ଡାଲଗୁମା ପଂଚାୟତରେ ମନରେଗା କାମରେ ଦୁର୍ନୀତୀ ଅଭିଯୋଗ ! ତଦନ୍ତ ଦାବୀରେ ଜିଳ୍ଳାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଭବାନୀପାଟଣା/କୋକସରା : କୋକସରା ବ୍ଲକ ଡାଲଗୁମା ପଂଚାୟତରେ ମନରେଗା ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ଗାଁ ଲୋକଙ୍କୁ ବର୍ଷକୁ ଶହେ ଦିନର କାମ ଯୋଗାଇବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ମନରେଗା ଯୋଜନା କାମ ଏବେ ବାଟବଣା ହେବାକୁ ବସିଛି । ଏଭଳିକି ଯୋଜନାରେ ଶ୍ରମିକ ବଦଳରେ ମେସିନ କାମ କରୁଥିବା ଅଭିଯୋଗ ହେଉଛି । ଏହା ସହ କିଛି ସ୍ୱଚ୍ଛଳ ବର୍ଗର ଲୋକେ ଶ୍ରମିକ କାର୍ଡ ବନେଇ ଏହି ଯୋଜନାରେ ମିଥ୍ୟା ବିଲ କରି ଟଙ୍କା ହଡପ କରୁଥିବା ଅଭିଯୋଗ ହେଉଛି । ଏନେଇ କିଛି ଅଭିଯୋଗକାରୀ ସୋମବାର ଉପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଗୁରୁବାର କଳାହାଣ୍ଡି ଜିଳ୍ଳାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ କରୋନା ଆତଙ୍କ ପରେ ପ୍ରବାସୀ ଶ୍ରମିକମାନେ ଗାଁ ମୁହାଁ ହୋଇଛନ୍ତି । ପ୍ରବାସୀ ଶ୍ରମିକମାନଙ୍କୁ ଏହି ଯୋଜନାରେ ସାମିଲ କରି କାମ ଯୋଗାଇବା ପାଇଁ ସରକାର ପ୍ରଶାସନକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରବାସୀ ଶ୍ରମିକମାନେ କାମଧନ୍ଦା ଅଭାବରୁ ଘରେ ହାତବାନ୍ଧି ବସିଥିବାବେଳେ କିଛି ସ୍ୱଚ୍ଛଳ ବର୍ଗର ବାବୁମାନେ କାଗଜକଲମରେ ଶ୍ରମିକ ସାଜି ଏହି ଯୋଜନାର ଲାଭ ଉଠାଉଛନ୍ତି ବୋଲି ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ମନରୋଗା ଯୋଜନାରେ ଡାଲଗୁମା ପଂଚାୟତର ଡିଲେଶ୍ୱର ପଟ୍ଟନାୟକ କୌଣସି କାମ ନକରି ଜମି ମରାମତି ନାଁରେ ୫୦ହଜାର ଟଙ୍କା ହଡପ କରିଦେଇଛନ୍ତି । ସେହିପରି ସେହି ପଂଚାୟତ ଅନ୍ତର୍ଗତ ଡାଲଗୁମାର ଭୂବନେଶ୍ୱର ମାଝୀ ଓ ଚିତାମୁଣ୍ଡା ଗାଁର ବିଜୟ ହଂସ ଜେସିବି ମେସିନ ବ୍ୟବହାର କରି ଶ୍ରମିକମାନଙ୍କରେ ମିଥ୍ୟା ମାଷ୍ଟର ରୋଲ ପ୍ରସ୍ତୁତ କରି ଟଙ୍କା ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି । ସେହିପରି କୌଣସି କାମ ନକରି ଆଶାକର୍ମିଥିବା ଗାଁର ଅମ୍ବିକା ପଟ୍ଟନାୟକ, ସରିତା ପଟ୍ଟନାୟକ, ପ୍ରିୟ ରଂଜନ ପଟ୍ଟନାୟକ, ନିହାର ରଂଜନ ପଟ୍ଟନାୟକ, ଦିବ୍ୟ ପଟ୍ଟନାୟକ, ରଜନୀ ପଟ୍ଟନାୟକ, ପିତବାସ ପଟ୍ଟନାୟକ, ଟିକେମଣି ପଟ୍ଟନାୟକ ଆଦି ବ୍ୟକ୍ତି ମିଥ୍ୟା ବିଲ କରି ଲକ୍ଷାଧିକ ଟଙ୍କା ପାଇଥିବା ଅଭିଯୋଗ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ମନରେଗା ଅର୍ଥକୁ ମଧ୍ୟ ପଂଚାୟତର ଗ୍ରାମରୋଜଗାର ସେବକ ଓ ଜିଓ ଟେଗର ଆତ୍ମସାତ କରୁଥିବା ଅଭିଯୋଗ ହୋଇଛି । ପ୍ରକୃତ ହିତାଧିକାରୀଙ୍କ ଏକାଉଣ୍ଟରେ ଟଙ୍କା ଜମା କରିବା ବଦଳରେ ନିଜ ପାଖ ଲୋକଙ୍କ ଏକାଉଣ୍ଟରେ ଟଙ୍କା ଜମା କରୁଥିବା ଅଭିଯୋଗରେ ଦର୍ଶଯାଇଛି।

Amar Ujala

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ କୃଷ୍ଣ ମାଝୀ, କୁବେର ଜୁଏଡ, ଭୋଲା ଧରୁଆ, ସଂପତି ଧରୁଆ, ପ୍ରେମଶୀଳା ମାଝି, ହେମପ୍ରସାଦ ଦଳପତି, ତରୁଣ ଦଳପତି, ଭୂମିସୁତା ଦଳପତି, ଚିତ୍ରସେନ ଧରୁଆ, କୁନ୍ଦନ ବେୱା, ମକିଳ ମାଝି, ଅକ୍ଷୟ ଧରୁଆ, ଉଲାସ ଧରୁଆ, ମଦନ ଧରୁଆ, ବିରଂଚି ନାଗ, ଦିବେଶ୍ୱର ମାଝି, ରସିକ ଚଣ୍ଡି ଆଦିଙ୍କ ମନରେଗା ଟଙ୍କା ଜିଆର ଓ ଜିଓ ଟେଗର ହଡପ କରିଥିବା ଅଭିଯୋଗ ହୋଇଛି। ମନରେଗା ଯୋଜନାରେ ଚିତାମୁଣ୍ଡା-ଡାଲଗୁମା ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଥିଲେ ହେଁ କେବଳ ମୂରୁମ ସଂଗ୍ରହ କରି ରାସ୍ତାରେ ବିଛିବା ବଦଳରେ ଗଦା କରାଯାଇଛି । ଯାହା ଫଳରେ ବର୍ଷା ହେଲେ କାଦୁଅ ହୋଇ ଯିବାଆସିବାରେ ବାଧା ସୃଷ୍ଟି ହେଉଛି। କିଛି ମୁଷ୍ଟିମେୟ ଲୋକ ଏହିପରି ସମସ୍ତ ସରକାରୀ ଯୋଜନାର ଲାଭ ଉଠାଉଥିବାବେଳେ ପ୍ରକୃତ ହିତାଧିକାରୀ ବଂଚିତ ହେଉଥିବା ନେଇ ଅଭିଯୋଗ ହୋଇଛି । ଏହାର ତଦନ୍ତ ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗକାରୀ ମହେନ୍ଦ୍ର ଧରୁଆ, କ୍ଷିରୋଦ ଲହଜଲ, ହେତୁରାମ ମାଝୀ, ଗୋପାଳ ଲହଜଲ, ଦୁର୍ଯ୍ୟୋଧନ ନାଗ, ମଦନ ମାଝୀ, ବସନ୍ତ କୁମାର ପୋଡ ପ୍ରମୂଖ ସୋମବାର ଉପଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିବା ବେଳେ ଗୁରୁବାର ଜିଳ୍ଲାପାଳଙ୍କ ଦ୍ୱାରସ୍ତ ହୋଇ ଦାବୀ କରିଥିବା ଜଣାପଡିଛି। ଏନେଇ କୋକସରା ବିଡିଓ ମନିଷା ଦାସଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ତଦନ୍ତପରେ ଜଣାପଡିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର