ଭୁବନେଶ୍ବର : କୃଷି ଋଣ ଏବଂ ଧାନପ୍ରାପ୍ୟ ଟଙ୍କା ଉଠାଣ ଏବଂ ଜମାରେ ଚାଷୀ କୌଣସି ଦୁର୍ଦ୍ଦଶାର ସମ୍ମୁଖୀନ ନହେଉ। ଏଥିପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ନିକଟରେ ଥିବା ସମସ୍ତ ପ୍ୟାକ୍ସରେ ମାଇକ୍ରୋ ଏଟିଏମ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ଘୋଷଣା କରାଯାଇଥିଲା।
ସମବାୟ ବ୍ୟାଙ୍କର ସୂଚନା ଅନୁସାରେ, ୨୦୧୯ ମସିହା ସୁଦ୍ଧା ରାଜ୍ୟରେ ଥିବା ସମସ୍ତ ୨୭୧୦ ପ୍ୟାକ୍ସରେ ମାଇକ୍ରୋ ଏଟିଏମ୍ ବ୍ୟବସ୍ଥା କରାଗଲା। କିନ୍ତୁ ୪ ବର୍ଷ ମଧ୍ୟରେ ନେଟ୍ୱର୍କ ନଥିବା ୪୫୪୯ଟି ଗାଁ ପ୍ୟାକ୍ସରେ ଏହା ଅଚଳ ହୋଇପଡ଼ିଛି। ସେହିପରି କମ୍ପ୍ୟୁଟରୀକରଣ ହୋଇ ନଥିବାରୁ ଅନେକ ପ୍ୟାକ୍ସ ସମ୍ପାଦକ ମାଇକ୍ରୋ ଏଟିଏମ୍ ମେସିନ୍ କାର୍ଯ୍ୟାଳୟକୁ ଫେରାଇ ଦେଇଥିବା କହିଛନ୍ତି। ଯେଉଁଠି ମେସିନ୍ କାମ କରୁଥିଲା, ବର୍ତ୍ତମାନ ସେଠି ମଧ୍ୟ ଯାନ୍ତ୍ରିକୀକରଣ ସମସ୍ୟା ଉତ୍ପନ୍ନ ହେଲାଣି। ଏହାକୁ ଦୃଷ୍ଟିରେ ରଖି ମାଇକ୍ରୋ ଏଟିଏମ୍ କାର୍ଯ୍ୟ କରୁନଥିବା ପ୍ୟାକ୍ସମାନଙ୍କ ସୂଚନା ଦେବା ପାଇଁ ରାଜ୍ୟ ସମବାୟ ବିଭାଗ ନିବନ୍ଧକ ସମବାୟ ବ୍ୟାଙ୍କକୁ ଚିଠି କରିଛନ୍ତି।
୪୫୪୯ ଗାଁର ଅପହଞ୍ଚ ନେଟୱାର୍କ, କମ୍ପ୍ୟୁଟରୀକରଣ ବାଧକ
ଦୈନିକ ୫ ଲକ୍ଷ କାରବାର: ସମବାୟ ବ୍ୟାଙ୍କ
ସମବାୟ ବ୍ୟାଙ୍କର ସୂଚନା ଅନୁସାରେ, ରାଜ୍ୟରେ ୨୭୧୦ ପ୍ୟାକ୍ସରେ ଥିବା ମାଇକ୍ରୋ ଏଟିଏମ୍ ଜରିଆରେ ଦୈନିକ ହାରାହାରି ୫ଲକ୍ଷ ଟଙ୍କାର କାରବାର ହୋଇଥାଏ। କେବଳ ଚଳିତ ବର୍ଷ ମାର୍ଚ୍ଚ ମାସରେ ୪୦ ଲକ୍ଷ ଉଠାଣ ଏବଂ ୨୮ ଲକ୍ଷ ଟଙ୍କାର ଜମା ହୋଇଛି। ପ୍ୟାକ୍ସସ୍ତରରେ ମାଇକ୍ରୋ ଏଟିଏମ୍ କାର୍ଯ୍ୟକ୍ଷମ ନେଇ ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି। ପୁରୀ ଜିଲ୍ଲା ପିପିଲି ପ୍ୟାକ୍ସରେ ମାଇକ୍ରୋ ଏଟିଏମ୍ ପାଇଁ କିଛି ବର୍ଷ ପୂର୍ବରୁ ମେସିନ ଆସିଥିଲା। ମାତ୍ର ସେତେବେଳେ ପ୍ୟାକ୍ସ କମ୍ପ୍ୟୁଟରୀକରଣ ହୋଇ ନଥିବାରୁ ମେସିନ୍ ଫେରାଇ ଦିଆଯାଇଥିଲା। ବର୍ତ୍ତମାନ ଏହି ପ୍ୟାକ୍ସ କମ୍ପୁଟରୀକରଣ ହୋଇଥିବାରୁ ମେସିନ୍ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ପ୍ୟାକ୍ସ ସମ୍ପାଦକ ଆଶା କରିଛନ୍ତି।
ଖୋର୍ଧା ଜିଲ୍ଲାର ଖୋର୍ଧା ପ୍ୟାକ୍ସରେ କମ୍ପୁଟରୀକରଣର ସମସ୍ୟା ନାହିଁ। ସେଠାରେ ଯେଉଁ ଏଟିଏମ୍ ଦିଆଯାଇଥିଲା, ତାହା ଠିକ୍ ନଥିଲା। ଚାଷୀମାନଙ୍କୁ ମିଳିଥିବା ଏଟିଏମ୍ରେ ବୈଷୟିକ ସମସ୍ୟା ଥିବା ନେଇ ଅଭିଯୋଗ ହୋଇଥିଲା। ତେଣୁ ଏହାକୁ ଫେରାଇ ଦିଆଯାଇଥିବା ପ୍ୟାକ୍ସ ସମ୍ପାଦକ ସୂଚନା ଦେଇଛନ୍ତି। ଏକ ବର୍ଷରୁ ଊର୍ଧ୍ବ ସମୟ ପରେ ବି ନୂତନ ଡିଭାଇସ ଆସିନାହିଁ। ଦେବଗଡ଼ ଜିଲ୍ଲାରେ ଥିବା ସମସ୍ତ ୨୯ଟି ପ୍ୟାକ୍ସରେ ମାଇକ୍ରୋ ଏଟିଏମ କାର୍ଯ୍ୟ କରୁନାହିଁ। ଏଠାରେ ଥିବା ଅଧିକାଂଶ ଗାଁରେ ମୋବାଇଲ ନେଟ୍ୱର୍କ ନାହିଁ। ଯେଉଁଠି ନେଟ୍ୱର୍କ ଅଛି, ତାହା ଠିକ୍ ଭାବେ କାମ କରୁନି। ତେଣୁ ସ୍ଥାନୀୟ ଚାଷୀ କୃଷି ଋଣ ଏବଂ ଧାନ ବିକ୍ରି ଟଙ୍କା ଉଠାଣ ଏବଂ ଜମା ନେଇ ପୂର୍ବରୁ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ, ବର୍ତ୍ତମାନ ମଧ୍ୟ ସେହି ସ୍ଥିତି ବଳବତ୍ତର ରହିଛି।
ସମ୍ବଲପୁରରେ ଥିବା ପ୍ୟାକ୍ସଗୁଡ଼ିକରେ ମାଇକ୍ରୋ ଏଟିଏମ୍ ଠିକ୍ ଭାବେ ଚାଲୁଛି ଏବଂ ଚାଷୀମାନେ ଏହାର ଲାଭ ନେଇଥିବା ସୂଚନା ଦେଇଛନ୍ତି ପ୍ୟାକ୍ସ ସମ୍ପାଦକ ନିତେଇ ସାହୁ। ସମସ୍ୟା ହେଉଛି ଯେ ଅନ୍ୟ ଏଟିଏମ୍ରେ ଟଙ୍କା ଉଠାଣ ଏବଂ ଜମା ବେଳେ ଯେଉଁଭଳି ମେସେଜ୍ ଏବଂ ଓଟିପି ଆସେ, ପ୍ୟାକ୍ସ ଏଟିଏମରେ ଏହା ହେଉନାହିଁ। ଏଥିଯୋଗୁଁ ଅନେକ ସମୟରେ ଚାଷୀଙ୍କ ଟଙ୍କା ଅନ୍ୟ କେହି ଉଠାଣର ଭୟ ଲାଗି ରହୁଛି। ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।
ଉଲ୍ଲେଖଥାଉକି, କୃଷି ଋଣ ଏବଂ ଧାନ ବିକ୍ରି ଟଙ୍କା ସିଧାସଳଖ ଚାଷୀଙ୍କ ହାତକୁ ଦିଆଯାଏ ନାହିଁ। ତାଙ୍କ ଜମାଖାତାରେ ଜମା ହୁଏ। ରାଜ୍ୟରେ ଥିବା ୪ହଜାରରୁ ଊର୍ଧ୍ବ ଗାଁରେ ବ୍ୟାଙ୍କ ନାହିଁ। ଏଥିଯୋଗୁଁ ଚାଷୀ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ନିଜ ଟଙ୍କା ପାଇଁ ଦୂର ଯାତ୍ରା କରିବାକୁ ପଡ଼େ। ଅନେକ ସମବାୟ ସମିତିରେ ମଧ୍ୟ ଚାଷୀଙ୍କ ଅଜ୍ଞତାର ଫାଇଦା ଉଠାଇ ତାଙ୍କ ଟଙ୍କା ମାରଣ କରି ଦିଆଯାଏ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ୟାକ୍ସରେ ମାଇକ୍ରୋ ଏଟିଏମ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ। । କୃଷି ସହ ଅନ୍ୟ ଜମା କିମ୍ବା ଭତ୍ତା ଟଙ୍କା ଉଠାଣ ମଧ୍ୟ ଚାଷୀମାନେ ଏହି ପ୍ୟାକ୍ସ ଏଟିଏମ୍ ଜରିଆରେ କରିପାରିବେ। ଏହି ଯୋଜନାକୁ ସରକାର ଠିକ୍ ଭାବେ କାର୍ଯ୍ୟକାରୀ କରି ନଥିବାରୁ ଚାଷୀଙ୍କ ପାଖକୁ ଏହାର ଲାଭ ପହଞ୍ଚି ପାରୁନାହିଁ। ଏହି ସମସ୍ୟା ସମାଧାନ ପାଇଁ ରାଜ୍ୟ ସମବାୟ ବିଭାଗ ଏବଂ ସମବାୟ ବ୍ୟାଙ୍କ ବିଭିନ୍ନ ସ୍ତରରେ ବୈଠକ କରିଛନ୍ତି। ଅପହଞ୍ଚ ଅଞ୍ଚଳରେ ନେଟ୍ୱାର୍କ ଟାୱାର ବ୍ୟବସ୍ଥା ପାଇଁ ସମବାୟ ବିଭାଗ ପକ୍ଷରୁ ବିଏସଏନ୍ଏଲ୍କୁ ପତ୍ର ଲେଖାଯାଇଛି। ରାଜ୍ୟରେ କମ୍ପୁଟରୀକରଣ ହୋଇନଥିବା ୧୧୦ ପ୍ୟାକ୍ସରେ କମ୍ପୁଟରୀକରଣ ପାଇଁ ପଦକ୍ଷେପ ଗ୍ରହଣ ହେଉଛି। ଆଗାମୀ ଦିନରେ ନୂତନ ୧୩୦୦ ପ୍ୟାକ୍ସରେ ମାଇକ୍ରୋ ଏଟିଏମ୍ ବ୍ୟବସ୍ଥା କାର୍ଯ୍ୟକାରୀର ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି ସମବାୟ ବ୍ୟାଙ୍କ ଅଧିକାରୀ।