ଏମିତି ଚାଲିଛି ମଧ୍ୟାହ୍ନ ଭୋଜନ ଯାଞ୍ଚ : ଜିଲ୍ଲାପାଳଙ୍କ ପାଇଁ ବଦଳିଲା ମେନୁ

ମାଲକାନଗିରି : ରାଜ୍ୟ ସରକାର ୫-ଟି କାର୍ଯ୍ୟକାରୀ କରିବା ପରେ ମନ୍ତ୍ରୀ, ବିଧାୟକଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଏବେ ବିଭିନ୍ନ ଆହାର କେନ୍ଦ୍ରରେ ଭୋଜନ କରୁଛନ୍ତି। ସ୍କୁଲ୍‌କୁ ମଧ୍ୟ ଗସ୍ତ କରି ପିଲାମାନଙ୍କ ସହିତ ମଧ୍ୟାହ୍ନଭୋଜନ ଖାଉଛନ୍ତି। ତେବେ, ମାଲକାନଗିରି ଜିଲ୍ଲାରେ ଏହାର ଏକ ଓଲଟା ଚିତ୍ର ଦେଖିବାକୁ ମିଳିଛି। ମଧ୍ୟାହ୍ନଭୋଜନ ଯାଞ୍ଚ କରିବା ପାଇଁ ଆସିଥିବା ଜିଲ୍ଲାପାଳଙ୍କ ପାଇଁ ସ୍କୁଲ୍‌ କର୍ତ୍ତୃପକ୍ଷ ମଧ୍ୟାହ୍ନଭୋଜନର‌ ମେନୁ ବଦଳାଇ ଦେଇଛନ୍ତି। ଅବଶ୍ୟ, ଜିଲ୍ଲାପାଳଙ୍କ ପାଇଁ ଆସିଥିବା ଖାଦ୍ୟକୁ ସବୁ ପିଲାଙ୍କୁ ପରଷା ଯାଇଥିଲା।

ଗତକାଲି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଏବଂ ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ମାସନ ମାଡ଼କାମୀ ବିଭିନ୍ନ ବିଦ୍ୟାଳୟକୁ ଯାଇଥିଲେ। ହଷ୍ଟେଲ ଗୁଡ଼ିକ କିଭଳି ଚାଲିଛି ତାହାର ଅନୁଧ୍ୟାନ କରିଥିଲେ। ତେବେ ଜିଲ୍ଲାପାଳଙ୍କ ଏହି ଯାଞ୍ଚ ପ୍ରକ୍ରିୟାରେ ଦେଖିବାକୁ ମିଳିଥିଲା ବଡ଼ ବ୍ୟତିକ୍ରମ। ସଦର ମହକୁମା ସ୍ଥିତ ୫୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସରେ ଅନ୍ୟ ଅଧିକାରୀଙ୍କୁ ନେଇ ନିଜେ ଜିଲ୍ଲାପାଳ ପହଞ୍ଚିଥିଲେ। ପିଲାଙ୍କ ସହ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରି ମଧ୍ୟାହ୍ନ ଭୋଜନ ଖାଇବାକୁ ପିଲାଙ୍କ ମେଳରେ ବସିଥିଲେ। ଜିଲ୍ଲାପାଳଙ୍କୁ ପାଖରେ ପାଇ ଛାତ୍ରୀମାନେ ବି ବେଶ୍ ଗଦ୍‌ଗଦ୍ ହୋଇ ଯାଇଥିଲେ। ତେବେ ଜିଲ୍ଲାପାଳ ଆସିଥିବାରୁ ହଷ୍ଟେଲ କର୍ତ୍ତୃପକ୍ଷ ନିୟମିତ ଖାଦ୍ୟ ବଦଳରେ ଥାଳିରେ ସୁସ୍ବାଦୁ ଖାଦ୍ୟ ପରଶି ଦେଇଥିଲେ। ମେନୁ ଅନୁଯାୟୀ ଆଜି ପିଲାଙ୍କୁ ଭାତ, ଡାଲି, ଚିକେନ କିମ୍ବା ସାଦା ତରକାରୀ ଆଦି ମଧ୍ୟାହ୍ନ ଭୋଜନରେ ଦିଆଯିବା କଥା। ହେଲେ ଦିଆଗଲା ଭାତ, ଡାଲି, ଚିପସ୍, ଖଟା, ତରକାରୀ ସହ ମିଠାରେ ରସଗୋଲା ଓ ଗୁଲାବ ଜାମୁନ। ଯେଉଁମାନେ ଚାହିଁଥିଲେ ଚିକେନ ତରକାରୀ ‌ଦିଆଯାଇଥିଲା। ଏତେ ପ୍ରକାର ବ୍ୟଞ୍ଜନ ଦିଆଯିବାକୁ ନେଇ ପ୍ରଥମେ ଛାତ୍ରୀମାନେ ଚକିତ ହୋଇଯାଇଥିଲେ। ତଥାପି ସେମାନେ ସେଥିପ୍ରତି ବିଶେଷ ଧ୍ୟାନ ନଦେଇ ଖାଇବାରେ ମନ ଦେଇଥିଲେ। ପିଏ ଆଇଟିଡିଏ, ଡିଡବ୍ଲୁଓ, ବିଡିଓ ପ୍ରମୁଖ ବି ଏହି ସୁସ୍ବାଦୁ ବ୍ୟଞ୍ଜନରେ ଆପ୍ୟାୟିତ ହୋଇଥିଲେ। ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ସଫେଇ ହେଲା ଗତକାଲି ଦୀପାବଳି ରହିଥିବାରୁ ଏଭଳି ଖାଦ୍ୟ ରୋଷେଇ କରାଯାଇଥିଲା।

ସମ୍ବନ୍ଧିତ ଖବର