ଗୋଳିଆ ପାଣି ପିଉଛନ୍ତି ସ୍କୁଲ ପିଲା; ଛଣା ପାଣିରେ ରୋଷେଇ ହେଉଛି ମଧ୍ୟାହ୍ନ ଭୋଜନ‌

ରାଉରକେଲା: ସବୁ ଘରକୁ ପାନୀୟ ଜଳ ଯୋଗାଣ ପାଇଁ ସରକାର ଏକାଧିକ ଯୋଜନା ଆରମ୍ଭ କରିଛନ୍ତି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିରୁ ମଧ୍ୟ ସ୍କୁଲର ସର୍ବାଙ୍ଗୀନ ବିକାଶ କରାଯାଉଥିବା ଡିଣ୍ଡୁମ ପିଟୁଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ। କିନ୍ତୁ କୁଆରମୁଣ୍ଡା ବ୍ଲକ ରିଉଁ ସ୍କୁଲରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଦେଖିଲେ, ପ୍ରଶାସନ ଯେ କେତେ ସତ କହୁଛନ୍ତି; ତାହା ସ୍ପଷ୍ଟ ହୋଇଯାଏ। ଏଠାକାର ପ୍ରାୟ ଶହେରୁ ଅଧିକ ଛାତ୍ରଛାତ୍ରୀ ଗୋଳିଆ ପାଣି ପିଉଛନ୍ତି। ଦୀର୍ଘ ବର୍ଷ ହେଲା ସ୍ଥିତିରେ ସୁଧାର ଆସୁନାହିଁ।
୧୯୫୪ ମସିହାରେ ରିଉଁରେ ପ୍ରତିଷ୍ଠା ହୋଇଥିଲା ଏହି ସ୍କୁଲ।

ସଂପ୍ରତି ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୧୧୬ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଏଠାରେ ଗୋଟିଏ କୂଅ ଓ ତିନିଟି ଟ୍ୟୁବୱେଲ। ସେଥିମଧ୍ୟରୁ କୂଅ ପରିତ୍ୟକ୍ତ ଅବସ୍ଥାରେ ଥିବାବେଳେ ଗୋଟିଏ ଟ୍ୟୁବୱେଲ ଅର୍ଦ୍ଧନିର୍ମିତ ଅବସ୍ଥାରେ। ବଳକା ଦୁଇଟି ଟ୍ୟୁବୱେଲରୁ ଗୋଳିଆ ପାଣି ବାହାରୁଛି। ଫଳରେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଯାବତୀୟ ସମସ୍ୟା ଭୋଗୁଛନ୍ତି। ଏମିତିକି ମଧ୍ୟାହ୍ନ ଭୋଜନ ପାଇଁ ବି ଦହଗଞ୍ଜ ହେବାକୁ ପଡ଼ୁଛି। ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଦିନକ ପୂର୍ବରୁ ପାଣି ସଂଗ୍ରହ କରି କପଡ଼ାରେ ଛାଣି ରଖାଯାଉଛି। ପ୍ରାୟ ୨୪ ଘଣ୍ଟା ପରେ ଛଣା ପାଣିରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଛି। ଟ୍ୟୁବୱେଲ ପାଣି ଆଦୌ ବ୍ୟବହାରଯୋଗ୍ୟ ନ ଥିବାରୁ ପିଲାମାନେ ଘରୁ ପାଣି ସାଙ୍ଗରେ ଆଣିଥାନ୍ତି।

ତେବେ ପାଣି ସରିଗଲେ ବାଧ୍ୟହୋଇ ଏହି ମଇଳା ପାଣି ପିଉଛନ୍ତି। କିଛି ଦିନ ପୂର୍ବେ ‌ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ପକ୍ଷରୁ ଏକ ଆକ୍ବାଗାର୍ଡ‌୍ ଦାନ କରାଯାଇଥିଲା। ମାତ୍ରାଧିକ କାଦୁଅ ମିଶ୍ରିତ ଗୋଳିଆ ପାଣି ଯୋଗୁଁ ଏହା ମାତ୍ର ସପ୍ତାହ ଭିତରେ ଅଚଳ ହୋଇପଡ଼ିଛି। ଏବେ ଆଉ ଏକ ନୂଆ ଆକ୍ବାଗାର୍ଡ‌୍ କିଣାଯାଇଥିବାବେଳେ ଖୁବଶୀଘ୍ର ଏହାକୁ ସଂଯୋଗ କରାଯିବ। ତେବେ ଟ୍ୟୁବୱେଲର ପାଣିର ମାନରେ କୌଣସି ପ୍ରକାର ପରିବର୍ତ୍ତନ ଆସିନଥିବାରୁ ଏହି ମେସିନ କେତେଦିନ ପର୍ଯ୍ୟନ୍ତ ଚାଲିବ, ‌ତାହା ସମୟ କହିବ।

ସମ୍ବନ୍ଧିତ ଖବର