ଯାଜପୁର ଜିଲ୍ଲାରେ ମନରେଗା ବନୀକରଣରେ ମହାଦୁର୍ନୀତି : ଧରାପଡ଼ିବା ଭୟରେ ଗଛ ପୋତା ଚାଲିଛି

ଯାଜପୁର : ଯାଜପୁର ଜିଲ୍ଲାରେ ବନୀକରଣରେ ବଡ଼ଧରଣର ଦୁର୍ନୀତି ହୋଇଛି। ଅନେକ ସ୍ଥାନରେ କେବଳ କାଗଜପତ୍ରରେ ବନୀକରଣ କରାଯାଇଥିବା ଧରାପଡ଼ିଛି। ବିଭିନ୍ନ ସମୟରେ ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଛି। ଏବେ ଧରାପଡ଼ିବା ଭୟରେ ଗଛ ଲଗାଯାଉଥିବା ଦେଖିବାକୁ ମିଳିଛି।

ଅନୁସନ୍ଧାନରୁ ଜଣାପଡ଼ିଛି ଜିଲ୍ଲାର ୫ଟି ବ୍ଲକ୍ ରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ଦ୍ବାରା ଚଳିତ ବର୍ଷ ୩୦ ଆରକେଏମ(୧୫କିମି)ରେ ନୂତନ ବନୀକରଣ ହୋଇଥିବା ବେଳେ ଗତବର୍ଷ ଲଗାଯାଇଥିବା ୩୦ଆରକେଏମ(୧୫କିମି)ର ରକ୍ଷଣାବେକ୍ଷଣ କରାଯାଇଛି। ୨ ଆରକେଏମ ତଥା ୧କିମିରେ ୨ ହଜାର ଗଛ ଲଗାଇ ବନୀକରଣ ପାଇଁ ମନରେଗା ଅନୁଦାନରୁ ୬ଲକ୍ଷ ୭୮ହଜାର ଟଙ୍କା ବ୍ୟୟ କରାଯାଉଥିବା ବେଳେ ଦ୍ବିତୀୟ ବର୍ଷ ରକ୍ଷଣାବେକ୍ଷଣ ବାବଦରେ ୨ଆରକେଏମ(୧କିମି) ବାବଦରେ ୪ଲକ୍ଷ ଟଙ୍କା ବ୍ୟୟ କରାଯାଉଛି। ଗତ ବର୍ଷ ଓ ଚଳିତ ବର୍ଷ ବନୀକରଣ ବାବଦରେ ମୋଟାମୋଟି ୧କୋଟି ୬୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରାଯାଇଛି। ମାତ୍ର ଅଧିକାଂଶ ସ୍ଥାନରେ ଗଛ ନାହିଁ। ଏପରିକି ବାଉଁଶ ଗୋଟା ୪୦ ଟଙ୍କାରୁ ୬୦ ଟଙ୍କାରେ କିଣାଯାଉଥିବା ବେଳେ ୧୧୨ଟଙ୍କା ଜାଲ ବିଲ୍‌ କରାଯାଇଛି। ଏପରିକି ଗୋଟିଏ ବାଉଁଶ ୨ଫାଳ ହେଉଥିବାର ଦର୍ଶାଯାଉଥିବା ବେଳେ ୪ରୁ ୬ ଫାଳ କରାଯାଉଛି। ଏକାଧିକ ଲୋକଙ୍କ ଜବକାର୍ଡ଼ରେ କାମ ହେଉଥିବାର ଦର୍ଶାଇ ମଜୁରି ହଡ଼ପ କରାଯାଇଛି।

ମାତ୍ର, ଧରାପଡ଼ିବା ଭୟରେ ଆଜି ବିଂଝାରପୁର ବ୍ଲକ୍‌ ଅନ୍ତର୍ଗତ ପ୍ରୀତିପୁର ପଞ୍ଚାୟତର ଟୁବିପଡ଼ିଆରୁ ବଳଭଦ୍ରପୁର ରାସ୍ତା ପାର୍ଶ୍ବରେ ଗଛ ଲଗାଯାଉଥିବା ଦେଖିବାକୁ ମିଳିଛି। ମାତ୍ର, ପ୍ରକଳ୍ପ ନିର୍ଦ୍ଦେଶକ ରଣଜିତ ଦାଶ ଭିନ୍ନ କଥା କହିଛନ୍ତି। ସେ କହିଛନ୍ତି ଯେ, ଗଛଗୁଡ଼ିକ ଲଗାଯାଇଥିଲା। ମରିଯିବାରୁ ଏବେ ଲଗାଯାଉଛି। ଅନୁଦାନ ମିଳି ନଥିବାରୁ କାମ ଆଗେଇ ପାରି ନଥିଲା ବୋଲି ଶ୍ରୀ ଦାସ ସଫେଇ ଦେଇଛନ୍ତି। ମାତ୍ର, ବାସ୍ତବ ସ୍ଥିତି କ’ଣ କାହାକୁ ଅଛପା ନାହିଁ ବୋଲି ସ୍ଥାନୀୟ ଯାଜପୁରର ବହୁ ଜନସାଧାରଣ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର