ଆଶ୍ରମ ସ୍କୁଲ ଛାତ୍ରଛାତ୍ରୀଙ୍କ ଚାଉଳ ଗାଏବ !

ସ୍କୁଲ ଛୁଟିର ୨ ମାସ ପରେ ମଧ୍ୟ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଚାଉଳ ମିଳି ନ ଥିବା ଅଭିଯୋଗ

ଭବାନୀପାଟଣା: କରୋନା ମହାମାରୀ ସାରା ବିଶ୍ୱ କୁ ଦୋହଲାଇ ଦେଇଥିବା ବେଳେ ଏଥିରେ ଓଡିଶା ମଧ୍ୟ ବାଦ ପଡ଼ିନାହିଁ । କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଘୋଷଣା କରି ରାଜ୍ୟ ସରକାର ଆଗୁଆ ବିଦ୍ୟାଳୟ ମାନଙ୍କୁ ଛୁଟି ଘୋଷଣା କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେବା ସହ ନିଜ ନିଜ ପଞ୍ଚାୟତ ରୁ ଚାଉଳ ନେବା ପାଇଁ ଏକ ଟୋକନ ପ୍ରଦାନ କରାଯାଇଥିଲା । ଟୋକନ ପ୍ରଦାନ କରି ୨ ମାସ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଆଶ୍ରମ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଚାଉଳ ନ ମିଳିବା ନେଇ ଅଭିଯୋଗ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ୧୩ ବ୍ଲକରେ ଥିବା ଆଶ୍ରମ ସ୍କୁଲ ମାନଙ୍କରେ କେବଳ ଗରିବ ଶ୍ରେଣୀର ଛାତ୍ରଛାତ୍ରୀମାନେ ହିଁ ଅଧ୍ୟୟନ କରିଥାନ୍ତି । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ବ୍ଲକର ୫ଟି ଆଶ୍ରମ ସ୍କୁଲର ୯୨୭ ଜଣ ଛାତ୍ରଛାତ୍ରୀ, ଧର୍ମଗଡ଼ ବ୍ଲକ ର ଗୋଟିଏ ହାଇସ୍କୁଲରେ ୩୯୭ ଜଣ ଛାତ୍ରଛାତ୍ରୀ, ଗୋଳମୁଣ୍ଡା ବ୍ଳକରେ ଗୋଟିଏ ଆଶ୍ରମ ସ୍କୁଲ ରେ ୨୫୯ ଛାତ୍ରଛାତ୍ରୀ, ଜୟପାଟଣା ବ୍ଲକ ରେ ୪ଟି ଆଶ୍ରମ ସ୍କୁଲ ରେ ୧୨୭୪ ଛାତ୍ରଛାତ୍ରୀ, ଜୁନାଗଡ଼ ବ୍ଲକରେ ୬ଟି ଆଶ୍ରମ ସ୍କୁଲ ରେ ୧୫୦୭ ଜଣ ଛାତ୍ରଛାତ୍ରୀ, କଲମପୁର ବ୍ଲକ ରେ ଗୋଟିଏ ଆଶ୍ରମ ସ୍କୁଲ ରେ ୩୨୩ ଜଣ ଛାତ୍ରଛାତ୍ରୀ, କେସିଙ୍ଗା ବ୍ଲକ ରେ ୩ଟି ଆଶ୍ରମ ସ୍କୁଲରେ ୧୦୫୪ ଜଣ ଛାତ୍ରଛାତ୍ରୀ, କୋକସରା ବ୍ଲକ ରେ ୨ଟି ଆଶ୍ରମ ସ୍କୁଲରେ ୬୨୨ଜଣ ଛାତ୍ରଛାତ୍ରୀ, ଲାଞ୍ଜିଗଡ଼ ବ୍ଲକ ରେ ୫ ଆଶ୍ରମ ସ୍କୁଲରେ ୧୮୬୦ ଜଣ ଛାତ୍ରଛାତ୍ରୀ, ମଦନପୁର ରାମପୁର ବ୍ଲକ ରେ ୮ ଆଶ୍ରମ ସ୍କୁଲ ରେ ୧୪୬୯ଜଣ ଛାତ୍ରଛାତ୍ରୀ, ଥୁଆମୂଳ ରାମପୁର ବ୍ଳକରେ ୭ଟି ଆଶ୍ରମ ସ୍କୁଲ ରେ ୨୨୨୦ ଜଣ ଛାତ୍ରଛାତ୍ରୀ ଅଛନ୍ତି । ଜିଲ୍ଲାର ସମୁଦାୟ ୪୩ ଟି ଆଶ୍ରମ ସ୍କୁଲ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୧ ହଜାର ୯୨୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।

କରୋନା ମହାମାରୀ ଯୋଗୁଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରି ମେ ୪ ତାରିଖରେ ହେବାକୁ ଥିବା ଛଟି ବଦଳରେ ଆଗୁଆ ଏପ୍ରିଲ ୨୫ ତାରିଖରେ ଛୁଟି କରି ସ୍କୁଲ ଖାଲିକରି ଦିଆଯାଇଥିଲା । ସମସ୍ତ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ଯେଉଁ ପଞ୍ଚାୟତର ଛାତ୍ରଛାତ୍ରୀ ମାନଙ୍କୁ ନିଜ ନିଜ ପଞ୍ଚାୟତ ରେ ଚାଉଳ ନେବା ପାଇଁ ନିର୍ଦେଶ ଦିଆଯାଇଥିଲା । ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ୯ କେଜି ଚାଉଳ ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ୧୩ କେଜି ୫୦୦ ଗ୍ରାମ ଚାଉଳ ଦେବା ପାଇଁ ଟୋକନ ପ୍ରଦାନ କରାଯାଇଥିଲା । ସ୍କୁଲ ଛୁଟି ଘୋଷଣା ହୋଇ ପ୍ରାୟ ୨ ମାସ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ଟୋକନରୁ ଚାଉଳ ପ୍ରଦାନ କରାଯାଇନାହିଁ ।

ଛାତ୍ରଛାତ୍ରୀମାନେ ଦିଆଯାଇଥିବା ଟୋକନ ଧରି ଚାଉଳ ଆଣିବାକୁ ପାଖ ପଞ୍ଚାୟତକୁ ଗଲେ ଯେଉଁ ଆଶ୍ରମ ରେ ପାଠ ପଢୁଛ ସେହି ଅଞ୍ଚଳକୁ ଯାଇ ଚାଉଳ ଆଣିବାକୁ ପରାମର୍ଶ ଦେଉଥିବା ଅଭିଯୋଗ ହୋଇଛି । ଯଦି ଚାଉଳ ଏହି ଛାତ୍ରଛାତ୍ରୀମାନଙ୍କ ପାଇଁ ଚାଉଳ ଯୋଗାଣ କରାଯାଇ ନାହିଁ ତାହେଲେ ଟୋକନ କାହିଁକି ପ୍ରଦାନ କରାଗଲା , ଯଦି ଚାଉଳ ଯୋଗାଣ ହୋଇଛି ତ କାହିଁକି ପ୍ରଦାନ କରାଯାଉନାହିଁ ତାହା ଏବେ ତଦନ୍ତ ସାପେକ୍ଷ ଅଟେ । ଏହାର ଏକ ଭିଜିଲାନ୍ସ ସ୍ତରୀୟ ତଦନ୍ତ କରାଗଲେ ବହୁ ରହସ୍ୟ ଉନ୍ମୋଚିତ ହେବ ବୋଲି ସାଧାରଣରେ ଦାବୀ ହୋଇଛି ।

ସମ୍ବନ୍ଧିତ ଖବର