ମନରେଗାର ‘ମୋ ପୋଖରୀ’ ବାଟବଣା: ଗୋଟିଏ ପରିବାର ହାତେଇଛନ୍ତି ୧୦

ପୋଖରୀ ଗୋଟିଏ, ଏକାଧିକ ବିଲ୍

ସୁନ୍ଦରଗଡ଼ : ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନ (ମନରେଗା) ଜରିଆରେ ଗ୍ରାମାଞ୍ଚଳର ଶ୍ରମିକଙ୍କୁ ନିଶ୍ଚିତ କର୍ମ ନିଯୁକ୍ତି ଓ ଚାଷୀଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ସରକାର ‘ମୋ ପୋଖରୀ’ ବା ‘କୃଷି ପୋଖରୀ’ ଯୋଗାଇ ଦେଉଛନ୍ତି। ଏହାମଧ୍ୟରେ ଯୋଜନାର ନାମ ‘ମୋ ପୋଖରୀ’ ରୁ ‘ଅମୃତ ସରୋବର’କୁ ପରିବର୍ତ୍ତିତ ହୋଇଛି। ଯୋଜନାର ନାମ ବଦଳିଛି, କିନ୍ତୁ ଲକ୍ଷ୍ୟ ବାଟବଣା ହୋଇଯାଇଛି। ଗୋଟିପଟେ ଜଣେ ଜଣେ ହିତାଧିକାରୀ ଏକାଧିକ ପୋଖରୀ ହାତେଇଥିବାବେଳେ ଗୋଟିଏ ଗୋଟିଏ ପୋଖରୀରେ ବି ଏକାଧିକ ବିଲ୍‌ ହୋଇଛି। ଏପରିକି, ଗୋଟିଏ ପରିବାର ୧୦ଟି ପୋଖରୀ ହାତେଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାରେ ପଞ୍ଚାୟତ, ଜଳବିଭାଜିକା ଓ ମତ୍ସ୍ୟ ବିଭାଗ ପକ୍ଷରୁ ଖୋଳାଯାଉଥିବା ପୋଖରୀରୁ ଏହିଭଳି ଅନିୟମିତତା, ଦୁର୍ନୀତି ସାମ୍‌ନାକୁ ଆସିଛି।

ନିକଟରେ ଟାଙ୍ଗରପାଲି ବ୍ଲକ୍‌ ନିଆଲିପାଲି ପଞ୍ଚାୟତର ଗୋଟିଏ ପରିବାରର ୬ ଜଣ ସଦସ୍ୟ ୧୦ଟି କୃଷି ପୋଖରୀ ହାତେଇଥିବା ଚର୍ଚ୍ଚାର ବିଷୟ ପାଲଟିଛି। ବଡ଼ କଥା ହେଲା, ଏପରି ବେଆଇନ ଭାବେ ନିଜେ ଓ ନିଜ ପରିବାର ଲୋକଙ୍କ ନାମରେ ପୋଖରୀ ହାତେଇଥିବା ବ୍ୟକ୍ତି ହେଲେ ଖୋଦ୍‌ ପଞ୍ଚାୟତର ନାଏବ ସରପଞ୍ଚ ସୁମନ୍ତ କିଷାନ। ପଞ୍ଚାୟତ ପକ୍ଷରୁ ସୁମନ୍ତ, ତାଙ୍କ ବାପା ଦୀନବନ୍ଧୁ ଓ ୨ ସମ୍ପର୍କୀୟଙ୍କ ନାମରେ ପୋଖରୀ ଯୋଗାଇ ଦିଆଯାଇଛି। ଇତିମଧ୍ୟରେ ଏସବୁ ପୋଖରୀ ନାମ‌ରେ କିଛି ବିଲ୍‌ ବି ଉଠିସାରିଛି। ତେବେ, ଆଶ୍ଚର୍ଯ୍ୟଜନକ ଭାବେ ସେହି ସମାନ ହିତାଧିକାରୀଙ୍କ ନାମରେ ସୁନ୍ଦରଗଡ଼ ଜଳ ବିଭାଜିକା ପ୍ରକଳ୍ପ ମଧ୍ୟ ୬ଟି ‘ମୋ ପୋଖରୀ’ ମଞ୍ଜୁର କରିଛନ୍ତି। ହିତାଧିକାରୀ ନାଏବ ସରପଞ୍ଚ ସୁମନ୍ତଙ୍କ ସହ ବାପା ଦୀନବନ୍ଧୁ, ସମ୍ପର୍କୀୟ ବିନତି କିଷାନ, ପୁଷ୍ପା, ସୁଧୀର ଓ ଉଷା କିଷାନ ଏହା ମଧ୍ୟରେ ୧୦ ଲକ୍ଷ ୭୦ ହଜାର ଟଙ୍କା ବିଲ୍‌ ନେଇ ସାରିଛନ୍ତି। କିନ୍ତୁ ଉଭୟ ପଞ୍ଚାୟତ ଓ ଜଳବିଭାଜିକା ପ୍ରକଳ୍ପ ଯୋଗାଇ ଦେଇଥିବା ୧୦ଟି ପୋଖରୀ ମଧ୍ୟରୁ ନାମକୁ ମାତ୍ର କିଛି ପୋଖରୀ ଖୋଳାଯାଇଥିବା ଓ ଗୋଟିଏ ଗୋଟିଏ ପୋଖରୀକୁ ଦେଖାଇ ଏକାଧିକ ବିଲ୍‌ କରି ନିଆଯାଇଥିବା ଅଭିଯୋଗ ହୋଇଛି। ଏହିପରି ଜିଲ୍ଲାର ପ୍ରାୟ ସବୁ ବ୍ଲକ୍‌ରେ ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କ ନାମରେ ‘ମୋ ପୋଖରୀ’ ମଞ୍ଜୁର କରାଯାଇଥିବା ଏବଂ ଏପରି ନାମକୁ ମାତ୍ର ଖନନ କରି ବିଭାଗୀୟ ସରକାରୀ ବାବୁଙ୍କ ସହାୟତାରେ ଜାଲ୍‌ ବିଲ୍‌ ବନାଇ ସରକାରୀ ଟଙ୍କା ହଡ଼ପ କରି ନିଆଯାଇଥିବା ଅଭିଯୋଗ ହୋଇଛି। ଅନେକ ବ୍ଲକ୍‌ରେ ଗୋଟିଏ ପରିବାରର ବହୁ ସଦସ୍ୟ ‘ମୋ ପୋଖରୀ’ ହିତାଧିକାରୀ ହୋଇଥିବାବେଳେ ପୋଖରୀ ନଖୋଳି ଗୋଟିଏ ପୋଖରୀକୁ ଦେଖାଇ ଏକାଧିକ ବିଲ୍‌ ବନାଇ ସରକାରୀ ଅର୍ଥ ଚଳୁ କରି ନିଆଯାଇଥିବା ଅଭିଯୋଗ ରହିଛି। ଫଳରେ, ଗାଁ ଶ୍ରମିକଙ୍କୁ କର୍ମ ନିଯୁକ୍ତି ଓ ଚାଷୀଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବାର ଲକ୍ଷ୍ୟ ଚୁଲିକୁ ଯାଉଛି।

Jagran

ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲାରେ ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷର ୩୧୯୨ ‘ମୋ ପୋଖରୀ’ରୁ ମାତ୍ର ୬୭୪ଟି ସମ୍ପୂର୍ଣ୍ଣ ହୋଇଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ଅର୍ଥାତ୍ ୨୫୧୮ ପୋଖରୀ ଅଧାପନ୍ତରିଆ ହୋଇପଡ଼ିଛି। ରିପୋର୍ଟ ଅନୁସାରେ; ବାଲିଶଙ୍କରା ବ୍ଲକ୍‌ରେ ୨୨୧ ପୋଖରୀ ମଧ୍ୟରୁ ୧୪୪ଟି ଅସମ୍ପୂର୍ଣ୍ଣ ଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ସେହିପରି ବଡ଼ଗାଁ ବ୍ଲକ୍‌ରେ ୧୦୪ ପୋଖରୀରୁ ୧୬୧, ବିଶ୍ରା ବ୍ଲକ୍‌ରେ ୧୦୦ ପୋଖରୀରୁ ୨୨, ବଣାଇଗଡ଼ ବ୍ଲକ୍‌ରେ ୨୨୫ ପୋଖରୀରୁ ୧୬୪, ଗୁରୁଣ୍ଡିଆ ବ୍ଲକ୍‌ରେ ୧୭୩ ପୋଖରୀରୁ ୭୫, ହେମଗିର ବ୍ଲକ୍‌ରେ ୨୨୨ ପୋଖରୀରୁ ୨୧୫ଟି ଅସମ୍ପୂର୍ଣ୍ଣ ଥିବା ରିପୋର୍ଟ କହୁଛି। କୋଇଡ଼ା ବ୍ଲକ୍‌ରେ ୧୯୬ ପୋଖରୀରୁ ୨୦୭ଟି ଅସମ୍ପୂର୍ଣ୍ଣ ଥିବାବେଳେ କୁଆରମୁଣ୍ଡା ବ୍ଲକ୍‌ରେ ୨୦୪ ପୋଖରୀରୁ ୧୭୯, କୁତ୍ରା ବ୍ଲକ୍‌ରେ ୧୪୪ ପୋଖରୀରୁ ୧୧୪, ଲହୁଣୀପଡ଼ା ବ୍ଲକ୍‌ରେ ୩୩୬ ପୋଖରୀରୁ ୨୭୫, ଲାଠିକଟା ବ୍ଲକ୍‌ରେ ୬୯ ପୋଖରୀରୁ ୪୮, ଲେଫ୍ରିପଡ଼ା ବ୍ଲକ୍‌ରେ ୧୨୯ ପୋଖରୀରୁ ୧୨୧, ନୂଆଗାଁ ବ୍ଲକ୍‌ରେ ୧୨୯ ପୋଖରୀରୁ ୧୦୨, ରାଜଗାଙ୍ଗପୁର ବ୍ଲକ୍‌ରେ ୧୦୨ ପୋଖରୀରୁ ୭୭, ସୁନ୍ଦରଗଡ଼ ବ୍ଲକ୍‌ରେ ୨୨୨ ପୋଖରୀରୁ ୧୩୦, ଟାଙ୍ଗରପାଲି ବ୍ଲକ୍‌ରେ ୧୨୭ ପୋଖରୀରୁ ୭୪, ସବଡେଗା ବ୍ଲକ୍‌ରେ ୩୬୨ ପୋଖରୀରୁ ୩୨୨ଟି ଅସମ୍ପୂର୍ଣ୍ଣ ଥିବା ଦର୍ଶାଯାଇଛି। ଏସ୍ଥିତିରେ ଚଳିତବର୍ଷ ପୁଣି ୧୭ଟି ବ୍ଲକ୍‌କୁ ୨୫୨ଟି ‘ଅମୃତ ସରୋବର’ ଯୋଗାଇ ଦିଆଯାଇଛି।

ସମ୍ବନ୍ଧିତ ଖବର