ନୂଆ ୮୮୮ ଗାଁକୁ ପିଭିଟିଜି ଭାବେ ସ୍ବୀକୃତି

ଭୁବନେଶ୍ବର : ରାଜ୍ୟ ସରକାର ମାଇକ୍ରୋ ପ୍ରୋଜେକ୍ଟ ଅଞ୍ଚଳର ୮୮୮ଟି ଗ୍ରାମକୁ ଚିହ୍ନଟ କରି ଅତି ପ୍ରାଚୀନ ଜନଜାତି ସମ୍ପ୍ରଦାୟ (ପିଭିଟିଜି) ଭାବେ ସ୍ବୀକୃତି ପ୍ରଦାନ କରିଛନ୍ତି। ଏହା ବାଦ୍ ଢେଙ୍କାନାଳ, ଯାଜପୁର ଓ କେନ୍ଦୁଝରଠାରେ ତିନିଟି ନୂଆ ମାଇକ୍ରୋ ପ୍ରୋଜେକ୍ଟ ପ୍ରତିଷ୍ଠା କରାଯାଇଛି।

ଅନୁସୂଚିତ ଜନଜାତିଙ୍କ ମଧ୍ୟରେ ପ୍ରାଚୀନ ଜନଜାତି ଗୋଷ୍ଠୀ ଅନୁନ୍ନତ ଓ ଦୁର୍ବଳ ଅଟନ୍ତି। ଭାରତରେ ଚିହ୍ନଟ ହୋଇଥିବା ୭୫ଟି ପ୍ରାଚୀନ ଜନଜାତି ଗୋଷ୍ଠୀଙ୍କ ମଧ୍ୟରେ ୧୩ଟି ପିଭିଟିଜି ଓଡ଼ିଶାର ୧୨ଟି ଜିଲ୍ଲାରେ ବସବାସ କରିଥା’ନ୍ତି। ସେମାନଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ ପର୍ଯ୍ୟାୟ କ୍ରମେ ଓଡ଼ିଶାରେ ୧୭ଟି ମାଇକ୍ରୋ ପ୍ରୋଜେକ୍ଟ ଏଜେନ୍ସି ପ୍ରତିଷ୍ଠା କରାଯାଇଥିଲା। ସେଥିରେ ୫୪୧ଟି ଗ୍ରାମ/ବସତିର ୯୦ ହଜାର ପିଭିଟିଜି ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଦ୍ବାରା ଉପକୃତ ହେଉଛନ୍ତି। ଓଡ଼ିଶା ସରକାର ଆଉ ଅଧିକ ଏକ ଲକ୍ଷ ୫ ହଜାର ପିଭିଟିଜିକୁ ଚିହ୍ନଟ କରି ସ୍ବୀକୃତି ପ୍ରଦାନ କରିଛନ୍ତି। ୧୩ଟି ପିଭିଟିଜି ଗୋଷ୍ଠୀର ଜନଜାତିମାନେ ୧୧ଟି ଜିଲ୍ଲାର ୨୯ଟି ବ୍ଲକ୍‌ର ୧୬୦ଟି ଗ୍ରାମପଞ୍ଚାୟତର ୮୮୮ଟି ଗ୍ରାମ/ବସତିରେ ବସବାସ କରୁଛନ୍ତି। ସେହିପରି ତିନିଟି ପିଭିଟିଜି କମ୍ୟୁନିଟିର ୫୫ ହଜାର ଜଣ ତିନିଟି ଜିଲ୍ଲାର ୯ଟି ବ୍ଲକ୍‌ର ୭୬ଟି ଗ୍ରାମପଞ୍ଚାୟତର ୨୫୦ଟି ଗ୍ରାମରେ ବସବାସ କରୁଛନ୍ତି। ଏହି ତିନିଟି ପ୍ରାଚୀନ ଜନଜାତି ହେଉଛନ୍ତି ବୀରହୋର୍‌, ଜୁଆଙ୍ଗ ଓ ପାଉଡ଼ି ଭୂୟାଁ। ଏହି ତିନିଟି ଗୋଷ୍ଠୀଙ୍କ ପାଇଁ ରାଜ୍ୟରେ ତିନିଟି ନୂଆ ମାଇକ୍ରୋ ପ୍ରୋଜେକ୍ଟ ଏଜେନ୍ସି ପ୍ରତିଷ୍ଠା କରାଯାଇଛି। ପିଭିଟିଜି ଗ୍ରାମ ସ୍ବୀକୃତି ପାଇବା ସହିତ ନୂଆ ‌ମାଇକ୍ରୋ ପ୍ରୋଜେକ୍ଟ ଏଜେନ୍ସିି ଗଠିତ ହୋଇଥିବା ଅଞ୍ଚଳର ୧୩ଟି ପ୍ରାଚୀନ ଜନଜାତି ଗୋଷ୍ଠୀର ଏକ ଲକ୍ଷ ୬୦ ହଜାର ଜଣ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଦ୍ବାରା ଉପକୃତ ହୋଇପାରିବେବୋଲି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର