ମାଇକ୍ରୋ ଫାଇନାନ୍ସ ଚିଟ୍‌ଫଣ୍ଡ୍‌ ଠକେଇ: ମାଲିକ ଦୁର୍ଗା ମିଶ୍ରଙ୍କ ଘରେ ମହାରାଷ୍ଟ୍ର କ୍ରାଇମବ୍ରାଞ୍ଚ୍‌, ପୁଲିସର ଚଢ଼ଉ

ରାମଚନ୍ଦ୍ରପୁରରୁ ଏଜେଣ୍ଟକୁ ଉଠାଇଲା ଟିମ୍

ବ୍ରହ୍ମପୁର/ଭଞ୍ଜନଗର: ଏକ ପୁରୁଣା ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ମହାରାଷ୍ଟ୍ର ପୁଲିସ ଓ ପୁନେ କ୍ରାଇମବ୍ରାଞ୍ଚ୍ ଟିମ୍ ଆଜି ମାଇକ୍ରୋ ଫାଇନାନ୍ସ୍ କମ୍ପାନି ମାଲିକ ଦୁର୍ଗାପ୍ରସାଦ ମିଶ୍ରଙ୍କ ଭଞ୍ଜନଗର ସ୍ଥିତ ବାସଭବନରେ ଚଢ଼ଉ ଓ ତନାଘନା କରିଛନ୍ତି। ଏହାସହ ବ୍ରହ୍ମପୁରରେ ବି ତଦନ୍ତ କରିଥିବା ସହ ସଂପୃକ୍ତ ସଂସ୍ଥାର ଏଜେଣ୍ଟକୁ ଉଠାଇ ନେଇଥିବା ଜଣାପଡ଼ିଛି।

ପୁନେର ଚାଲିସ୍‌ଗାଁଓ ଥାନାରେ ମାଇକ୍ରୋ ଫାଇନାନ୍ସ କମ୍ପାନି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ନେଇ ଜମାକାରୀ ମାନେ ଅଭିଯୋଗ କରଥିଲେ। ଲିଜିଂ ଏବଂ ଫଣ୍ଡିଂ ନାମରେ ଲୋକଙ୍କ ଠାରୁ ବେଆଇନ ଭାବେ ଅର୍ଥ ସଂଗ୍ରହ ହୋଇଥିବା ଏତଲାରେ ଦର୍ଶାଯାଇଥିଲା। ଏହାକୁ ଆଧାର କରି ପୁନେ କ୍ରାଇମବ୍ରାଞ୍ଚ୍‌ ଡିଏସ୍‌ପି ଡି.ଜି.ଭାଗୱ‌େଙ୍କ ନେତୃତ୍ବରେ ମହାରାଷ୍ଟ୍ରର ଏକ ପୁଲିସ୍‌ ଟିମ୍‌ ଆଜି ଅପରାହ୍‌ଣରେ କମ୍ପାନିର ମାଲିକ ଶ୍ରୀ ମିଶ୍ରଙ୍କ ଭଞ୍ଜନଗର ନୂଆସାହିସ୍ଥିତ ବାସଭବନରେ ପହଞ୍ଚି ତଦନ୍ତ କରିଥିଲେ।

ହେଲେ ବହୁ ବର୍ଷ ହେଲା ଶ୍ରୀ ମିଶ୍ର ଓ ତାଙ୍କ ପରିବାରର କୌଣସି ସଦସ୍ୟ ଏଠାକୁ ଆସି ନଥିବା ନିୟୋଜିତ ଜଗୁଆଳି ଠାରୁ ସୂଚନା ପାଇଥିଲେ। ଉକ୍ତ ଜଗୁଆଳିକୁ ମଧ୍ୟ ଟିମ୍ ପଚରାଉଚରା କରିବା ସହ ତାଙ୍କ ଘରେ ରହୁଥିବା କିଛି ଭଡ଼ାଟିଆ ଓ ଆଖପାଖ ଲୋକଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିଲେ। ଏଥିସହ ସଂପୃକ୍ତ ଅଞ୍ଚଳର କେଉଁ କେଉଁ ସ୍ଥାନରେ ମାଲିକ ଶ୍ରୀ ମିଶ୍ରଙ୍କ ସ୍ଥାବର ସମ୍ପତ୍ତି ଆଦି ରହିଛି ସେ ସଂପର୍କରେ ପଚାରି ବୁଝିଥିଲେ।

ପରେ ଉକ୍ତ ଟିମ୍ ସଦର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଅଞ୍ଚଳରେ ଚଢ଼ଉ କରିଥିଲା। ପର୍ଶୁରାମ ରାୱଡ଼ା ନାମକ ଜଣେ ବ୍ୟକ୍ତିଙ୍କୁ ଏହି ଟିମ୍‌ ଉଠାଇ ନେଇଥିବା ଜଣାପଡ଼ିଛି। ତାଙ୍କୁ ରିମାଣ୍ଡରେ ମହାରାଷ୍ଟ୍ର ନେଇ ଅଧିକ ଜେରା କରାଯିବ ବୋଲି ସୂଚନା ମିଳିଛି। ଗତକାଲି ଏହି ଟିମ୍‌ ବ୍ରହ୍ମପୁର ଏସ୍‌.ପି.ଙ୍କ ସହିତ ସାକ୍ଷାତ କରି ବିଭିନ୍ନ ଦିଗ ଉପରେ ତଥ୍ୟ ସଂଗ୍ରହ କରିଥିଲା। ଆଜି ଏହି ଟିମ୍‌ ରାମଚନ୍ଦ୍ରପୁରରେ ଚଢ଼ଉ କରି ପର୍ଶୁରାମଙ୍କୁ ଉଠାଇ ନେଇଛି। ପର୍ଶୁରାମ ୪ବର୍ଷ ହେଲା ମହାରାଷ୍ଟ୍ର ଛାଡ଼ି ଓଡ଼ିଶା ଚାଲି ଆସିଥିବା ଜଣାପଡ଼ିଛି। ପରେ ଟିମ୍ ସୋରଡ଼ା ଯାଇ ଛାନଭିନ୍ କରିଥିଲେ ବି ଏବାବଦରେ କିଛି ସ୍ପଷ୍ଟ ସୂଚନା ମିଳିପାରିନି।

ସାରା ରାଜ୍ୟରେ ଚିଟ୍‌ଫଣ୍ଡ୍‌ କେଳେଙ୍କାରୀକୁ ନେଇ ହଟଚମଟ ସୃଷ୍ଟି ହୋଇଥିବା ବେଳେ ଆଜି ଯାଏ ଜମାକାରୀ ସେମାନଙ୍କ ଟଙ୍କା ପାଇନାହାନ୍ତି। ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ପୂର୍ବରୁ ମାଇକ୍ରୋ ଫାଇନାନ୍ସ୍‌ କମ୍ପାନି ଏମ୍‌ଡି ଶ୍ରୀ ମିଶ୍ରଙ୍କୁ ସିିବିଆଇ ଗିରଫ କରିଥିଲା। ବହୁ ଦିନ ଜେଲ୍‌ରେ ଥିବା ଶ୍ରୀ ମିଶ୍ର ବର୍ତ୍ତମାନ ଜାମିନ୍ ପାଇ ବାହାରେ ଅଛନ୍ତି। ମାଇକ୍ରୋ ଫାଇନାନ୍ସ୍ ସଂସ୍ଥା କେବଳ ‌ଓଡ଼ିଶା ମଧ୍ୟରେ ସୀମିତ ନରହି ରାଜ୍ୟ ବାହାରେ ମଧ୍ୟ ତାର ଶାଖା ଖୋଲିଥିଲା। ଗୁଜରାଟ ଓ ମହାରାଷ୍ଟ୍ରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଶାଖା ଖୋଲି ଲୋକଙ୍କ ଠାରୁ ଅର୍ଥ ଜମା ସଂଗ୍ରହ କରୁଥିଲା। କିନ୍ତୁ ଟଙ୍କା ଫେରି ନପାଇବାରୁ ଜମାକାରୀ ମାନେ ପୁଲିସରେ ଅଭିଯୋଗ କରିଥିଲେ। ପୂର୍ବରୁ ମଧ୍ୟ ଅନେକ ଯାଞ୍ଚ ଟିମ୍‌ ଆସି ତଦନ୍ତ କରି ଫେରିଥିଲେ। ଆଜି ମହାରାଷ୍ଟ୍ର ପୁଲିସ୍‌ ତଦନ୍ତ କରିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ସମ୍ବନ୍ଧିତ ଖବର