ପୁରୀ/ଗୋପ : ଗରିବ ଓ ଶ୍ରମିକଙ୍କୁ ନିଶ୍ଚିତ କର୍ମ ନିଯୁକ୍ତି ଦେବା ଓ ବେରୋଜଗାରୀଙ୍କୁ ରୋଜଗାର ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହାତ ଖୋଲି ଦେଇଛନ୍ତି। କରୋନା ଭଳି କଠିନ ପରିସ୍ଥିତିରେ ନୂଆ ନିଯୁକ୍ତି ଓ ନୂଆ ପ୍ରକଳ୍ପକୁ ପଛରେ ପକାଇ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)କୁ ପ୍ରାଥମିକତା ଦେଉଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥି ପାଇଁ ସ୍ବତନ୍ତ୍ର ଅର୍ଥ ବ୍ୟବସ୍ଥା କରିଛନ୍ତି। ଏହି ପାଣ୍ଠିରେ ଏବେ ଗାଁ ଗାଁରେ କୃଷି ପୋଖରୀ (ଫାର୍ମିଂ ପଣ୍ଡ) ସମେତ ଅନ୍ୟାନ୍ୟ ପ୍ରକଳ୍ପ କରାଯାଉଛି। ତେବେ ତୃଣମୂଳ ସ୍ତରରେ ଏହି ଯୋଜନାକୁ ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ଦାୟିତ୍ବ ଦେଇଥିବା ମୃତ୍ତିକା ସଂରକ୍ଷଣ ବିଭାଗ ଏହି ଯୋଜନାକୁ ଆକଣ୍ଠ ଗିଳି ସାରିଲାଣି। ଶ୍ରମ ବଦଳରେ ଶତକଡ଼ା ୯୫ ପ୍ରତିଶତ କାମ ମେସିନରେ କରାଯାଇ ମିଛମିଛିକା ମଷ୍ଟରରୋଲ୍ ପ୍ରସ୍ତୁତ କରି ଜବ୍କର୍ଡଧାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଉଛି। ବାଡ଼ ଫସଲ ଖାଇବା ନ୍ୟାୟରେ ଭାଗବଣ୍ଟାରେ ଏହି ଯୋଜନା ଚାଲିଛି। ଏପରିକି ଚିରସ୍ରୋତା ନଦୀ ଭିତରେ ପୋଖରୀ ଖୋଳିବାର ଦୁଃସାହସ କରାଯାଇଛି। ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ନାଗପୁର ପଞ୍ଚାୟତର ନାରୁଅ ଗାଁ ନିକଟସ୍ଥ କୁଶଭଦ୍ର ନଦୀ ପଠାରେ ଓକିଲ ସ୍ବାଇଁ ନାମକ ଜଣେ ହିତାଧିକାରୀଙ୍କ ନାମରେ ଏକ ପୋଖରୀ ଖୋଳାଯାଇଛି। ନଈ ଭିତରେ ପୋଖରୀ ଖୋଳାଯାଇଥିବା ଜଣାପଡ଼ିବା ପରେ ଏହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଶଭଦ୍ରା ନଦୀ ପଠାରେ ଖୋଳାଯାଇଥିବା ଏହି ପୋଖରୀ କେବଳ ବିଲ୍ କରିବା ପାଇଁ କରାଯାଇଛି। ମେସିନ୍ରେ ମାତ୍ର ଏକ ଫୁଟ ଆଞ୍ଚୁଡ଼ି ଦିଆଯାଇଛି। ଘାସ ବି ମରିନାହିଁ। ଏହି ପୋଖରୀ ପାଇଁ ଦେଢ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଖର୍ଚ୍ଚ ମାତ୍ର ଦେଢ଼ ହଜାର ଟଙ୍କା ହୋଇଛି। ନଦୀ ଭିତରେ ପୋଖରୀ କେମିତି ଖୋଳାଗଲା, ଏହାର ଉପଯୋଗିତା କ’ଣ, ଘାସ ମରିନଥିବା ପୋଖରୀ ଖୋଳା ପାଇଁ ଜବକାର୍ଡଧାରୀଙ୍କ ଆକାଉଣ୍ଟକୁ ଟଙ୍କା କେମିତି ଆସିଲା ତାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି।
ହିତାଧିକାରୀ ଓକିଲ ସ୍ବାଇଁଙ୍କ ନାମରେ ପୋଖରୀ ଖୋଳିବାକୁ ଏକ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର ହୋଇଛି। ମାତ୍ର ମଷ୍ଟର୍ ରୋଲରେ ୭୦ ହଜାର ଟଙ୍କା ଜବକାର୍ଡଧାରୀଙ୍କ ଆକାଉଣ୍ଟକୁ ଯାଇଛି। ଏ ସମ୍ପର୍କରେ ସରପଞ୍ଚ ଅକ୍ଷୟ ନିଶଙ୍କଙ୍କୁ ପଚାରିବାରୁ ସେ ବିଶେଷ କିଛି ଜାଣିନାହାନ୍ତି ଓ ତଦନ୍ତ କରି ଜଣାଇବେ ବୋଲି କହିଛନ୍ତି। କନିଷ୍ଠ ଯନ୍ତ୍ରୀ ଗୋପୀନାଥ ବେହେରାଙ୍କୁ ପଚାରିବାରୁ ଚାଷୀ ପ୍ଲଟ ନମ୍ବର ଦେଇଥିଲେ। ନାଗପୁର ଜିଆର୍ଏସ୍ ଏହାର ଜିଓ ଟ୍ୟାଗିଙ୍ଗ୍ କରିଛନ୍ତି। ତେବେ ଜାଗା ନଦୀ ପଠାରେ ଥିବା ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି।
ଏ ସମ୍ପର୍କରେ ନରେଗା ଏପିଓ ମୋନାଲିସା ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି, ଏହାର ଜିଓ ଟ୍ୟାଗିଂ ହୋଇଛି। ମାତ୍ର ଏହାର ମଷ୍ଟରରୋଲ ଓ ଅନ୍ୟ ସମସ୍ତ ଦାୟିତ୍ବ ମୃତ୍ତିକା ସଂରକ୍ଷଣ ବିଭାଗ ବୁଝୁଥିବା ସେ କହିଛନ୍ତି । ନାଗପୁର ପଞ୍ଚାୟତ ଚାଷୀଙ୍କୁ ଏଭଳି ପୋଖରୀ ଦିଆଯାଇଛି। ସବୁଠି ପୋଖରୀରେ ଦୁଇ ରୁ୧୦ ହଜାର ଟଙ୍କା ଖର୍ଚ୍ଚ କରି ଅବଶିଷ୍ଟ କେବଳ ବିଲ୍ କରାଯାଉଛି। ବ୍ଲକ୍ର ୪ଟି ପଞ୍ଚାୟତ ବଉଲାଙ୍ଗ, ଦେତଳି, ବିରତୁଙ୍ଗ, ନାଗପୁରରେ ଏମିତି ହେଉଛି। ପୁରୀ ଜିଲ୍ଲା ପ୍ରଶାସନ ଅନ୍ୟ ସବୁଥିରେ ଏକ ନମ୍ବର ଥିବା ବେଳେ ଯୋଜନା ରୂପାୟନ ଓ ଦୁର୍ନୀତିଖୋରଙ୍କୁ ପ୍ରୋତ୍ସାହିତ କରିବାରେ ମଧ୍ୟ ଆଗରେ ରହିଥିବା ଅଭିଯୋଗ ହୋଇଛି।