ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଗ୍ରାମାଂଚଳମାନଙ୍କର ମୌଳିକ ଆବଶ୍ୟକତା ଓ ଦିନ ମଜୁରୀଆ ଖଟିଖିଆ ଶ୍ରମିକ ଶ୍ରେଣୀର ଲୋକମାନଙ୍କୁ ରୋଜଗାର ଯୋଗେଇବାର ଲକ୍ଷ୍ୟ ନେଇ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସରକାର ବିଭିନ୍ନ ବ୍ଲକକୁ କୋଟି କୋଟି ଟଙ୍କା ଯୋଗାଇ ଆସୁଥିବା ଦେଖିବାକୁ ମିଳୁଛି । କିନ୍ତୁ ବିଭିନ୍ନ ବ୍ଲକରେ କିଛି କର୍ମଚାରୀ ଓ ଜନପ୍ରତିନିଧିମାନଙ୍କ ଅସାଧୁ ମେଂଟ ଯୋଗୁଁ ଗ୍ରାମ ଉନ୍ନୟନ କାର୍ଯ୍ୟ ସଫଳରୁପେ କାର୍ଯ୍ୟକାରୀ ହେଇପାରୁନଥିବାବେଳେ ସାଧାରଣ ଦିନ ମଜୁରିଆ ଶ୍ରମିକ ଶ୍ରେଣୀୟ ଲୋକେ ରୋଜଗାର ହରେଇ ଦାଦନମୁହାଁ ହେଉଥିବା ନଜରକୁ ଆସୁଛି । କଳାହାଣ୍ଡି ଜିଲ୍ଲାର ଲାଂଜିଗଡ଼, ଗୋଲାମୁଣ୍ଡା, ଜୟପାଟଣା ବ୍ଲକମାନଙ୍କରୁ କିଛି ଦିନ ପୂର୍ବେ ଏମଜିଏନଇଜିଏସ୍ରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ଆସିଥିବାବେଳେ ବର୍ତ୍ତମାନ ମ.ରାମପୁର ବ୍ଲକରେ ମନରେଗା ଦୁର୍ନୀତିର ଗୁମର ଫିଟିବା ସାଧାରଣରେ ଉଦବେଗ ଜନକ ହେଇପଡ଼ିଛି ।
ସୂଚନା ଅନୁସାରେ ମ.ରାମପୁର ବ୍ଲକର ସାଲେପାଲି ଗ୍ରାମ ପଂଚାୟତରେ ମନରେଗା ଦୁର୍ନୀତିର ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଥିଲା, ଉନ୍ନୟନ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ଭୁକ୍ତ ମଧ୍ୟ ହୋଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଭଙ୍ଗୋମୁଣ୍ଡାଠାରୁ କାର୍ଣ୍ଣିମାଲ ରାସ୍ତା ଉନ୍ନୟନ କାର୍ଯ୍ୟରେ ଆସିଥିବା ଏମଜିଏନଆରଜିଏସର ପାଂଚ ଲକ୍ଷ ଟଙ୍କା ଅନୁଦାନ ରାଶିକୁ କୌଣସି କାର୍ଯ୍ୟନକରି ବିନା ସୂଚନା ଫଳକରେ ସିଧାସଳଖ ବ୍ଲକ କର୍ମଚାରୀ, ପଂଚାୟତ କର୍ମଚାରୀ ତଥା ଜନପ୍ରତିନିଧିଙ୍କ ଅସାଧୁ ମେଂଟରେ ଟଙ୍କା ଉଠାଇ ଆତ୍ମସାତ କରିଥିବାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି । ଉନ୍ନୟନ କାର୍ଯ୍ୟରେ ସୂଚନାଫଳକ ମଧ୍ୟ ଭଙ୍ଗୋମୁଣ୍ଡା କାର୍ଣ୍ଣିମାଲ ରାସ୍ତା ମଧ୍ୟରେ ଦେଖିବାକୁ ମିଳିନାହିଁ । ଏନେଇ କଳାହାଣ୍ଡି ଭିଜିଲାନ୍ସ ଦ୍ୱାରା ଗ୍ରାଉଣ୍ଡ ଜିରୋ ତଦନ୍ତ ଅବସ୍ଥାରେ ରହିଛି । ପରେ ଭିଜିଲାନ୍ସଠାରେ ଅଭିଯୋଗ ହେବାପରେ ଗତ ୨୬/୦୬/୨୦ରେ ଭିଜିଲାନ୍ସ ଟିମ୍ ସାଲେପାଲି ପଂଚାୟତକୁ ଆସି କିଛି ଅନୁସନ୍ଧାନ କରି କାମ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ଦୁର୍ନୀତିର କୌଣସି ଟେର ପାଇନଥିଲା ଏବଂ ଏହା ଉପରେ ତଦନ୍ତ ଜାରୀ ରଖିଛି । ଗତ ୧/୨/୨୦ ତାରିଖରେ ୫୮ଜଣ ଶ୍ରମିକଙ୍କ ନାମରେ ୯୯୬୩୨ଟଙ୍କା ଆକାଉଣ୍ଟରେ ପଡ଼ିଥିବାବେଳେ ଭେଣ୍ଡରଙ୍କ ଆକାଉଣ୍ଟକୁ ୩୨୩୫୭୪ଟଙ୍କା ଟ୍ରାନ୍ସଫର ହେଇଛି । ଏଠାରେ ତଦନ୍ତ ସାପେକ୍ଷ ଯେ ଯେଉଁ ୫୮ଜଣ ଶ୍ରମିକ କିଏ କେଉଁକାମ କରିଛନ୍ତି? ଯେଉଁ ଭେଣ୍ଡରଙ୍କ ନାମରେ ଟଙ୍କା ଟ୍ରାନ୍ସଫର ହେଇଛି ସେ କିଏ? ମ.ରାମପୁର ବ୍ଲକର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର କେତେ ଟଙ୍କା ଟ୍ରାନ୍ସଫର ହେଇଛି? ସେ ସରକାରଙ୍କୁ କେତେ ଟଙ୍କା ଜିଏସଟି ପଇଠ କରିଛନ୍ତି? ତାଙ୍କ ଆକାଉଣ୍ଟରୁ କାହା କାହା ପାଖକୁ ଟଙ୍କା କେଉଁ କେଉଁ ବାବଦକୁ ଟଙ୍କା ଟ୍ରାନ୍ସଫର ହେଇଛି ତଦନ୍ତ କରାଗଲେ ଅନେକ ଗୂଢ ରହସ୍ୟ ଲୋକଲୋଚନକୁ ଆସିବ । ଏହି ଘୋଟାଲାରେ ସଂପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କ ସ୍ଥାବର ଅସ୍ଥାବର ସଂପତ୍ତି ମଧ୍ୟ ତଦନ୍ତ ସାପେକ୍ଷ ।
ସୂଚନାଫଳକ କାହିଁକି ଲଗାଯାଇନାହିଁ ବୋଲି ପଚାରିବାରୁ ସେ କହିଥିଲେ କାମ ଆରମ୍ଭରୁ ଲଗାଯାଇଥିଲା କିନ୍ତୁ ତାକୁ ଅନ୍ୟଲୋକେ ଭାଙ୍ଗିଦେଇଛନ୍ତି ବୋଲି ସଫେଇ ଦେଇଥିଲେ। ସେହି କାମକୁ ଦେଖିବାକୁ ଯାଇଥିବାବେଳେ କୌଣସିଠାରେ ସୂଚନାଫଳକ କି ସୂଚନାଫଳକର ଭଗ୍ନାବଶେଷ ମଧ୍ୟ ନଥିଲା । ଖାଲି ସେତିକିନୁହେଁ ଯେଉଁ ପୋଖରୀକୁ ପଶୁ ମଧ୍ୟ ପିଇବାକୁ କି ଗାଧେଇବାକୁ ଘୃଣା କରିବ ସେହି ପୋଖରୀରେ କାହା ସ୍ୱାର୍ଥରେ ତିନି ତିନୋଟି ଗାଧୁଆ ତୁଠ କରାଯାଇଛି, ଯାହା ଅର୍ଥ ହଡ଼ପର ଆଉ ଏକ ଜ୍ୱଳନ୍ତ ଉଦାହରଣ । ତେବେ ଏଭଳି ସ୍ଥିତରେ ଭିଜିଲାନ୍ସ ତଦନ୍ତପରେ କେସଟି ବିଚାରାଧୀନ ଥିବାବେଳେ ସ୍ଥାନୀୟ ଗ୍ରାମବାସୀ ସରକାରୀ ଅର୍ଥ ହରିଲୁଟ ଅଭିଯୋଗରେ ସଂଶ୍ଲୀଷ୍ଟ ଥିବା ସମସ୍ତ ସରକାରୀ କର୍ମଚାରୀ ତଥା ଜନପ୍ରତିନିଧିଙ୍କ ବିରୋଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବୀ କରିଛନ୍ତି । କିନ୍ତୁ ଏହି ମହାଦୁର୍ନୀତିକୁ ପରଦା ଘୋଡାଇବା ପାଇଁ ବିଡ଼ିଓଙ୍କଠୁ ଆରମ୍ଭ କରି ଜିଆରଏସ ପଯ୍ୟଁନ୍ତ ଜୋରଦାର ପ୍ରୟାସ ଜାରୀ ରଖି୍ଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ଏପଟେ ଗୋଟାଏ ଦୁର୍ନୀତିର ସରଜମିନ ତଦନ୍ତ ଚାଲିଥିବାବେଳେ ଅନ୍ୟଏକ ମହାଦୁର୍ନୀତିର ଅଭିଯୋଗ ହସ୍ତଗତ ହେଇଛି ମ.ରାମପୁର ବ୍ଲକ ଉର୍ଲାନାଦୀ ପଂଚାୟତର ଉର୍ଲଦାନୀଠାରୁ ଗାଦାଡ଼ିଗାଁ ରାସ୍ତା ଉନ୍ନୟନ କାର୍ଯ୍ୟରେ ।
ଉର୍ଲାଦାନୀ ନାଗଝିରି ପ୍ରଧାନମନ୍ତ୍ରୀ ସଡ଼କ ଠାରୁ ଗାଦାଡ଼ି ଗ୍ରାମକୁ ସଂଯୋଗ କରୁଥିବା ଜଙ୍ଗଲୀ ପାଦଚଲା ରାସ୍ତାର ଉନ୍ନତିକରଣ ସକାଶେ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଥମ ପର୍ଯ୍ୟାୟରେ ମାଟିକାମ ପାଇଁ ପାଂଚଲକ୍ଷ ଟଙ୍କା ଅନୁଦାନ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ମୁରୁମ, ମେଟାଲିଂଙ୍ଗ ପାଇଁ ଅନ୍ୟଏକ ପାଂଚଲକ୍ଷ ଟଙ୍କାର ଅନୁଦାନ ହେଇଥିଲା । ଗତ ବର୍ଷ ଅକ୍ଟୋବର ମାସରୁ ଗାଦାଡ଼ି ଗ୍ରାମବାସୀଙ୍କୁ ଶ୍ରମିକ ଭାବେ ନିୟୋଜିତ କରି ଶ୍ରମିକ ଓ ଜେସିବି ମେସିନ ସାହାଯ୍ୟରେ ଆବଶ୍ୟକ ମୁତାବକ ମାଟି ପକାଇ ରାସ୍ତାକୁ ସମତୁଲ କରାଯାଇଥିଲା ଏହି କାର୍ଯ୍ୟରେ ୨୦ରୁ ଉର୍ଦ୍ଧ୍ୱ ସ୍ଥାନୀୟ ଶ୍ରମଜୀବିଙ୍କୁ ନିୟୋଜିତ କରାଯାଇଥିଲା । କାର୍ଯ୍ୟସାରି ଚାରିମାସରୁ ଉର୍ଦ୍ଧ୍ୱ ସମୟ ହେବାକୁ ଯାଉଛି ଏପର୍ଯ୍ୟନ୍ତ ପାରିଶ୍ରମିକ ବାବଦକୁ କୌଣସି ଅର୍ଥ ଶ୍ରମିକମାନଙ୍କୁ ମିଳିନଥିବା ବେଳେ ମାଟିକାମ ଓ ମୁରମ ମେଟାଲିଂ କରଣ ବାବଦକୁ ଆସିଥିବା ଅର୍ଥରାଶି କାର୍ଯ୍ୟନିର୍ବାହୀ କନିଷ୍ଠଯନ୍ତ୍ରୀଙ୍କ ନାମରେ ଟଙ୍କା ଉଠାଯାଇ ଆତ୍ମସାତ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ ହେଉଛି ।
କରୋନା ଭଳି ମହାମାରୀ ସ୍ଥିତରେ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ବ୍ୟାପକରୂପେ ପ୍ରଭାବିତ ହେଇଥିବାବେଳେ ମ.ରାମପୁର ବ୍ଲକରେ ଅସାଧୁ କର୍ମଚାରୀଙ୍କ ଅସାଧୁମେଂଟ କାରଣରୁ ଶ୍ରମଜୀବିମାନେ ଶ୍ରମ କରି ନିଜ ପାରିଶ୍ରମିକ ପାଇବାରୁ ବଂଚିତ ହେଇରହିବା ଅତି ଦୁର୍ଭାଗ୍ୟ ଜନକ ବୋଲି ସାଧାରଣରେ ଚର୍ଚ୍ଚା ହଉଛି । ଏପଟେ ସ୍ଥାନୀୟ ବିଡ଼ିଓ ରୁମାନା ଜାଫ୍ରି ସମସ୍ତ ଉନ୍ନୟନ କାର୍ଯ୍ୟାର ପ୍ରତ୍ୟକ୍ଷ ଭାବେ ତଦାରଖ କରୁଥିବା କଥା କହୁଥିବା ବେଳେ ବ୍ଲକର ବିଭିନ୍ନ ପଂଚାୟତର ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନିତୀ ହେଉଥିବାର ଗୁମର ଧୀରେ ଧୀରେ ସାମ୍ନାକୁ ଆସୁଛି । ଏନେଇ ବୁଦ୍ଧିଜୀବି ମହଲରେ ଉଦବେଗ ପ୍ରକାଶ ପାଇବା ସହିତ ବିଡ଼ିଓ ତଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସ୍ୱଚ୍ଛତା କାର୍ଯ୍ୟଦକ୍ଷତା ଓ ଅଭିଯୋଗ ପରେ ବି ନିଦା ବିଷ୍ଣୁ ସାଜିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏଣୁ ୧୯ଗୋଟି ଗ୍ରାମ ପଂଚାୟତରେ ମନରେଗା ଦ୍ୱାରା ହୋଇଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଭିଜିଲାନ୍ସ ତଦନ୍ତ ସାପେକ୍ଷ ବୋଲି ମଦନପୁରରାମପୁର ବିକାଶ ମଂଚର କର୍ମକର୍ତ୍ତା ଚିରାଗ ସିଂହଦେଓ, ସତ୍ୟ ସାହୁ,ତାପସ ମିଶ୍ର,ବିବେକ ସ୍ୱାଇଁ, ପାଣ୍ଡବ ମେହେର, ରାହୁଲ ପଟ୍ଟନାୟକ, ଦୀପକ ସାହୁ, ପ୍ରବୀଣ ଦୁବେ, ଅମରେଶ ଶତପଥୀ, ଅର୍ଣ୍ଣବ ସିଂହଦେଓ ପ୍ରମୁଖ ଦାବୀ କରିଛନ୍ତି ।