୨୪୦ ବିଦ୍ୟାଳୟରେ ପଢ଼ାଇବ ମାଇକ୍ରୋସଫ୍ଟ ଟିମ୍

ଭୁବନେଶ୍ୱର : କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଦେଶ ସମେତ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ହ୍ବାଟ୍ସଆପ୍‌ ଓ ଡିଡି ଓଡ଼ିଆ ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ଶିକ୍ଷା ଦିଆଯାଉଛି। ଏଥିସହ ମଧୁ ଆପ୍‌ ଓ ଏଡୁସାଟ୍‌ ଦ୍ୱାରା ମଧ୍ୟ ଶିକ୍ଷାଦାନ ଜାରି ରହିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ପାଠପଢ଼ାକୁ ଅଧିକ ବ୍ୟାପକ କରାଇବା ପାଇଁ ମାଇକ୍ରୋସଫ୍ଟ ଟିମ୍‌ର ସହଯୋଗ ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ୧୦ଟି ବିଦ୍ୟାଳୟରେ ପରୀକ୍ଷା ନିରୀକ୍ଷା କରାଯାଇ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରତି ସ୍କୁଲର ପ୍ରଧାନ ଶିକ୍ଷକ ଓ ୨ ଜଣ ସହକାରୀ ଶିକ୍ଷକଙ୍କୁ ନେଇ ଏ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି। ଇତିମଧ୍ୟରେ ୨୪ଟି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକମାନଙ୍କୁ ୨ ଦିନ ପୂର୍ବରୁ ପ୍ରଶିକ୍ଷଣ ଦିଆସରିଛି। ୨୪ଟି ଜିଲ୍ଲାର ୧୦ଟି ଲେଖାଏଁ ସ୍କୁଲ ଏହିପରି ମୋଟ ୨୪୦ ସ୍କୁଲକୁ ଏହି ମାଇକ୍ରୋସଫ୍ଟ ଟିମ୍ ଦ୍ୱାରା ଶିକ୍ଷା ପ୍ରଦାନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ କାର୍ଯ୍ୟ ଜାରି ରହିଛି। ଗୋଟିଏ ସ୍କୁଲ ଅଧୀନରେ ୨୫୦ଜଣ ଛାତ୍ରଛାତ୍ରୀ ଏହି ଶିକ୍ଷା ସଂଯୋଗ ମାଧ୍ୟମରେ ପାଠ ପଢ଼ିପାରିବେ। ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଭଳି ମାଇକ୍ରୋସଫ୍ଟ ଟିମ୍‌ ମାଧ୍ୟମରେ ଛାତ୍ରଛାତ୍ରୀ ଶିକ୍ଷକମାନଙ୍କ ସହ ସିଧାସଳଖ ଆଲୋଚନା ଓ ପର୍ଯ୍ୟାଲୋଚନା କରି ପାଠ ପଢ଼ି ପାରିବେ। ପୂର୍ବ ନିଷ୍ପତ୍ତି ଅନୁସାରେ ‘ଶିକ୍ଷା ସଂଯୋଗ’ କାର୍ଯ୍ୟକ୍ରମ ହ୍ବାଟସଆପ୍‌ ମାଧ୍ୟମରେ ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର