ଦଶପଲ୍ଲା : ପାଇଖାନା ଘରେ ଚାଲିଛି ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ। ବାରଣ୍ଡାରେ ରୋଷେଇ ହୋଇ ପାଇଖାନା ଘରେ ଖାଦ୍ୟ ରଖାଯିବା ସହ ମଧ୍ୟାହ୍ନ ଭୋଜନ ସମୟରେ ଏହାକୁ ଖାଇବାକୁ ଦିଆଯାଉଛି କୋମଳମତି ଛାତ୍ରଛାତ୍ରୀଙ୍କୁ। ପୁଣି ଏହି ବ୍ୟବସ୍ଥା ଦିନେ କି କେଇ ଦିନ ପାଇଁ ନୁହେଁ, ବରଂ କ୍ରମାଗତ ୩ ବର୍ଷ ଧରି ଚାଲି ଆସିଛି। ବିଦ୍ୟାଳୟର ରୋଷେଇ ଘରଟି ଅସୁରକ୍ଷିତ ହୋଇ ପଡ଼ିଥିବାରୁ ଛାତ୍ରଛାତ୍ରୀଙ୍କୁ ଏହି ପାଇଖାନା ଘରେ ରୋଷେଇ କରି ଖାଇବାକୁ ଦିଆଯାଉଥିବା କହିଛନ୍ତି ପାଚିକା। ଦଶପଲ୍ଲାଠାରୁ ପ୍ରାୟ ୧୮ କିମି ଦୂର ତଥା ଘୁଗୁଡ଼ିପଡ଼ା ପଞ୍ଚାୟତ ମକରପ୍ରସାଦ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବିଭାଗର ଏଭଳି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

publive-image

ବିଭାଗୀୟ ଅଧିକାରୀମାନେ ସବୁ ଜାଣି ଚୁପ୍‌ ବସିଥିବାବେଳେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପ୍ରତି ଶିକ୍ଷା ବିଭାଗର ଏଭଳି ଅବହେଳାକୁ ନେଇ ଅବିଭାବକମାନେ ପ୍ରଶ୍ନ ଉଠାଇଛନ୍ତି। ଏହି ବିଦ୍ୟାଳୟଟି ବ୍ଲକ୍‌ର ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ଥିବାବେଳେ ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୯୫ ପ୍ରତିଶତ ହେଉଛନ୍ତି ଆଦିବାସୀ ଛାତ୍ରଛାତ୍ରୀ।

publive-image

୧୯୫୩ ମସିହାରୁ ସ୍ଥାପିତ ହୋଇଥିବା ଏହି ପୁରାତନ ବିଦ୍ୟାଳୟରେ ୫ଟି ଶ୍ରେଣୀ ପାଇଁ ଦୁଇଟି ଶ୍ରେଣୀଗୃହ ରହିଛି। ପ୍ରଥମଠାରୁ ପଞ୍ଚମ ପର୍ଯ୍ୟନ୍ତ ଚଳିତ ବର୍ଷ ୪୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ୨ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ନିର୍ମାଣ ହୋଇଥିବା ରୋଷେଇ ଘରଟି ଅସୁରକ୍ଷିତ ହୋଇ ପଡ଼ିବାରୁ କୈାଣସି ଉପାୟ ନପାଇ ବାଧ୍ୟ ହୋଇ ପାଇଖାନା ଘରେ ଛାତ୍ରଛାତ୍ରୀଙ୍କ ପାଇଁ ଏହି ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଥିବା କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ। ଗୋଟିଏ ପାର୍ଶ୍ବରେ ଆଦିବାସୀ ଅଧ୍ୟୁସିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ତଥା ସେମାନଙ୍କ କ୍ଷେତ୍ରରେ ଶିକ୍ଷାର ଗୁଣାତ୍ମକ ବିକାଶ ଘଟାଇବା ପାଇଁ ସରକାର ଅଣ୍ଟା ଭିଡିଥିବାବେଳେ ବର୍ଷବର୍ଷ ଧରି ଏଭଳି ଅସ୍ବାସ୍ଥ୍ୟକର ପରିବେଶରେ କୋମଳମତି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ରୋଷେଇ କରି ଖାଇବାକୁ ଦିଆଯାଉଛି। ଏହା ଶିକ୍ଷା ବିଭାଗର ପାରିବାପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। କିଛି ଅବିଭାବକଙ୍କ କହିବା ଅନୁଯାୟୀ ବାରମ୍ବାର ରୋଷେଇ ଘର ନିର୍ମାଣ ପାଇଁ ଦାବି ହୋଇ ଆସୁଛି। ମାତ୍ର ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ଗୁରୁତ୍ବ ଦେଉ ନଥିବା କହିଛନ୍ତି। ଏହାକୁ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ନାୟକଙ୍କ କହିବା ଅନୁଯାୟୀ ରୋଷେଇ ଘର ନିର୍ମାଣ କରିବା ପାଇଁ ଆଜବେଷ୍ଟସ୍‌ କିଣା ଯାଇଥିବାବେଳେ ଏହାକୁ ଶୀଘ୍ର ନିର୍ମାଣ କରଯିବ। ତେବେ ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅବିଭାବକ ମହଲରେ ଦାବି ହୋଇଛି।