ପାତ୍ରପୁର : ମନରେଗା ଯୋଜନା କାର୍ଯ୍ୟକାରିତାରେ ସାରା ରାଜ୍ୟରେ ଗଞ୍ଜାମ ଜିଲ୍ଲା ୧ ନମ୍ବର ସ୍ଥାନରେ ରହିଥିବା ବେଳେ ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ଏଥିପାଇଁ ବିଭିନ୍ନ ମହଲରୁ ଅଧିକାରୀମାନେ ପ୍ରଶଂସା ସାଉଁଟୁଛନ୍ତି। କିନ୍ତୁ ଏଠାରେ ଦୁର୍ନୀତିର ଫର୍ଦ୍ଦ ବି ବେଶ୍ ଲମ୍ବା। ଯେତେ ଖୋଜିଲେ ସେତେ ବାହାରୁଛି। କେମିତି ଲୋକଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ମନରେଗା ଯୋଜନାରେ ଅଭିନବ ଢଙ୍ଗରେ ଦୁର୍ନୀତି ଚାଲିଛି ତା’ର ଜ୍ବଳନ୍ତ ପ୍ରମାଣ ମିଳିଛି ପାତ୍ରପୁର ବ୍ଲକ୍‌ରେ। ଜୟନ୍ତୀପୁର ପଞ୍ଚାୟତ ବୋରିବାଡ଼ ଓ ଜୟନ୍ତୀପୁର ଗ୍ରାମରେ ବର୍ଷାଦିନରେ ମଧ୍ୟ ବିଭିନ୍ନ ବନ୍ଧର ପୁନରୁଦ୍ଧାର କାମ ଚାଲିଥିବା ଦର୍ଶାଇ ଲକ୍ଷାଧିକ ଟଙ୍କା ହରିଲୁଟ୍ ହେଉଛି।‌ କେବଳ ଏତିକି ନୁହେଁ, ଜଣେ ମୃତକ ମହିଳାଙ୍କ ଆକାଉଣ୍ଟ୍‌ ଓ ଦୁବାଇରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟ୍‌କୁ ବି ଟଙ୍କା ଯାଇଥିବା ଜଣାପଡ଼ିଛି। ଏଭଳି ଭାବେ ଲକ୍ଷାଧିକ ଟଙ୍କା ହଡ଼ପ ହେଉଥିବା ଅଭିଯୋଗ ଆଣି ବ୍ଲକ୍ ବିଜେଡି ସଭାପତି ଜେ.ଧର୍ମାରାଓ ବିଡିଓଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବିଡିଓ ପ୍ରକାଶ କୁମାର ଦାଶ ସୂଚନା ଦେଇଛନ୍ତି।
ଅଭିଯୋଗ ଅନୁସାରେ, ଗତ ତିନିମାସ ଧରି ବିଭିନ୍ନ ସମୟରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଥିବାରୁ ସମସ୍ତ ପୋଖରୀ ଓ ନାଳ ଭର୍ତ୍ତି ହୋଇ ରହିଛି। କିନ୍ତୁ ଏହାମଧ୍ୟରେ ଜୟନ୍ତୀପୁର ପଞ୍ଚାୟତରେ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ସହ ଜବ୍‌କାର୍ଡ଼ଧାରୀଙ୍କୁ ନିୟୋଜିତ କରାଯାଇଥିବା ଦର୍ଶାଯାଇଛି। ଜୟନ୍ତୀପୁର ଗ୍ରାମ ବ୍ରାହ୍ମଣ ବନ୍ଧ, ହାତୀଆ ବନ୍ଧ, ଟୁମୁକା ବନ୍ଧ, ଉପରବାଟିଆ ଓ ତଳବାଟିଆ ଏବଂ ବୋରିବାଡ଼ ଗ୍ରାମରେ ବୋରିବାଡ ବିନ୍ଧାଣି ଘାଇ, ବୋରିବାଡ ଘାଇ ଓ ପୁରୁଣାନୂଆ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ସରକାରୀ ରେକର୍ଡ଼ କହୁଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସମସ୍ତ ପୋଖରୀରେ ପାଣି ଭରି ହୋଇ ରହିଥିବା ଦେଖିବାକୁ ମିଳିଛି।

Advertisment

publive-image

ସେହିଭଳି ପୁରୁଣାନୂଆ ପୋଖରୀ କାମ ପାଇଁ ଗତ ଅଗଷ୍ଟ ୧୫ ତାରିଖରୁ ଗତ ମାସ ୨୭ ତାରିଖରେ ମଷ୍ଟରରୋଲ୍ ବାହାର କରି ବିଲ୍ କରାଯାଇଛି। ବୋରିବାଡ ଘାଇ କାମରେ ଗତ ଅଗଷ୍ଟ ୧୫ ତାରିଖରୁ ଅଗଷ୍ଟ ୨୧ ତାରିଖ ମଧ୍ୟରେ ମଷ୍ଟରରୋଲ୍ ବାହାର କରି ବିଲ୍ କରାଯାଇଥିବା ସହ ଜୟନ୍ତୀପୁର ଗ୍ରାମରେ ହାତୀଆ ବନ୍ଧରେ କୌଣସି ମଧ୍ୟ କାର୍ଯ୍ୟ ହୋଇନି। କିନ୍ତୁ ୧୧ ଦିନର କାମ ହୋଇଥିବା ଦର୍ଶାଇ ବିଲ୍ କରାଯାଇଛି। ବ୍ରାହ୍ମଣବନ୍ଧ କାମ ପାଇଁ ଗତମାସ ୧୦ ତାରିଖରୁ ଗତମାସ ୨୩ ତାରିଖ ପର୍ଯ୍ୟନ୍ତ ମଷ୍ଟରରୋଲ୍ ବାହାର କରି ବିଲ୍ କରାଯାଇଛି। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ପୁନରୁଦ୍ଧାର କାମ ଇଞ୍ଚେ ବି ଆଗେଇ ନାହିଁ।

କେବଳ ଏତିକି ନୁହେଁ, ବୋରିବାଡ଼ ଘାଇର ପୁନରୁଦ୍ଧାର କାମରେ ଜଣେ ମୃତକ ମହିଳା ହିତାଧିକାରୀଙ୍କ ଆକାଉଣ୍ଟ୍‌କୁ ଟଙ୍କା ଯାଇଛି। ଇ.କୁନ୍ଦନା ସ୍ବାମୀ (ଜବ୍‌କାର୍ଡ଼ ନମ୍ବର ୧୩୭୬୨, ସ୍ବାମୀ ଇ.ଦୁର୍ଯ୍ୟୋଧନ)ଙ୍କ ତିନିବର୍ଷ ତଳେ ଦେହାନ୍ତ ହୋଇଥିଲା। କିନ୍ତୁ ଗତ ଏପ୍ରିଲ୍ ୨୮ ତାରିଖରେ (ମଷ୍ଟରରୋଲ୍ ସଂଖ୍ୟା ୫୨୭୪)ରେ ବୋରିବାଡ଼ ଘାଇ କାମରେ ସେ ନିୟୋଜିତ ହୋଇଥିବା ଦର୍ଶାଇ ୧୨୬୦ ଟଙ୍କାର ଏକ ବିଲ୍ ହୋଇଛି। ତାଙ୍କ ଆକାଉଣ୍ଟ୍‌କୁ ଟଙ୍କା ପଠାଯାଇଛି। ସେହିପରି ଇ.ଦୁର୍ଯ୍ୟୋଧନ ରେଡ୍ଡୀ ଦୁବାଇର ଏକ ଘରୋଇ କମ୍ପାନିରେ କାର୍ଯ୍ୟରତ ଅଛନ୍ତି। କିନ୍ତୁ ସେ ଗତମାସ ୨୭ ତାରିଖରୁ ଚଳିତମାସ ୩ ତାରିଖ ପର୍ଯ୍ୟନ୍ତ (ମଷ୍ଟରରୋଲ୍ ସଂଖ୍ୟା ୨୨୧୫୬) କାମ କରିଥିବା ଦର୍ଶାଇ ବିଲ୍ ହୋଇଛି।

କେବଳ ଏହି ଦୁଇ ପଞ୍ଚାୟତ ନୁହେଁ, ଅନେକ ପଞ୍ଚାୟତରେ ସେହିପରି ଅଳ୍ପ କିଛି ଜବ୍‌କାର୍ଡ଼ଧାରୀଙ୍କୁ କାମରେ ନିୟୋଜିତ କରି ଟଙ୍କାକୁ ହଡ଼ପ କରାଯାଇଛି। ନାମକୁ ମାତ୍ର କେବଳ ଶ୍ରମଦିବସ ସୃଷ୍ଟି ହେଉଛି। କିନ୍ତୁ କୌଣସି ପ୍ରକଳ୍ପ କାମ ହେଉନି। ଏହାପୂର୍ବରୁ ପାତ୍ରପୁର ବ୍ଲକ୍ ସଦରମହକୁମା ପଞ୍ଚାୟତ ତଥା ପାତ୍ରପୁର ଗ୍ରାମରେ।୨୦୨୦-୨୧ ଆର୍ଥିକ ବର୍ଷରେ ଯୋଜନାରେ ମାଧବବନ୍ଧ ପୋଖରୀର ପଙ୍କୋଦ୍ଧାର, ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟୀକରଣ ପାଇଁ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏଥିରୁ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ବି ପୋଖରୀର ଦୟନୀୟ ସ୍ଥିତି ସାମ୍ନାକୁ ଆସିଥିଲା। ଉଚ୍ଚସ୍ତରୀୟ ତଦନ୍ତ ହେଲେ ବହୁ ରହସ୍ୟ ପଦାକୁ ଆସିବ ବୋଲି ମତପ୍ରକାଶ ପାଇଛି।