କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ମନରେଗା ଦୁର୍ନୀତି ଘଟଣାରେ ଯନ୍ତ୍ରୀ, ଜିଆରଏସ୍ ଓ ପିଇଓ ହରଡ଼ଘଣାରେ ପଡ଼ିଛନ୍ତି। ସ୍ବତନ୍ତ୍ର ଅଡିଟ୍ରୁ ଦୁର୍ନୀତି ଧରାପଡ଼ିବା ପରେ ଏବେ ସଂପୃକ୍ତ ଅଧିକାରୀଙ୍କ ଠାରୁ ଅର୍ଥ ଆଦାୟ କରିବା ପାଇଁ ସୁପାରିସ କରାଯାଇଛି। ସେପଟେ ଏନେଇ ଲୋକାୟୁକ୍ତରେ ଶୁଣାଣିପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରାଯାଇଛି। ଜିଲ୍ଲାପାଳଙ୍କ ରିପୋର୍ଟ ମିଳିବା ପରେ ଯନ୍ତ୍ରୀ, ପିଇଓ, ଜିଆରଏସ୍ ଏବଂ ସରପଞ୍ଚଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଘଟଣା ଏବେ ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଛି।
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ଶାଳଣିଆ ପଞ୍ଚାୟତର ସୋଲପଟା ଗ୍ରାମର ସରୋଜ ନାୟକ ୨୦୧୫-୧୬ ଆର୍ଥିକ ବର୍ଷରେ ‘ମୋ ପୋଖରୀ’ ଯୋଜନାରେ କାର୍ଯ୍ୟାଦେଶ ପାଇବା ପରେ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଆର୍ଥିକ ସହାୟତା ପାଇଥିଲେ। ଏହାପରେ ୨୦୨୦-୨୧ ଆର୍ଥିକ ବର୍ଷରେ ପୁଣି ନିଜ ବାପା ଅଧିକାରୀ ନାୟକଙ୍କ ନାମରେ ମୋ ପୋଖରୀ ଆବେଦନ କରିଥିଲେ। ଏଥିରେ ସେ ବିନା ପଲ୍ଲୀସଭା କିମ୍ବା ଗ୍ରାମସଭାର ଅନୁମୋଦନରେ ଚଞ୍ଚକତା ପୂର୍ବକ ଆଉ ଏକ ପୋଖରୀ ହାତେଇବା ପାଇଁ ଚେଷ୍ଟା କରିଥିଲେ। ପୂର୍ବ ପୋଖରୀକୁ ବିଭାଗୀୟ ଅଧିକାରୀଙ୍କୁ ଦେଖାଇ ପ୍ରାୟ ୧ ଲକ୍ଷ ୩୨ ହଜାର ଟଙ୍କା ଉଠାଇ ଥିଲେ। ଏହି ଦୁର୍ନୀତି ସମ୍ପର୍କରେ ଜାଣିବା ପରେ ହିମାଂଶୁ ନାୟକ ସମସ୍ତ ତଥ୍ୟ ପ୍ରମାଣ ସହ ୨୦୨୦ ଅକ୍ଟୋବର ୧୦ ତାରିଖରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ଜିଲ୍ଲାପାଳ ହାଟଡ଼ିହି ବ୍ଲକ ସମେତ ୩୧ଟି ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଅଡିଟ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ଅନୁରୋଧ କରିଥିଲେ। ବିଭାଗ ତରଫରୁ ୨୦୧୫-୧୬ ଆର୍ଥିକ ବର୍ଷ ଠାରୁ ୨୦୨୦-୨୧ ପର୍ଯ୍ୟନ୍ତ ଅଡିଟ୍ କରାଯିବା ପରେ ହାଟଡ଼ିହି ବ୍ଲକ୍ର ସଂପୃକ୍ତ କର୍ମଚାରୀଙ୍କ ଠାରୁ ୪୦ ଲକ୍ଷ ୮୯ ହଜାର ୨୪ ଟଙ୍କା ଆଦାୟ କରିବା ପାଇଁ ଅଡ଼ିଟ୍ ରିପୋର୍ଟ (ତା ୩/୨୦୨୧-୨୨) ରେ ଉଲ୍ଲେଖ ରହିଛି। ଏହି କ୍ରମରେ ଦୁଇଟି ଆର୍ଥିକ ବର୍ଷରେ (୨୦୧୫-୧୬ ଏବଂ ୨୦୧୬-୧୭) ଦୁଇଥର ଲେଖାଏଁ କାମ କରିବା ଅଭିଯୋଗରେ ଶାଳଣିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ସେବତୀ ବେହେରା, ପଞ୍ଚାୟତର ପୂର୍ବତନ ନିର୍ବାହୀ ଅଧିକାରୀ ନରହରି ନାୟକ, ପୂର୍ବତନ କନିଷ୍ଠ ଯନ୍ତ୍ରୀ ଧନଞ୍ଜୟ ମହାପାତ୍ରଙ୍କ ଠାରୁ ୯ ଲକ୍ଷ ୬୭ ହଜାର ୪୭୦ ଟଙ୍କା ସମାନ ଭାଗରେ ଆଦାୟ ପାଇଁ ସ୍ବତନ୍ତ୍ର ଅଡିଟର ସୁପାରିସ୍ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/hatadihi.jpg)