ମଧ୍ୟା‌ହ୍ନ ଭୋଜନରେ ଲୌହସାରଯୁକ୍ତ ଚାଉଳ ଯୋଜନା : ଅଫିସରଙ୍କ କାରସାଦିରେ ରାଜ୍ୟ ଅର୍ଥ ବରବାଦ

ଭୁବନେଶ୍ବର : ‘‘ଛଅରୁ ଚଉଦ ବର୍ଷ ବୟସ୍କ ଶିଶୁଙ୍କୁ ରକ୍ତହୀନତା (ଆନେମିଆ)ରୁ ମୁକ୍ତ ରଖିବା ପାଇଁ ଲୌହସାରଯୁକ୍ତ ଖାଦ୍ୟଶସ୍ୟ ଅତି ଉପଯୋଗୀ’’-ଜାତିସ˚ଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍‌ପି) ପ୍ରତିନିଧିମାନେ ବୁଲିବୁଲି ଏଭଳି ପ୍ରସ୍ତାବ ଦେଇଆସୁଛନ୍ତି। ତେବେ ରକ୍ତହୀନତା ହ୍ରାସ ପାଇଁ ଯେହେତୁ ଅଙ୍ଗନବାଡ଼ିଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କୁ ମଧ୍ୟା‌ହ୍ନ ଭୋଜନରେ ଲୌହସାର ଓ ଫଲିକ୍‌ ଏସିଡ୍‌ ଯୁକ୍ତ (ଆଏଫ୍‌ଏ) ବଟିକା, ଆୟୋଡ଼ିନ୍‌ ଓ ଲୌହସାରଯୁକ୍ତ ଲୁଣ ଏବ˚ କୃମି ପ୍ରତିରୋଧକ ଔଷଧ ଦିଆଯାଉଛି, ତେଣୁ କେନ୍ଦ୍ର କିମ୍ବା କୌଣସି ରାଜ୍ୟ ସରକାର ଏହାକୁ ଅଦ୍ୟାବଧି ଗ୍ରହଣ କରିନାହାନ୍ତି। ମାତ୍ର ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ସେଥିରେ ଭାସିଯାଇ ୨୦୧୨ରେ ଡବ୍ଲ୍ୟୁଏଫ୍‌ପି ସହ ଚୁକ୍ତି ସ୍ବାକ୍ଷର କରିଥିଲେ। ଗଜପତି ଜିଲ୍ଲାର ୯୭,୪୮୦ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାର୍ଥୀଙ୍କ ପାଇଁ ୨୦୧୩ ଜାନୁଆରିରୁ ଆରମ୍ଭ ହୋଇଥିଲା ଡବ୍ଲ୍ୟୁଏଫ୍‌ପିର ଏହି ଦୁଇ ବର୍ଷିଆ ପ୍ରୟୋଗାତ୍ମକ ପ୍ରକଳ୍ପ (ପାଇଲଟ୍‌ ପ୍ରୋଜେକ୍ଟ)। ଚୁକ୍ତି ଥିଲା- ଲୌହସାରଯୁକ୍ତ ଚାଉଳ ପ୍ରକଳ୍ପର ସୁପରିଚାଳନା ଲାଗି ଗଠିତ ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରକଳ୍ପ ପରିଚାଳନା ଶାଖା ଏବ˚ ଡବ୍ଲ୍ୟୁଏଫ୍‌ପି ସମନ୍ବୟରେ ପାଇଲଟ୍‌ ପ୍ରକଳ୍ପ ପରିଚାଳିତ ହେବ। ଏଥିସହ ଛାତ୍ରଛାତ୍ରୀଙ୍କ ରକ୍ତହୀନତା ହ୍ରାସ ଲକ୍ଷ୍ୟ କେତେ ଦୂର ସାଧିତ ହେଉଛି, ପରୀକ୍ଷାଗାର ରିପୋର୍ଟ ଆଧାରରେ ତାହାର ନିୟମିତ ସମୀକ୍ଷା ହେବ।

ମାତ୍ର ଡବ୍ଲ୍ୟୁଏଫ୍‌ପି କତ୍ତୃର୍ପକ୍ଷ ଜିଲ୍ଲା ପ୍ରଶାସନ ସହ ଏକ ପକ୍ଷରେ ସମନ୍ବୟ ରଖିନଥିଲେ ଓ ଅନ୍ୟ ପକ୍ଷରେ ରାଜ୍ୟ କିମ୍ବା କେନ୍ଦ୍ରୀୟ ପରୀକ୍ଷାଗାରରେ ଛାତ୍ରଛାତ୍ରୀଙ୍କ ରକ୍ତହୀନତା ପରୀକ୍ଷା କରିନଥିଲେ। ବର˚ ଡବ୍ଲ୍ୟୁଏଫ୍‌ପି ଦ୍ବାରା ନିୟୋଜିତ ଏକ ବେସରକାରୀ ସ˚ଗଠନ (ଏନ୍‌ଜିଓ) ‘ସମ୍ବୋଧି’ର ରିପୋର୍ଟକୁ ୨୦୧୪ ମାର୍ଚ୍ଚରେ ଉପସ୍ଥାପିତ କରିଥିଲେ। ସେଥିରେ ଦାବି କରାଯାଇଥିଲା ଯେ ପ୍ରକଳ୍ପ ଆରମ୍ଭ ବେଳକୁ ଗଜପତିର ୬୫.୪% ଛାତ୍ରଛାତ୍ରୀଙ୍କଠାରେ ରକ୍ତହୀନତା ଥିଲା ବେଳେ ତାହା ୪୫.୨%କୁ ଅର୍ଥାତ ୨୦.୨% ହ୍ରାସ ପାଇଛି। ତେବେ ବିଡ଼ମ୍ବନା ହେଲା-ସେ ବର୍ଷ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ପରିବାର ସଭେର୍ ରିପୋର୍ଟରେ ଗଜପତି ଜିଲ୍ଲାର ହାରାହାରି ୮୬.୪% ଶିଶୁ ରକ୍ତହୀନତାରେ ପୀଡ଼ିତ ବୋଲି ସ୍ପଷ୍ଟ ଦର୍ଶାଯାଇଥିଲା। ତେଣୁ ଏନ୍‌ଜିଓ ପ୍ରଦତ୍ତ ରିପୋର୍ଟର ବିଶ୍ବସନୀୟତା ସ୍ବାଭାବିକ ଭାବେ ସନ୍ଦେହ ଘେରରେ। ପୁଣି ପ୍ରକଳ୍ପର ଅନ୍ତିମ ପର୍ଯ୍ୟାୟରେ ରାଜ୍ୟସ୍ତରୀୟ ମଧ୍ୟା‌ହ୍ନ ଭୋଜନ କାର୍ଯ୍ୟକ୍ରମର ନୋଡ଼ାଲ ଅଫିସର ଗଙ୍ଗାଧର ସାହୁ ୨୦୧୫ ଅଗଷ୍ଟ ୫ରୁ ୭ ଯାଏ ଗଜପତି ଜିଲ୍ଲାରେ ସରଜମିନ ତଦନ୍ତ କରି ସାଢେ଼ ୪ ମାସ ପରେ (୨୦୧୬ ଜାନୁଆରି ୨୧ରେ) ଡବ୍ଲ୍ୟୁଏଫ୍‌ପିର ଡେପୁଟୀ କଣ୍ଟ୍ରି ଡିରେକ୍ଟର ଜାନ୍‌ ଡେଲ୍‌ବାରେଙ୍କୁ ଯେଉଁ ରିପୋର୍ଟ ଦେଇଥିଲେ, ସେଥିରେ ସେ ଏଫ୍‌ସିଆଇ ଚାଉଳକୁ ଲୌହସାରଯୁକ୍ତ କରିବା ପାଇଁ ଚାଲିଥିବା ପଦ୍ଧତିଠାରୁ ଆରମ୍ଭ କରି ସମନ୍ବୟ ଅଭାବ ପର୍ଯ୍ୟନ୍ତ ବିଭିନ୍ନ ପ୍ରକ୍ରିୟାରେ ବ୍ୟାପକ ତ୍ରୁଟି-ବିଚ୍ୟୁତି ଉଲ୍ଲେଖ କରିଥିଲେ। ମାତ୍ର ଏହି ରିପୋର୍ଟକୁ ସେ ଗଣଶିକ୍ଷା ସଚିବ କିମ୍ବା ମୁଖ୍ୟ ସଚିବଙ୍କ ଦୃଷ୍ଟିକୁ ନଆଣିବା ବିସ୍ମୟଜନକ। ଅଧିକ ବିସ୍ମୟଜନକ ହେଲା-ଏକ ପକ୍ଷରେ ଖୋଦ୍‌ ନୋଡ଼ାଲ ଅଫିସର ପ୍ରକଳ୍ପ ପରିଚାଳନାର ତ୍ରୁଟି-ବିଚ୍ୟୁତି ସମ୍ପର୍କରେ ଉଲ୍ଲେଖ କରିଥିଲେ ମଧ୍ୟ ଅନ୍ୟପକ୍ଷରେ ସେ ସରକାରଙ୍କୁ ଅନ୍ଧାରରେ ରଖି ଡବ୍ଲ୍ୟୁଏଫ୍‌ପି କାର୍ଯ୍ୟକ୍ରମକୁ ରାଜ୍ୟର ଆଉ ୧୪ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏବ˚ ଅକ୍ଷୟପାତ୍ର ଦ୍ବାରା ପରିଚାଳିତ ସେଣ୍ଟ୍ରାଲ୍‌ କିଚେନ୍‌କୁ ସମ୍ପ୍ରସାରିତ କରିବା ପାଇଁ ସୁପରିକଳ୍ପିତ କାରସାଦି ଜାରି ରଖିଥିଲେ।

ଗଜପତିରେ କାର୍ଯ୍ୟକାରୀ ହୋଇଥିବା ୩ ବର୍ଷିଆ ପାଇଲଟ୍‌ ପ୍ରକଳ୍ପ ଜରିଆରେ ସ୍ଥାନୀୟ ଶିଶୁଙ୍କ ରକ୍ତହୀନତା କେତେ ଦୂର ହୋଇଛି, ତାହାର ସଠିକ ରିପୋର୍ଟ ସରକାରଙ୍କ ନିକଟରେ ନାହିଁ। ଅଥଚ ଡବ୍ଲ୍ୟୁଏଫ୍‌ପି ସହ ସ୍ବାକ୍ଷରିତ ଚୁକ୍ତି ଅନୁଯାୟୀ ରାଜ୍ୟ ସରକାର ସେଠାରେ ପ୍ରକଳ୍ପ ଚାଲୁ ରଖିବାକୁ ବାଧ୍ୟ ହୋଇଛନ୍ତି। ପରିଣାମସ୍ବରୂପ ରାଜ୍ୟ ରାଜକୋଷ ଉପରେ ବାର୍ଷିକ ୬୩ ଲକ୍ଷ ଟଙ୍କାର ଅତିରିକ୍ତ ବୋଝ ପଡୁଛି। ପୁଣି ଏହି ପ୍ରକଳ୍ପକୁ ଅଧିକ ୧୪ଟି ଜିଲ୍ଲା ଏବ˚ ଅକ୍ଷୟପାତ୍ର ଫାଉଣ୍ତେସନ୍‌ର ସେଣ୍ଟ୍ରାଲ କିଚେନ୍‌କୁ ସମ୍ପ୍ରସାରିତ କରିବା ପାଇଁ ନୋଡ଼ାଲ ଅଫିସର ଯେଉଁ କାରସାଦି ଚଳାଇଥିଲେ, ବିଭାଗୀୟ ସଚିବ ତାହାକୁ ଯଦି ଅଗ୍ରାହ୍ୟ କରିନଥାନ୍ତେ ତେବେ ଆଗାମୀ ବର୍ଷରେ ଅତିରିକ୍ତ ବୋଝ ୧୫ କୋଟି ଟଙ୍କାରୁ ଅଧିକ ହୋଇଥାନ୍ତା। ସୌଭାଗ୍ୟକ୍ରମେ ତାହା ମଞ୍ଜୁର ହୋଇନଥିବାରୁ ବିପୁଳ ବରବାଦରୁ ରାଜ୍ୟ ରକ୍ଷା ପାଇଛି। ଅନ୍ୟପକ୍ଷରେ ତତ୍କାଳୀନ ମୁଖ୍ୟ ସଚିବ ଗୋକୁଳ ପତିଙ୍କ ଅଧ୍ୟକ୍ଷତାରେ ୨୦୧୫ ମାର୍ଚ୍ଚ ୧୯ରେ ଅନୁଷ୍ଠିତ ୧୦ମ ରାଜ୍ୟ ସ୍ତରୀୟ ଷ୍ଟିଅରି˚ ଆଣ୍ତ ମନିଟରି˚ କମିଟି ବୈଠକରେ ଏହି କାର୍ଯ୍ୟକ୍ରମର ପରିଚାଳନାଗତ ତ୍ରୁଟିକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଅଦ୍ୟାବଧି ତାହାର ସମାଧାନ ହୋଇ ନାହିଁ। ଏହା ସତ୍ତ୍ବେ ନୋଡ଼ାଲ ଅଫିସର ଚଞ୍ଚକତା କରି ଏହି ବୈଠକର ବିବରଣୀ ସମ୍ପର୍କରେ ସଚିବଙ୍କୁ ଅନ୍ଧାରରେ ରଖି ୯ମ ବୈଠକର ବିବରଣୀ ଦେଖାଇ ଢେ଼ଙ୍କାନାଳ ଜିଲ୍ଲାରେ ଡବ୍ଲ୍ୟୁଏଫ୍‌ପିର ଲୌହସାର ଯୁକ୍ତ ଚାଉଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ମଞ୍ଜୁରୀ ନେବାରେ ସଫଳ ହୋଇଥିଲେ। ଫଳରେ ବର୍ଷେ/ଦୁଇ ବର୍ଷ ପରେ ରାଜକୋଷ ଉପରେ ପୁଣି ବାର୍ଷିିକ କୋଟିଏ ଟଙ୍କାର ଅତିରିକ୍ତ ଚାପ ପଡ଼ିବ। ମୋଟାମୋଟି ଭାବେ ଗଜପତିରେ କାର୍ଯ୍ୟକାରୀ ପାଇଲଟ୍‌ ପ୍ରକଳ୍ପକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ନକରି ଡବ୍ଲ୍ୟୁଏଫ୍‌ପିର ଏଭଳି ଅବାସ୍ତବ ତଥା ସନ୍ଦେହଜନକ ଯୋଜନାକୁ ସମ୍ପ୍ରସାରିତ କରିବା ନିମନ୍ତେ ନୋଡ଼ାଲ ଅଫିସର ବ୍ୟଗ୍ର ହେବା ନାନାଦି ସନ୍ଦେହ ସୃଷ୍ଟି କରିଛି। ।

ଡବ୍ଲ୍ୟୁଏଫ୍‌ପି କର୍ମକର୍ତ୍ତାଙ୍କ ତୋଷଣ ପାଇଁ ରାଜ୍ୟ ଅର୍ଥକୁ ବରବାଦ କରିବା ପଛରେ ନୋଡ଼ାଲ୍‌ ଅଫିସରଙ୍କ ଏଭଳି ସନ୍ଦେହଜନକ ଆଗ୍ରହକୁ ନେଇ ପ୍ରଶାସନିକ ଦପ୍ତରରେ ବିଭିନ୍ନ ଗୁଞ୍ଜରଣ ଜାରି ରହିଛି। ପ୍ରତିଦାନ ସ୍ବରୂପ ଡବ୍ଲ୍ୟୁଏଫ୍‌ପି କର୍ମକର୍ତ୍ତା ନୋଡ଼ାଲ ଅଫିସରଙ୍କ ଆମୋଦପୂର୍ଣ୍ଣ ବିଦେଶ ଗସ୍ତ ଓ ଦିଲ୍ଲୀରେ ତାରକା ହୋଟେଲରେ ରହଣୀ ପାଇଁ ବ୍ୟବସ୍ଥା କରୁଥିବା ଅଭିଯୋଗ ହେଉଛି। ଅଧିକ ସନ୍ଦେହଜନକ ହେଲା-ଏହି ଅଫିସରଙ୍କୁ ସରକାର ଇତିମଧ୍ୟରେ ତିନି ତନି ଥର ପଦୋନ୍ନତିଯୁକ୍ତ ବଦଳି କରିଥିଲେ ମଧ୍ୟ ସେ ଦୀର୍ଘ ୬ ବର୍ଷ ଧରି ମଧ୍ୟା‌ହ୍ନ ଭୋଜନ କାର୍ଯ୍ୟକ୍ରମର ନୋଡ଼ାଲ ଅଫିସର ଆସନରୁ ହଟୁନାହାନ୍ତି। ଉଚ୍ଚ ପ୍ରଶାସନ ମଧ୍ୟ ଏ କ୍ଷେତ୍ରରେ ନିରବ। ଅପର ପକ୍ଷରେ ଡବ୍ଲ୍ୟୁଏଫ୍‌ପିର କାୟା ବିସ୍ତାର ପାଇଁ ନୋଡାଲା ଅଫିସର ନିଜ ଦନ୍ତରରେ ଏହି ବେସରକାରୀ ସ˚ସ୍ଥାର ଅଫିସ ପରିଚାଳନା ନିମନ୍ତେ ସମସ୍ତ ବନ୍ଦୋବସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର