ଅଗଷ୍ଟ ୩୧ ଯାଏ ମଧ୍ୟାହ୍ନଭୋଜନ

ଦ୍ୱିତୀୟ ପର୍ଯ୍ୟାୟରେ ୫୭ ଦିନର ଦିଆଯିବ
ସ୍କୁଲରେ ବଣ୍ଟାଯିବ ଚାଉଳ, ଆକାଉଣ୍ଟକୁ ଯିବ ଅର୍ଥ

ଭୁବନେଶ୍ୱର : କରୋନା ସଂକ୍ରମଣ କମିବାର ନାଁ ଧରୁନି। ଦିନକୁ ଦିନ ବ୍ୟାପକ ହେବାରେ ଲାଗି ଥିବାରୁ ସ୍କୁଲ ଖୋଲିବା ସମ୍ଭବପର ହେଉନାହିଁ। ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ବଣ୍ଟନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୧୭ରୁ ଜୁନ୍‌ ୧୩ ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ବାବଦ ଚାଉଳ ଓ ରୋଷେଇ ଖର୍ଚ୍ଚ ଦିଆଯାଇଥିଲା। ଏବେ ଜୁନ୍‌ ୧୪ରୁ ପିଛିଲା ଭାବେ ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟାହ୍ନଭୋଜନ ଚାଉଳ ଓ ରୋଷେଇ ବାବାଦ ଖର୍ଚ୍ଚ ଦିଆଯିବ।

ଜୁନ୍‌ ୧୪ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ୫୭ ଦିନର ମଧ୍ୟାହ୍ନଭୋଜନ ଚାଉଳ ସ୍କୁଲ ପରିଚାଳନା କମିଟି(ଏସ୍‌ଏମ୍‌ସି)ର ସଦସ୍ୟଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକମାନେ ସ୍କୁଲ ପଏଣ୍ଟରେ ବଣ୍ଟନ କରିବେ। ଯଦି ସ୍କୁଲରେ ୫୭ଦିନରୁ ଅଧିକ ଦିନ ଲାଗି ମଧ୍ୟାହ୍ନଭୋଜନ ଚାଉଳ ରହିଥିବ, ତେବେ ସିଆରସିସିମାନେ ଉକ୍ତ ଚାଉଳକୁ ନିକଟସ୍ଥ ସ୍କୁଲକୁ ପଠାଇପାରିବେ, ଯେଉଁଠାରେ ଚାଉଳ ଅଭାବ ରହିଥିବ। ଏହାପରେ ବି ଯଦି ଚାଉଳ ଅଭାବ ଦେଖାଯାଏ, ‌ସେଭଳି ସ୍ଥିତିରେ ଅଭିଭାବକଙ୍କୁ କୁପନ୍‌ ବଣ୍ଟାଯିବ ଏବଂ ସେମାନେ ନିକଟସ୍ଥ ଇପିଏସ୍‌/ପିଡିଏସ୍‌ ଆଉଟ୍‌ଲେଟ୍‌ରୁ ଚାଉଳ ସଂଗ୍ରହ କରିପାରିବେ। ରୋଷେଇ ବାବଦ ଖର୍ଚ୍ଚ ସିଧାସଳଖ ପିଲା/ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ଯଦି ସ୍କୁଲରେ ହୋଇଥିବା ସଙ୍ଗରୋଧ ‌କେନ୍ଦ୍ର/ଟିଏମ୍‌ସି/କୋଭିଡ୍‌ କେୟାର ହୋମ୍‌ ଖାଲି ହୋଇଯାଇଥିବ, ତେବେ ତାହାକୁ ଭଲ ଭାବେ ବିଶୋଧନ କରି ସେଠାରେ ମଧ୍ୟାହ୍ନଭୋଜନ ଚାଉଳ ବଣ୍ଟନ କରାଯାଇପାରିବ। ସେହିପରି ଯେଉଁ ସ୍କୁଲ କ୍ୟାମ୍ପସ୍‌ରେ ସଙ୍ଗରୋଧ ‌କେନ୍ଦ୍ର/ଟିଏମ୍‌ସି/କୋଭିଡ୍‌ କେୟାର ହୋମ୍‌ ହୋଇଥିବ, କିନ୍ତୁ ଚାଉଳ ଅଲଗା ଘରେ ରହୁଥିବ ଏବଂ ବାହାର କରି ଅଣାଯାଇପାରିବ, ତେବେ ସେଠାରୁ ଚାଉଳକୁ ନିକଟସ୍ଥ ବିଦ୍ୟାଳୟକୁ ନିଆଯାଇ ବଣ୍ଟନ କରାଯାଇ ପାରିବ। ଯେଉଁ ସ୍କୁଲ କ୍ୟାମ୍ପସରୁ ଚାଉଳ ବାହାରକୁ ଆଣିବା ସମ୍ଭବପର ହେବ ନାହିଁ, ସେ କ୍ଷେତ୍ରରେ ପ୍ରଧାନ ଶିକ୍ଷକମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଜଣାଇବେ। ମଧ୍ୟାହ୍ନଭୋଜନ ଚାଉଳ ବଣ୍ଟନ ବେଳେ କୋଭିଡ୍‌-୧୯ ନିୟମ ଯଥା ମାସ୍କ ପିନ୍ଧିବା, ହ୍ୟାଣ୍ଡ ସାନି‌ଟାଇଜେସନ୍, ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରି ବଣ୍ଟନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ରଘୁରାମ ଆର. ଆୟାର ଆଜି ଏମ୍‌ଡିଏମ୍‌ ରାଜ୍ୟ ନୋଡାଲ ଅଫିସରଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର