ଦି’ ଦି’ ଜଣଙ୍କ ନାମରେ ଜବ୍କାର୍ଡ, ବ୍ଲକ୍ ଅଧ୍ୟକ୍ଷ ବି ଦିନ ମଜୁରିଆ
ଯାଜପୁର/ଟାଉନ୍/ବିଂଝାରପୁର : ବିଂଝାରପୁର ବ୍ଲକ୍ର ମହାଦୁର୍ନୀତି ପେଡି ଗୋଟିଏ ପରେ ଗୋଟିଏ ଖୋଲିବାରେ ଲାଗିଛି। ଗ୍ରାମୀଣ ଆବାସରେ କୋଟି କୋଟି ଟଙ୍କାର ଦୁର୍ନୀତି କେଳେଙ୍କାରୀ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ରାସ୍ତାଘାଟ ଓ ଡ୍ରେନେଜ୍ରେ ଶହ ଶହ କୋଟି ଟଙ୍କା ହଡ଼ପର ତଦନ୍ତ ଜାରି ରହିଛି। ଏବେ ପୁଣି ନରେଗାରେ ଜାଲ କାଗଜପତ୍ର କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପର ତଥ୍ୟ ଲୋକ ଲୋଚନକୁ ଆସିଛି। ଖୋଦ୍ ଶାସକ ଦଳର ବିଧାୟିକା ପ୍ରମିଳା ମଲିକଙ୍କ ବାପା-ଭାଇଙ୍କ ନାମରେ ଜବ୍ କାର୍ଡ଼ ରହିଛି। ଭାଇ ଦିନ ମଜୁରିଆ ହୋଇ ମୋ ପୋଖରୀରୁ ମାଟି ଉଠାଇଛନ୍ତି। ବିଧାୟିକାଙ୍କ ସବୁଠାରୁ ଅନୁଗତ ତତ୍କାଳୀନ(୨୦୧୦) ବିଜେଡ଼ି ବ୍ଲକ୍ ସଭାପତି ତଥା ଦ୍ୱିତୀୟ ଥର ବ୍ଲକ୍ ଅଧ୍ୟକ୍ଷ ପଦରେ ଆସୀନ ନନ୍ଦ କିଶୋର ସାମଲ ୨୦୧୦ରେ ଦିନ ମଜୁରିଆ ହୋଇ କାମ କରିଛନ୍ତି। ମଜୁରି ମଧ୍ୟ ନେଇଛନ୍ତି। ଏହି ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ସହିତ ଅନେକ ଡାକ୍ତର, ଇଂଜିନିୟର, ଅଧ୍ୟାପକ ଓ ବହୁ ପ୍ରଭାବଶାଳୀ ଲୋକ ମଧ୍ୟ ହଜାର ହଜାର ଟଙ୍କା ହାତେଇଛନ୍ତି। ଏଭଳି କଳାକାରନାମାର ସଂପର୍କିତ ଗୁଢ଼ତଥ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ହାତରେ ଲାଗିବା ପରେ ଶାସକ ଦଳର କେତେକ ଛାମୁଆ ନେତା ମୁହଁ ଲୁଚାଇବାକୁ ଆରମ୍ଭ କରିଛନ୍ତି।
ବିଧାୟିକା ପ୍ରମିଳା ମଲିକଙ୍କ ବାପା ପବନ ମଲିକଙ୍କ ନାମରେ ଜବ୍ କାର୍ଡ଼ ନମ୍ବର ୨୨୫୦୪ ରହିଛି। ଏଥିରେ ତାଙ୍କ ପୁଅ କ୍ଷୀରୋଦ ମଲିକ ଓ କେଶବ ମଲିକଙ୍କ ନାମ ରହିଛି। କେଶବ ମଲିକ ମୋ ପୋଖରୀରେ ଦିନ ମଜୁରି ହୋଇ ୨୦୧୬ ଓ ଚଳିତ ବର୍ଷ ୨୦୧୮ରେ ମଧ୍ୟ ମଜୁରି ନେଇଛନ୍ତି ବୋଲି ସରକାରୀ ୱେବ୍ ସାଇଟ୍୍ରେ ଦର୍ଶାଉଛି। ସିଂହପୁର ପଞ୍ଚାୟତ ସମିତି ସଭ୍ୟ ତଥା ବିଂଝାରପୁର ବ୍ଲକ୍ ଅଧ୍ୟକ୍ଷ ନନ୍ଦ କିଶୋର ସାମଲ ୨୦୧୦ ମସିହାରେ ବିଜେଡ଼ି ବ୍ଲକ୍ ସଭାପତି ଥିବା ବେଳେ ଦିନ ମଜୁରିଆରେ ହୋଇ କାମ କରିଥିବାର ରେକର୍ଡ଼ କହୁଛି। ନନ୍ଦ ସାମଲ ୨୦୧୦ ମସିହାରେ ଦିନ ମଜୁରିଆ ଭାବେ ଉମେଶ ସାହୁଙ୍କ ମୋ ପୋଖରୀରୁ ମାଟି ଖୋଳି ୬ଦିନ ମାଟି ଉଠାଇଛନ୍ତି ବୋଲି ଦର୍ଶାଯାଇଛି। କେବଳ ବ୍ଲକ୍ ଅଧ୍ୟକ୍ଷ ନନ୍ଦ ସାମଲ କିମ୍ବା ବିଧାୟକଙ୍କ ସଂପର୍କୀୟମାନେ ନୁହନ୍ତି। ଏହି ଭଳି ଶହ ଶହ ପ୍ରଭାବଶାଳୀ ଲୋକ ଦିନ ମଜୁରିଆ ହୋଇ କାମ କରିଥିବାର ରେକର୍ଡ଼ କହୁଛି। ଏହି ଯୋଜନାରେ ନେସ୍କୋର ଜଣେ ପୂର୍ବତନ ନିର୍ବାହିଯନ୍ତ୍ରୀ, ଖରସ୍ରୋତା ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ଓ ତାଙ୍କ ପତ୍ନୀ ତଥା ସରକାରୀ ଶିକ୍ଷୟିତ୍ରୀଙ୍କ ନାମରେ ମଧ୍ୟ ଜବକାର୍ଡ ଇସ୍ୟୁ କରାଯାଇଥିବା ଦେଖିବାକୁ ମିଳିଛି।
ଓଡିଶା ମାଇନିଂ କରପୋରେସନ୍ର ପୂର୍ବତନ ସାଧାରଣ ପରିଚାଳକ ବା ଜେନେରାଲ ମ୍ୟାନେଜର, ଅବସର ପ୍ରାପ୍ତ ସାମରିକ କର୍ମଚାରୀ, ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ, ପୋଷ୍ଟାଲ କର୍ମଚାରୀ, ପୂର୍ତ ବିଭାଗର ପୂର୍ବତନ ଯନ୍ତ୍ରୀଙ୍କ ସମେତ ମାଁସଡା ପଞ୍ଚାୟତରେ ଶତାଧିକ କୋଟିପତି ପରିବାରଙ୍କ ନାମରେ ଜବକାର୍ଡ ଇସ୍ୟୁ କରାଯିବା ସହ ଏମାନଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ବ୍ୟାଙ୍କ କିମ୍ବା ପୋଷ୍ଟାଲ ଆକାଉଣ୍ଟରୁ ଉଠା ଯାଇଥିବା ଜଣାପଡିଛି । ସମ୍ ହସପିଟାଲର କାର୍ଡିଓଲୋଜି ବିଶେଷଜ୍ଞଙ୍କ ନାମ ମଧ୍ୟ ଏଥିରେ ସାମିଲ୍ ରହିଛି। ନରେଗା ଯୋଜନାର ଅଧିକାଂଶ ପ୍ରକଳ୍ପ ମେସିନ୍ରେ କାମ ହୋଇଥିବା ବେଳେ ଗାଁରେ ନଥିବା ବ୍ୟକ୍ତି ଓ ଯୋଜନା ସମ୍ପର୍କରେ ଜାଣିନଥିବା ବ୍ୟକ୍ତିଙ୍କ ନାମରେ ଜବକାର୍ଡ ଖୋଲାଯାଇ ଜାଲ ଦସ୍ତଖତ କରାଯାଇ ପୋଷ୍ଟ ଅଫିସ୍ ଓ ବ୍ୟାଙ୍କରୁ ଏହି ଟଙ୍କା ଉଠା ଯାଇଥିବା ଅଭିଯୋଗ ହୋଇଥିବା ଖବର ପଦାକୁ ଆସିବା ପରେ ଏବେ ଏହାକୁ ନେଇ ବିଭିନ୍ନ ମହଲରେ ଆଲୋଡ଼ନ ଖେଳିଯାଇଛି।