ଭୁବନେଶ୍ୱର: ୧୪ ଦଫା ଦାବି ନେଇ ଆଜି ଓଡ଼ିଶା ମହାତ୍ମାଗାନ୍ଧୀ ନରେଗା କର୍ମଚାରୀ ମହାସଂଘ ପକ୍ଷରୁ ଲୋୟର ପିଏମ୍ଜିରେ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା। ସଭାପତି ଜାହ୍ନବୀ ଦାଶ ଓ ସଂପାଦକ ମାନସ ରଂଜନ କରଙ୍କ ନେତୃତ୍ୱରେ ଶତାଧିକ କର୍ମଚାରୀ ରେଳ ଷ୍ଟେସନରୁ ଏକ ଶୋଭାଯାତ୍ରାରେ ବାହାରି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କର୍ମଚାରୀମାନେ ମାଷ୍ଟର କ୍ୟାଣ୍ଟିନ୍ ଛକ ଅବରୋଧ କରିଥିଲେ। ଯାହାଫଳରେ ଗାଡ଼ି ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା।
ମହାସଂଘର ଦାବି ଅନୁଯାୟୀ, ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗରେ କାର୍ଯ୍ୟରତ ସମସ୍ତ ମହତ୍ମାଗାନ୍ଧୀ ନରେଗା କର୍ମଚାରୀଙ୍କୁ କ୍ୟାଡରଭୁକ୍ତ କରାଯାଉ। ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ ସମାନ କାମକୁ ସମାନ ଦରମା ପ୍ରଦାନ, ସରକାରଙ୍କ ଦ୍ୱାରା ନିର୍ଧାରିତ ନିୟମ ଅନୁଯାୟୀ ସମସ୍ତ କର୍ମଚାରୀଙ୍କୁ ୬ବର୍ଷରେ ନିୟମିତ କରାଯାଉ। ଜିଲ୍ଳାରେ ଖୋଲିଥିବା ପିଇଓ ପଦବିରେ ଶତ ପ୍ରତିଶତ ଗ୍ରାମ ରୋଜଗାର ସେବକଙ୍କୁ ପଦୋନ୍ନତି ଦେବା ସହିତ ସର୍ବନିମ୍ନ ମାସିକ ଦରମା ୧୮ହଜାର ଟଙ୍କା କରାଯାଉ। ଜିପିଟିଏଙ୍କ ପଦ ଉଚ୍ଛେଦ କରି ଜେଇ ପଦରେ ନାମିତ କରିବା ସହିତ ୬ବର୍ଷ ପୂରଣ କରିଥିବା ଜିପିଟିଏ ଓ ଆରଜିପିଏସ୍ଏଙ୍କ ପଦଚ୍ୟୁତ ସମୟକୁ ଯୋଡ଼ି କନିଷ୍ଠ ଯନ୍ତ୍ରୀ ପଦବିରେ ତୁରନ୍ତ ନିଯୁକ୍ତି ଦିଆଯାଉ। ସବୁ ବ୍ଲକ୍ରେ କାର୍ଯ୍ୟରତ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ଖାଲି ଥିବା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଭାବେ ପଦୋନ୍ନତି ଦିଆଯାଉ। ଅନ୍ୟ ବିଭାଗରେ ଖାଲିଥିବା ସମାନ ପଦବିରେ ୫୦ପ୍ରତିଶତ ପଦବିରେ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀଙ୍କ ପାଇଁ ସ୍ଥାନ ସଂରକ୍ଷିତ କରାଯାଉ। ଜିଲ୍ଲାରେ କାର୍ଯ୍ୟରତ ନରେଗା ଜିଲ୍ଲା ସଂଯୋଜକଙ୍କୁ ଜିଲ୍ଲାସ୍ତରୀୟ ନିୟମିତ ଅଧିକାରୀ ପଦବିରେ ନିଯୁକ୍ତି ଦିଆଯାଉ। ଅତିରିକ୍ତ କମ୍ପ୍ୟୁଟର ପ୍ରୋଗ୍ରାମର କର୍ମଚାରୀଙ୍କୁ ଆଉଟସୋର୍ସିଂ ନିଯୁକ୍ତିକୁ ବାତିଲ କରି ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା ଭଳି ଦାବିକୁ ମହାସଂଘ ପକ୍ଷରୁ ଜୋର ଦିଆଯାଇଥିଲା।
ଯଦି ରାଜ୍ୟ ସରକାର ମହାସଂଘର ଦାବି ପୂରଣ ପାଇଁ ଆସନ୍ତା ୭ ଦିନ ମଧ୍ୟରେ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି। ବିକ୍ଷୋଭରେ ଗୋପାଳ ପଣ୍ଡା, ମଧୁସ୍ମିତା ବିଶ୍ୱାଳ, ମାନସ ରଂଜନ ଦାଶ, ବିକାଶ ରଂଜନ ପରିଡ଼ା, ନିରଞ୍ଜନ ମହାରଣା, ସରିତ କୁମାର ସାହୁ, ଛବିରାଣୀ ଶର୍ମା, ସିକ୍ତା ମହାନ୍ତି, ଏଲିନା ସଂଗ୍ରାମ ସିଂ ଓ ତେଜସ୍ୱିନୀ ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ।
ଓଡ଼ିଶା ମହାତ୍ମା ଗାନ୍ଧୀ ନରେଗା କର୍ମଚାରୀ ମହାସଂଘର ବିଶାଳ ସମାବେଶ
/sambad/media/post_attachments/wp-content/uploads/2017/10/z.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)