ମନରେଗାରେ ଏକ ନମ୍ବର ଜିଲ୍ଲା ଗଞ୍ଜାମରେ ଅଥଳ ଦୁର୍ନୀତି: କେନାଲ୍ କାମ ନକରି ୧୦ ଲକ୍ଷ ଚଳୁ

ମୃତକ, ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ବଡ଼ବଡ଼ିଆଙ୍କ ଆକାଉଣ୍ଟ୍‌କୁ ଯାଇଛି ମଜୁରି

ପାତ୍ରପୁର : ମନେରଗା ଯୋଜନା କାର୍ଯ୍ୟକାରିତାରେ ରାଜ୍ୟରେ ଏକ ନମ୍ବର ଗଞ୍ଜାମ ଜିଲ୍ଲାରେ ଦୁର୍ନୀତିର ତାଲିକା ବି ଲମ୍ବିବାରେ ଲାଗିଛି। ପୋଲସରା ନିର୍ବାଚନମଣ୍ଡଳୀ ବୁଗୁଡ଼ା ବ୍ଲକ୍ ପରେ ଏବେ ଚିକିଟି ନିର୍ବାଚନମଣ୍ଡଳୀ ପାତ୍ରପୁର ବ୍ଲକ୍‌ରୁ ବି ଏହି ଯୋଜନାରେ କାମ ନକରି ଲକ୍ଷାଧିକ ଟଙ୍କା ଚଳୁ ହୋଇଥିବା ଭଳି ଏକ ସଙ୍ଗିନ୍ ଅଭିଯୋଗ ସାମ୍ନାକୁ ଆସିଛି। ସବୁଠୁ ଚାଞ୍ଚଲ୍ୟକର ତଥ୍ୟ ହେଲା, ଏଠାରେ ମୃତକ, ବୃଦ୍ଧବୃଦ୍ଧା, ଏଲଆଇସି ଏଜେଣ୍ଟ୍, ଦିବ୍ୟାଙ୍ଗ ଏବଂ ବଡ଼ବଡ଼ିଆଙ୍କୁ ଜବ୍‌କାର୍ଡ଼ଧାରୀ ସଜାଇ ସେମାନଙ୍କ ଆକାଉଣ୍ଟ୍‌କୁ ଟଙ୍କା ପଠାଯାଇଛି। ଠିକାଦାର ଓ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ବିନା କାମରେ ୧୦ ଲକ୍ଷ ଟଙ୍କା ହଡ଼ପ କରାଯାଇଛି। ଗୁଣ୍ଡ୍ରା ପଞ୍ଚାୟତରୁ ଏଭଳି ତଥ୍ୟ ସାମ୍ନାକୁ ଆସିବାରେ ହଇଚଇ ସୃଷ୍ଟି ହୋଇଛି। ଉକ୍ତ ଗ୍ରାମର ତରସିଆବାଟିଆ କେନାଲ ଉନ୍ନତୀକରଣ ପାଇଁ ମନରେଗା ଯୋଜନାରେ ଦଶ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ହେଲେ କୌଣସି କାମ ନକରି ଚଳିତବର୍ଷ ଜାନୁଆରି ୧୧ ସୁଦ୍ଧା ୮ ଲକ୍ଷ ୨୬ ହଜାର ୩୧୦ ଟଙ୍କା ବିଭିନ୍ନ ବର୍ଗର ‌ଲୋକଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌କୁ ଯାଇଛି।

ଏଥିରେ ଅଛନ୍ତି ମୃତକ ବି. ଶ୍ରୀପଦଙ୍କ ସମେତ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ବି. ଏରାମ୍ମା, ୟୁ. ସୋମେଶୁ ଆଚାରୀ, ଏ. ବୈରାଗୀ ଓ ଏସ୍‌. ନିଲାମ୍ମା। ସେହିପରି ଭିନ୍ନକ୍ଷମ ବି. ଶଙ୍କର ରାଓ ୭୦୦ ଟଙ୍କା ଭତ୍ତା ପାଉଥିଲେ ମଧ୍ୟ ତାଙ୍କ ଆକାଉଣ୍ଟ୍‌କୁ ଟଙ୍କା ଯାଇଛି। ଭିନ୍ନକ୍ଷମ ସୀମାଞ୍ଚଳ ବାଡ଼ତ୍ୟା ବି ହିତାଧିକାରୀ ସାଜିଛନ୍ତି। ଏତଦ୍‌ ବାଦ୍‌ ଏଲ୍ଆଇସି ଏଜେଣ୍ଟ ଏମ୍‌. ମୁରଲିକୃଷ୍ଣଙ୍କ ସମେତ ପଞ୍ଚାୟତ ପିଅନ ଏସ୍‌. ତୁମ୍ବନାଥ ଓ ତାଙ୍କ ପତ୍ନୀ ଏସ୍‌. ରୁକୁଣାଆମ୍ମା, ଅଙ୍ଗନବାଡ଼ି ହେଲପର୍ ପଙ୍କଜ ନେପାକ, ଡିଲର୍ ଏମ୍. ଦନାର୍ଦ୍ଦନ ଏବଂ ପତ୍ନୀ ଏମ୍. ତ୍ରିବେଣୀ ମଧ୍ୟ ସେମାନଙ୍କ ଆକାଉଣ୍ଟ୍‌ରେ ଟଙ୍କା ପାଇଛନ୍ତି।

ଅନ୍ୟପକ୍ଷରେ କେନାଲ୍ ପାଖରେ ଲାଗିଥିବା ଫଳକରେ ବ୍ୟୟ ଅଟକଳ ଦର୍ଶା ଯାଇ ନଥିବା ବେଳେ କାର୍ଯ୍ୟ ଆରମ୍ଭ ତାରିଖ ଜୁନ୍ ୭ ତାରିଖ ୨୦୨୦ ବୋଲି ଦର୍ଶାଯାଇଛି। ତେବେ କାମ ଶେଷ ତାରିଖ ଲେଖାଯାଇନି। କେନାଲରେ ଘାସ ଓ ଲଟାବୁଦା ରହିଥିବା ସହ କୌଣସି କାର୍ଯ୍ୟ ହୋଇ ନଥିବା ଅଭିଯୋଗ ହୋଇଛି। କେବଳ ଏହି ଗୋଟିଏ କାମ ନୁହେଁ, ସେହି ଗ୍ରାମରେ ଦୁଇଟି କଲଭର୍ଟ କାମ ନିମ୍ନମାନର ବୋଲି ଅଭିଯୋଗ ହୋଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଭିଜିଲାନ୍ସ ତଦନ୍ତ ହେଲେ ବହୁ ରହସ୍ୟ ପଦାକୁ ଆସିବ ବୋଲି ମତପ୍ରକାଶ ପାଇଛି। ସେହିପରି ସରପ‌ଞ୍ଚଙ୍କ ସ୍ବାମୀ, ମାଆ ଓ ସମ୍ପର୍କୀୟଙ୍କୁ ବି ଜବ୍‌କାର୍ଡ଼ଧାରୀ ବୋଲି ଦର୍ଶାଯାଇଛି।

ବିଡିଓ ପ୍ରକାଶ ଚନ୍ଦ୍ର ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଯେଉଁ କାମ ହୋଇନି ବୋଲି ଅଭିଯୋଗ ହେଉଛି, ତାହା ଭିତ୍ତିହୀନ। କେନାଲର କାମ ହୋଇଛି। ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଜେନାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଗତବର୍ଷର କାମ ଦେଖିଲା ପରେ ହିଁ ସେ ପ୍ରତିକ୍ରିୟା ଦେଇପାରିବେ। କନିଷ୍ଠ ଯନ୍ତ୍ରୀ ଇନ୍ଦ୍ରମଣି ସାହୁ କଲ୍‌ ରିସିଭ୍ ନକରିବାରୁ ତାଙ୍କ ସହ ଯୋଗାଯୋଗ ସମ୍ଭବପରହୋଇ ପାରିନାହିଁ।

ସମ୍ବନ୍ଧିତ ଖବର