୮ ଦଫା ଦାବି ନେଇ ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ସଂଘର ବିକ୍ଷୋଭ

ଭୁବନେଶ୍ବର : ୮ଦଫା ଦାବି ନେଇ ମଧ୍ୟାହ୍ନ ଭୋଜନ ପାଚିକ ଓ ସହାୟିକା ସଂଘ ପକ୍ଷରୁ ଆଜି ବିକ୍ଷୋଭ କରାଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହଜାର ହଜାର ପାଚିକା ଓ ସହାୟିକାମାନେ ମାଷ୍ଟରକ୍ୟାଷ୍ଟିନ୍‌ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସି ରହିଥିଲେ। ଜାନୁଆରିଠାରୁ ୨ହଜାର ଟଙ୍କା ଭତ୍ତା ଦେବା, ଛଟେଇ ପାଚିକାଙ୍କୁ ପୁନଃ ନିଯୁକ୍ତି, ୨୮ମାସର ବକେୟା ଭତ୍ତା ପ୍ରଦାନ କରିବା, ବର୍ଷକୁ ୨ଖଣ୍ଡ ଶାଢ଼ି, ଇପିଏଫ୍‌, ଇଏସ୍‌ଆଇ, ପେନ୍‌ସନ୍‌ ଏବଂ ମାସକୁ ଶହେ ଟଙ୍କାର ଭତ୍ତା ଆଦି ‌ଦାବିନେଇ ସଂଘର କର୍ମକର୍ତ୍ତାମାନ‌େ ଧାରଣାରେ ବସି ରହିଥିଲେ। ଏହାପରେ ସଂଘର ଏକ ପ୍ରତିନିଧି ମଣ୍ଡଳୀ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ। ହେଲେ ମନ୍ତ୍ରୀ ନଥିବାରୁ ଏମ୍‌ଡିଏମ୍‌ର ଅତିରିକ୍ତ ନିର୍ଦେଶକଙ୍କୁ ଭେଟି ଦାବି ଉପରେ ଆଲୋଚନା କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇ ନଥିଲା। ଫଳରେ ସଂଘ ଅସନ୍ତୋଷ ପ୍ରକାଶ କରିବା ସହ ଧାରଣା ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତେବେ ଆସନ୍ତା ୧୭ ତାରିଖରେ ମନ୍ତ୍ରୀ ଆସିବା ପରେ ଦାବି ନେଇ ଆଲୋଚନା କରାଯିବ। ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି। ଆଜିର ଏହି ବିକ୍ଷୋଭରେ ରାଜ୍ୟ ସାଧାରଣ ସମ୍ପାଦକ ରାଧାରମଣ ଷଡ଼ଙ୍ଗୀ, ସିଆଇଟିୟୁ ସଭାପତି ଲମ୍ବୋଦର ନାୟକ, ବିଷ୍ଣୁ ମହାନ୍ତି, ଈଷାନୀ ଷଡ଼ଙ୍ଗୀ, କ୍ଷୀରମଣି ମହନ୍ତ, ପୂର୍ଣ୍ଣିମା ବେହେରା, ଗୁରୁବାରି ମହନ୍ତ, ମୀନା ମହନ୍ତ ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର