କରୋନା ପରେ ଶିଶୁଙ୍କଠାରେ ଏମ୍‌ଆଇ ସିଣ୍ଡ୍ରୋମ୍‌

ରାଜଧାନୀରେ ଚିହ୍ନଟ ହେଲେଣି ବହୁ ସଂଖ୍ୟାରେ ସଂକ୍ରମିତ ଶିଶୁ, ଦ୍ବିତୀୟ ଲହର ପରେ ବଢ଼ୁଛି ମାମଲା

ଭୁବନେଶ୍ବର : ରାଜ୍ୟରେ ଦ୍ବିତୀୟ ଲହରରେ ବହୁ ସଂଖ୍ୟାରେ ୧୮ ବର୍ଷରୁ କମ୍ ବୟସର ପିଲା କରୋନାରେ ସଂକ୍ରମିତ ହେଉଛନ୍ତି। ପ୍ରତ୍ୟେକ ଦିନ ଏହି ସଂଖ୍ୟା ଶହେ ଉପରେ ରହୁଛି। ‌ତେବେ କରୋନାରେ ସଂକ୍ରମିତ ଶିଶୁମାନଙ୍କଠାରେ ପରବର୍ତ୍ତୀ ସମୟରେ ମଲ୍‌ଟି-ସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମ୍ ବା ଏମ୍‌ଆଇଏସ୍‌ ଭଳି ରୋଗ ଦେଖିବାକୁ ମିଳୁଛି। ଏମ୍‌ଆଇଏସ୍‌ ବୟସ୍କଙ୍କଠାରେ ଦେଖିବାକୁ ମିଳୁଥିଲେ ହେଁ ଏବେ ଶିଶୁମାନେ ଏଥିରେ ଆକ୍ରାନ୍ତ ହେ‌ବାରେ ଲାଗିଛନ୍ତି। ରାଜଧାନୀର କିଛି ଘରୋଇ ହସ୍ପିଟାଲର ଡାକ୍ତର ଶିଶୁମାନଙ୍କଠାରେ ଏଭଳି ରୋଗଙ୍କୁ ଠାବ କରିବାରେ ସକ୍ଷମ ହୋଇଛନ୍ତି। ତେବେ ଶୀଘ୍ର ରୋଗକୁ ଚିହ୍ନଟ କରା ନ ଗଲେ, ଏହା ଶିଶୁମାନଙ୍କଠାରେ ଘାତକ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ନଭେମ୍ବରରୁ ଜାନୁଆରି ଭିତରେ ରାଜଧାନୀର କିଛି ଶିଶୁରୋଗ ହସ୍ପିଟାଲରେ ଏମ୍‌ଆଇଏସ୍‌ରେ ଆକ୍ରାନ୍ତ ଶିଶୁଙ୍କୁ ଠାବ କରାଯାଇଥିଲା। ତେବେ କରୋନାର ଦ୍ବିତୀୟ ଲହରରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଶିଶୁରୋଗ ବିଶେଷଜ୍ଞଙ୍କ ମତରେ, କରୋନାରେ ସଂକ୍ରମିତ ହେଉଥିବା ଶିଶୁଙ୍କ ୬ ସପ୍ତାହ ପରେ ଏମ୍‌ଆଇଏସ୍‌ର ଲକ୍ଷଣ ଦେଖିବାକୁ ମିଳୁଛି। ବିଶେଷକରି ୮-୧୫ବର୍ଷ ବୟସର ଶିଶୁଙ୍କଠାରେ ଏହା ଅଧିକ ମାତ୍ରାରେ ନଜରକୁ ଆସୁଛି। ଏମ୍‌ଆଇଏସ୍‌ ଲକ୍ଷଣ ଥିବା ଶିଶୁଙ୍କଠାରେ ସାର୍ସ-କୋଭ-୨ର ଆଣ୍ଟିବଡି ରହୁଛି। ଯେଉଁ ଶିଶୁମାନଙ୍କର କୌଣସି ଲକ୍ଷଣ ବିନା ଉଚ୍ଚ ତାପମାତ୍ରାରେ ଜ୍ବର, କାଶ କିମ୍ବା ଯେଉଁ ଶିଶୁମାନଙ୍କ ପରିବାରରେ ଯଦି କେହି କରୋନାରେ ସଂକ୍ରମିତ ହୋଇଥା’ନ୍ତି ତାହାଲେ ଶିଶୁମାନଙ୍କଠାରେ ଏଭଳି ଲକ୍ଷଣ ଦେଖାଯିବା ସ୍ବାଭାବିକ। ତେବେ ଆବଶ୍ୟକ ପରୀକ୍ଷା ପରେ ହିଁ ଶିଶୁଟିଏ ଏମ୍‌ଆଇଏସ୍‌ରେ ସଂକ୍ରମିତ କି ନୁହେଁ, ତାହା ସ୍ପଷ୍ଟ ହୋଇପାରିବ।

ଏହାର ଲକ୍ଷଣ ସ୍ବରୂପ, ଶିଶୁମାନଙ୍କ ତଳିପେଟରେ ଯନ୍ତ୍ରଣା, ପତଳା ଝାଡ଼ା କିମ୍ବା ବାନ୍ତି ହୋଇଥାଏ। ତେବେ ଅନ୍ୟ କାରଣ ପାଇଁ ହେଉଥିବା ପତଳା ଝାଡ଼ା ତୁଳନାରେ ଏମ୍‌ଆଇଏସ୍‌ରେ ଆକ୍ରାନ୍ତ ଶିଶୁଙ୍କଠାରେ ଡିହାଇଡ୍ରେସନ୍‌ ଶୀଘ୍ର ହୋଇଥାଏ। ଫଳରେ ଶିଶୁମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତି କରିବା ଜରୁରୀ ହୋଇପଡ଼ିଥାଏ। ଏହି ରୋଗର ଉପଚାର ସମ୍ଭବ। ମାତ୍ର ଠିକ୍ ସମୟରେ ଏହାର ଚିହ୍ନଟ ହେବା ଜରୁରୀ। ପିତାମାତାମାନେ ଏମ୍‌ଆଇଏସ୍‌ର ଲକ୍ଷଣ ଉପରେ ନଜର ରଖିବା ଜରୁରୀ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି।

ସମ୍ ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଡା. ପ୍ରଦୀପ କୁମାର ଦେ କହିଛନ୍ତି, କରୋନାର ପ୍ରଥମ ଲହର ସମୟ‌ରେ ହୁଏତ ଅନେକ ଶିଶୁ ଏମ୍‌ଆଇଏସ୍‌ରେ ଆକ୍ରାନ୍ତ ହୋଇଥିବେ। ମାତ୍ର ସେତେବେଳେ ଏମ୍‌ଆଇଏସ୍‌କୁ ନେଇ ଲୋକମାନଙ୍କ ମଧ୍ୟରେ ଏତେଟା ସଚେତନତା ନ ଥିଲା। ହେଲେ ଦ୍ବିତୀୟ ଲହର ପରେ ବହୁ ସଂଖ୍ୟାରେ ଏମ୍‌ଆଇଏସ୍‌ର ଲକ୍ଷଣ ଥିବା ଶିଶୁ ହସ୍ପିଟାଲରେ ଭର୍ତି ହେଉଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଯଦି ଏହି ରୋଗ ଚିହ୍ନଟ ହୋଇଥାଏ, ତାହାଲେ ଆବଶ୍ୟକ ସାଧାରଣ ଚିକିତ୍ସା ଦିଆଯାଉଛି। ହସ୍ପିଟାଲରେ ଭର୍ତି ହୋଇଥିବା ଅନେକ ଶିଶୁ ମଧ୍ୟ ଭଲ ହୋଇଗଲେଣି। କିନ୍ତୁ ରୋଗ ଚିହ୍ନଟରେ ବିଳମ୍ବ ‌କିମ୍ବା ଶିଶୁଟି ଗୁରୁତର ଥିଲେ ଅନ୍ୟ ଚିକିତ୍ସା ପଦ୍ଧତି ଅବଲମ୍ବନ କରାଯାଉଛି। ଯଦିଓ ଏହା ସାମାନ୍ୟ ବ୍ୟୟବହୁଳ, ହେଲେ ଶିଶୁଙ୍କ ଜୀବନରକ୍ଷା କରିବାରେ ସହାୟକ ହୋଇପାରୁଛି ବୋଲି ଡା. ଦେ କହିଛନ୍ତି।

ନିକଟରେ କେନ୍ଦ୍ର ସରକାର ଏମ୍‌ଆଇଏସ୍‌ ଉପରେ ତୀକ୍ଷ୍‌ଣ ନଜର ରଖିବା ଲାଗି ସତର୍କ କରାଇଛନ୍ତି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମ୍‌ଆଇଏସ୍‌ରେ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା କରିବା ଲାଗି ଜିଲ୍ଲାମାନଙ୍କୁ ଚିଠି ଜାରି କରାଯାଇଛି। ଏଥିପାଇଁ ଜିଲ୍ଲାସ୍ତରରେ ଅଧିକ ସଂଖ୍ୟାରେ ଅକ୍ସିଜେନ୍ ଶଯ୍ୟା ବଢ଼ାଇବା ଲାଗି ଉଦ୍ୟମ କରାଯାଉଛି। କେନ୍ଦ୍ରୀୟ ଗାଇଡଲାଇନ୍ ଅନୁଯାୟୀ, ରାଜ୍ୟରେ ଶିଶୁରୋଗ ବିଶେଷଜ୍ଞମାନଙ୍କୁ ତାଲିମ ଦିଆଯାଉଛି। ଏମ୍‌ଆଇଏସ୍‌କୁ ଚିହ୍ନଟ କରିବା ଲାଗି ତାଲିମ୍‌ରେ ଗୁରୁତ୍ବ ଦିଆଯାଉଛି। ଫଳରେ ଏମ୍‌ଆଇଏସ୍‌ରେ ଆକ୍ରାନ୍ତ ଶିଶୁମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରିବ ବୋଲି ଡା. ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର