତଥ୍ୟ ‘ସମ୍ବାଦ’ ହାତରେ ଲାଗିଛି। ବନୀକରଣ, ଚାଷୀ ବନ୍ଧ, ମାଟି କାମ ନାମରେ ବ୍ୟାପକ ଅର୍ଥ ହଡ଼ପ କରାଯାଇଛି। ଏହାର ପ୍ରତିବାଦରେ ୫ଦିନ ଧରି ପଞ୍ଚାୟତବାସୀ ଅନଶନ କରିବା ସହ ରାସ୍ତାରୋକ କରିଥିଲେ। ଫଳରେ ପ୍ରଶାସନ ତଦନ୍ତ ପାଇଁ ଲିଖିତ ଭାବେ ସମ୍ମତି ଜଣାଇବାକୁ ବାଧ୍ୟ ହୋଇଛି।

ପ୍ରକାଶଥାଉକି ବିଂଝାରପୁର ବ୍ଲକ୍ ଜରୀ ପଞ୍ଚାୟତରେ ଚଳିତ ବର୍ଷ ୨୦୨୧-୨୨ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍ ୩ମାସ ମଧ୍ୟରେ ୧୩୪ଟି ପ୍ରକଳ୍ପରେ ୧୨ହଜାର ୬୬୧ଶ୍ରମ ଦିବସ ସୃଷ୍ଟି କରି ୨୭ଲକ୍ଷ ୨୨ହଜାର ୧୧୫ଟଙ୍କା କେବଳ ଅଣକୁଶଳୀ ଶ୍ରମିକମାନଙ୍କ ମଜୁରି ବାବଦରେ ବ୍ୟୟ କରାଯାଇଥିବାର ଦର୍ଶାଯାଇଛି। ୬୨୬୪ଟଙ୍କା କୁଶଳୀ ଶ୍ରମିକ ଓ ୫୦ହଜାର ୪୦୮ଟଙ୍କା ସାମଗ୍ରୀ ବାବଦରେ ବ୍ୟୟ ଦର୍ଶା‌ଯାଇଛି। ସେହିପରି ଗତ ୨୦୨୦-୨୧ ବର୍ଷରେ ୨୨୬ ପ୍ରକଳ୍ପରେ ୩୫ହଜାର ୪୪୦ ଶ୍ରମଦିବସ ସୃଷ୍ଟି କରି ମଜୁରି ବାବଦକୁ ୮୪ଲକ୍ଷ ୮୪ହଜାର ୯ଟଙ୍କା ପ୍ରଦାନ କରାଯାଇଥିବାର ଦର୍ଶାଯାଇଛି। ୨୦୧୯-୨୦ ମସିହାରେ ୨୭୬ ପ୍ରକଳ୍ପରେ ୨୭ହଜାର ୮୨୮ ଶ୍ରମଦିବସ ସୃଷ୍ଟି କରାଯାଇ ମଜୁରି ବାବଦରେ ୫୨ଲକ୍ଷ ୩୧ହଜାର ୬୬୪ ଟଙ୍କା ଓ କୁଶଳୀ ଶ୍ରମିକ ମଜୁରି ବାବଦ ୮,୪୩୧ଟଙ୍କା ଓ ସାମଗ୍ରୀ ବାବଦରେ ୧୭ଲକ୍ଷ ୬୯ହଜାର ୯୬୪ଟଙ୍କା ବ୍ୟୟ ହୋଇଛି। ତେବେ ଚାଷୀବନ୍ଧ, ବନୀକରଣ, ମାଟି କାମରେ ବ୍ୟାପକ ଜାଲିଆତି କରାଯାଇଥିବାର ସଂଘାତିକ ତଥ୍ୟ ଲୋକଲୋଚନକୁ ଆସିଛି। ସେଥି ମଧ୍ୟରୁ ୨୦୨୧-୨୨ରେ ନିମରା ଗ୍ରାମ୍ୟ ରାସ୍ତା ବନୀକରଣରେ ୩୮ହଜାର ୭୦୦ ଟଙ୍କା ବ୍ୟୟ ହୋଇଥିବା ‌ବେଳେ ତାହା ସଂପୂର୍ଣ୍ଣ ମିଥ୍ୟା। ଏଠାରେ ବନୀକରଣ ହୋଇନାହିଁ।

ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ଜରୀ ସ୍ବପ୍ନେଶ୍ବର ମହାଦେବ ମନ୍ଦିର ପଡ଼ିଆ ମାଟି ଫିଲିଂ, ଜରୀ ଶିବ ମନ୍ଦିର ପଡ଼ିଆ ମାଟି ଫିଲିଂ, ଜଳସେଚନ ବନ୍ଧ ଠାରୁ ତୋଟା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ (୫୬ହଜାର ୪ଶହ ଟଙ୍କା), ଜରୀ ଜଗନ୍ନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରସର ମାଟି ଫିଲିଂ(୭୭ହଜାର ଟଙ୍କା), ଜରି ଠାରୁ ବାଙ୍ଗରା ବୃକ୍ଷରୋପଣ(୧ଲକ୍ଷ ୪୮ହଜାର ୨୨୨ଟଙ୍କା), ବିସିଜେ ହାଇସ୍କୁଲ ପଡ଼ିଆରେ ବୃକ୍ଷରୋପଣ(୪୨ହଜାର ୯୧୨ଟଙ୍କା) ପ୍ରଭୃତି ପ୍ରକଳ୍ପ କରାନଯାଇ ସଂପୂର୍ଣ୍ଣ ଅର୍ଥ ହଡ଼ପ କରାଯାଇଛି। ଏହିପରି ଗତ ୪ବର୍ଷ ମଧ୍ୟରେ ଶହଶହ ମିଥ୍ୟା ପ୍ରକଳ୍ପ ନାମରେ ଲକ୍ଷଲକ୍ଷ ଟଙ୍କା ଚଳୁ କରାଯାଇଛି ବୋଲି ମନରେଗା ଦୁର୍ନୀତି ପ୍ରତିବାଦରେ ଅନଶନ କରିଥିବା ସମିତି ସଭ୍ୟ ଭୁବନାନନ୍ଦ ସାମଲ ଦର୍ଶାଇଛନ୍ତି । ସଠିକ୍‌ ତଦନ୍ତ କରାଗଲେ ଜିଲ୍ଲାରେ କିପରି ମନରେଗା ମହାଦୁର୍ନୀତି ଚାଲିଛି ତାହା ପ୍ରମାଣିତ ହେବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର