ଗଞ୍ଜାମରେ ମନରେଗାରେ ପୁଣି ପୁରୁଣା ବେମାରୀ : ବନ୍ଧ, ନାଳ ପୁନରୁଦ୍ଧାର କାମରେ ମଣିଷ ବଦଳରେ ମେସିନ୍‌!

ତଦନ୍ତ ପରେ ସ୍ପଷ୍ଟ ହେବ: ବିଡିଓ

ବ୍ରହ୍ମପୁର : କରୋନା ଜନିତ ଲକ୍‌ଡ଼ାଉନ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକା ବିପଦକୁ ଚାଲିଆସିଛି। ସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ପ୍ରବାସୀ ଫେରିଲେ, ସେମାନଙ୍କ ହାତକୁ କାମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନରେଗା ଉପରେ ଗୁରୁତ୍ବ ଦେଇଛନ୍ତି। କେନ୍ଦ୍ର ସରକାର ବି ଏହି କ୍ଷେତ୍ରକୁ ସର୍ବାଧିକ ପ୍ରାଥମିକତା ଦେଇ ମଜୁରୀ ବୃଦ୍ଧି କରିଛନ୍ତି। ହେଲେ ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି ଗଞ୍ଜାମ ଜିଲ୍ଲାର ଗୋଟିଏ ଚିତ୍ର ସୂଚାଇ ଦେଉଛି, ସରକାରଙ୍କ କଥାକୁ ପ୍ରଶାସନ ଖାତିର କରିନି। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପୁଣି ସେହି ପୁରୁଣା ବେମାରୀ ବାହାରିଛି। ମେସିନ୍ କାମ କରୁଥିବା ନେଇ ଅଭିଯୋଗ ଆସିଲାଣି। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍‌ ହାତୀଓଟ ପଞ୍ଚାୟତର ଦୁଇଗୋଚ୍ଛିଆ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ମନରେଗାରେ ଚାଲିଛି। ତେବେ ସେଠାରେ ମଣିଷ ନୁହେଁ, ମେସିନ୍‌ କାମ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ମିଳିଲା ପରେ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିଛି ସତ, କିନ୍ତୁ ଏଯାଏ ଠୋସ୍ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀର ଶେରଗଡ଼ ବ୍ଲକ୍‌, ପାତ୍ରପୁର ବ୍ଲକ୍‌ରୁ ମଧ୍ୟ ନାଳ, ବନ୍ଧ ପୁନରୁଦ୍ଧାର କାମରେ ଅନୁରୂପ ଗୁରୁତର ଅଭିଯୋଗ ଆସିଥିଲା। ଏହାର ବିଭାଗୀୟ ତଦନ୍ତ ହୋଇଥିଲା। ଅଥଚ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହଁ, ଏହା ମାଫିଆ ଗୋଷ୍ଠୀଙ୍କୁ ଉତ୍ସାହିତ କରିଛି।

ଖବର ଅନୁସାରେ, ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍‌ ହାତୀଓଟ ପଞ୍ଚାୟତରେ ୧୨୭୨ଟି ଜବ୍‌କାର୍ଡ଼ ଇସ୍ୟୁ କରାଯାଇଛି। ୩୭୭୧ଜଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ଅଥଚ ୭୧୪ଟି ଜବ୍‌କାର୍ଡ଼ ସକ୍ରିୟ ରହିଛି ଓ ୮୪୭ଜଣ ଶ୍ରମିକ ମନରେଗା ମାଧ୍ୟମରେ କାମ କରୁଥିବା ସରକାରୀ ତଥ୍ୟ କହୁଛି। ହାତୀଓଟ ଗ୍ରାମରେ ରହିଛି ଦୁଇଗୋଛିଆ ବନ୍ଧ। ମନରେଗା ଜରିଆରେ ଏହି ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି। କାର୍ଯ୍ୟାଦେଶ ସଂଖ୍ୟା ରହିଛି ୧୦୩୫୫୮୮୫। ଏହାର ପୁନରୁଦ୍ଧାର କାର୍ଯ୍ୟର ବ୍ୟୟ ଅଟକଳ ୧୦ଲକ୍ଷ ରହିଛି। ଲକ୍‌ଡାଉନ୍‌ କଟକଣା କୋହଳ ପରେ ଆରମ୍ଭ ହୋଇଥିବା ଏହି ପୁନରୁଦ୍ଧାର କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରକଳ୍ପ ନିକଟରେ ସୂଚନା ଫଳକ ଲଗାଯାଇଛି। ସୂଚନା ଫଳକରେ କାର୍ଯ୍ୟାଦେଶ ସଂଖ୍ୟା ଉଲ୍ଲେଖ ରହିଥିବା ବେଳେ କାର୍ଯ୍ୟାରମ୍ଭ ତାରିଖ କିନ୍ତୁ ଲେଖା ଯାଇନାହିଁ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମନରେଗା କାର୍ଯ୍ୟରେ ଟ୍ରାକ୍ଟର, ଜେସିବି ଆଦି କୌଣସି ମେସିନ୍‌ ବ୍ୟବହାର ହୋଇପାରିବ ନାହିଁ। କେବଳ ଶ୍ରମିକମାନେ କାର୍ଯ୍ୟ କରିବେ ବୋଲି ନିୟମ ରହିଛି। କିନ୍ତୁ ଉକ୍ତ ପୋଖରୀ ପୁନରୁଦ୍ଧାର କାର୍ଯ୍ୟରେ ଟ୍ରାକ୍ଟର ଓ ଜେସିବି ଦ୍ବାରା କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ମନରେଗା ନିୟମାବଳୀର ସମ୍ପୂର୍ଣ୍ଣ ଉଲ୍ଲଂଘନ କରି ଏହି କାର୍ଯ୍ୟ କରା ଯାଉଥିବା ଘୁମୁସର ବିଜେପି ସାଂଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ପୋଲସରା ବିଡିଓ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୋଲସରା ବିଡିଓ ଶମ୍ଭୁନାଥ ନନ୍ଦୀଙ୍କୁ ପଚାରିବାରୁ ସେ ଅଭିଯୋଗ ପାଇଥିବା କହିଛନ୍ତି। କିନ୍ତୁ କରୋନା ମୁକାବିଲା କାର୍ଯ୍ୟରେ ବ୍ୟସ୍ତ ଥିବାରୁ କଣ ହୋଇଛି ଜାଣିନ ନ ଥିବା ପ୍ରକାଶ କରିଛନ୍ତି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା ମିଳି ପାରି ନ ଥିଲେ ହେଁ ସେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଶେରଗଡ଼ ବ୍ଲକ୍ ପିତଳ ପଞ୍ଚାୟତ ପାକିଡ଼ି ତେଲିବନ୍ଧରେ ମନ‌ରେଗା ଯୋଜନାରେ ମେସିନ୍ ଯୋଗେ କାମ ହେଉଥିବା ଅଭିଯୋଗ ହୋଇଥିଲା। ଗ୍ରାମବାସୀଙ୍କ ଅଭିଯୋଗ ପରେ ବ୍ଲକ୍ କନିଷ୍ଠ ଯନ୍ତ୍ରୀ ପବିତ୍ରମୋହନ ପଟ୍ଟନାୟକ ସେଠାରେ ତଦାରଖ ପାଇଁ ପହଞ୍ଚିଥିଲେ। ତଦନ୍ତ ପ‌ରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ସୂଚନା ଦେଇଥିଲେ। ସେଭଳି ପାତ୍ରପୁର ବ୍ଲକ୍‌ ତଣ୍ଡିପୁର ପଂଚାୟତରେ ମନରେଗା କାର୍ଯ୍ୟରେ କାର୍ଯ୍ୟରେ ଦୁର୍ନୀତି ଅଭି‌ଯୋଗ ଆସିଛି। ସାହାସପୁର ଗୁଡ଼ିଆଘାଇ ନାଳର ଉନ୍ନତୀକରଣ ପାଇଁ ଦଶ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଯେଉଁଥିରେ ୮ ଲକ୍ଷ ଟଙ୍କା ଶ୍ରମିକଙ୍କ ମଜୁରୀ ପାଇଁ ରଖା ଯାଇଥିବା ବେଳେ ଆଉ ଦୁଇଲକ୍ଷ ବାଲି, ଗୋଡ଼ି ଆଦି ସାମଗ୍ରୀ ପାଇଁ ରହିଥିଲା। ହେଲେ କମ୍ ଶ୍ରମିକ ଲଗାଇ ପ୍ରଥମେ କାମ କରି ଅଧିକ ଶ୍ରମିକ କାମ କରିଥିବା ଭଳି କାମଜପତ୍ର କରି ଟଙ୍କା ହରିଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏଠାରେ ନିର୍ମାଣ କାର୍ଯ୍ୟ ପାଇଁ ଆସିଥିବା ବାଲି, ଗୋଡ଼ି ଅନ୍ୟ କାମରେ ବ୍ୟବହାର କରା ଯାଉଥିବା ଅଭିଯୋଗ ମଧ୍ୟ ହୋଇଛି। ଫଳକ ଲାଗିଛି କିନ୍ତୁ ସେଥିରେ କାର୍ଯ୍ୟର କୋଡ଼୍‌ ନମ୍ବର, କାର୍ଯ୍ୟ ଆରମ୍ଭ ତାରିଖ ନାହିଁ। ଏହି ନାଳରେ ଦୁଇ ସପ୍ତାହ କାମ ହୋଇଥିବା ବେଳେ ଗୋଟିଏ ସପ୍ତାହରେ ଜଣେ ଏବଂ ଆଉ ଗୋଟିଏ ସପ୍ତାହରେ ଦୁଇଜଣ କାମ କରିଥିବା ଜଣାପଡ଼ିଛି। ଏ ନେଇ ଜିଆର୍‌ଏସ୍‌ଙ୍କଠାରୁ ଆରମ୍ଭ କରି କନିଷ୍ଠ ଯନ୍ତ୍ରୀ, ପଂଚାୟତ ନିର୍ବାହୀ ଅଧିକାରୀ, ଏପିଓଙ୍କ ପର୍ଯ୍ୟନ୍ତ କାହାରି ପାଖରେ ତଥ୍ୟ ନାହିଁ। ମଷ୍ଟର୍‌ରୋଲ୍‌ରେ ଅଧିକ ଶ୍ରମିକ କାମ କରିଥିବା ଦର୍ଶାଯାଇ ଟଙ୍କା ଆତ୍ମସାତ୍ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର