ମଧ୍ୟାହ୍ନ ଭୋଜନ ଖାଦ୍ୟ ନିରାପଦ ତ?

ଡରାଇଲାଣି ଖାଦ୍ୟ କମିସନଙ୍କ ରିପୋର୍ଟ; ହାତବାନ୍ଧି ବସିଛନ୍ତି ସରକାର, ବିକ୍ରେନ୍ଦ୍ରୀକରଣ ଆଳ

ଭୁବନେଶ୍ୱର: ରାଜ୍ୟର ଲକ୍ଷ ଲକ୍ଷ କୋମଳମତିି ଶିଶୁୁଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଖାଦ୍ୟ ନିରାପଦ ତ? ଏଭଳି ଏକ ସଙ୍ଗିନ୍‌ ପ୍ରଶ୍ନ ଅଭିଭାବକ, ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କରୁଛି। କାରଣ, ମଧ୍ୟାହ୍ନ ଭୋଜନରେ ଶିଶୁଙ୍କୁ ଯେଉଁ ଖାଦ୍ୟ ଦିଆଯାଉଛି, ତାର ମାନ ଉପରେ ପ୍ରଶ୍ନ ଉଠିଛି। କିଛି ଜିଲ୍ଲାର ମଧ୍ୟାହ୍ନ ଭୋଜନ ଖାଦ୍ୟ ଯାଞ୍ଚ ପରେ ଯେଉଁ ରିପୋର୍ଟ ମିଳିଛି, ସେଥିରୁ ଏଭଳି ସାଂଘାତିକ ତଥ୍ୟର ଉନ୍ମୋଚିତ ହୋଇଛି। ଗତକାଲି ରାଜ୍ୟ ଖାଦ୍ୟ କମିସନ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ସତର୍କ କରାଇଛନ୍ତି। କୁହାଯାଇଛି, ମଧ୍ୟାହ୍ନ ଭୋଜନରେ ପୁଷ୍ଟିକର ଖାଦ୍ୟ ନୁହେଁ, ବରଂ ଅଖାଦ୍ୟ ଦିଆଯାଉଛି, ଯାହା ଆଦୌ ନିରାପଦ ନୁହେଁ। ଏଭଳି ଖାଦ୍ୟ ଦେଉଥିବା ଅଧିକାରୀ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ କମିସନ ନିବେଦନ କରିଛନ୍ତି। କମିସନଙ୍କ ଏହି ରିପୋର୍ଟ ହଇଚଇ ସୃଷ୍ଟି କଲାଣି।

କେବଳ ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳ ନୁହେଁ, ଉପକୂଳବର୍ତୀ ଜିଲ୍ଲା, ଏପରିକି ରାଜଧାନୀ ଭୁବନେଶ୍ୱରର ଅନତି ଦୂରରେ ଥିବା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଏତେ ବଡ଼ କେଳେଙ୍କାରୀ ଚାଲିଛି ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏଭଳି ଏକ ଜଘନ୍ୟ କଥା ସଂପର୍କରେ କାହିଁକି ଅଧିକାରୀମାନେ ଆଗୁଆ ଜାଣିପାରିଲେ ନାହିଁ? ମୂଳରୁ ଚୂଳ ପର୍ଯ୍ୟନ୍ତ କର୍ମଚାରୀ ଏ କେଳେଙ୍କାରୀରେ ନାହାନ୍ତି ତ? ଏମିତି ଅନେକ ପ୍ରଶ୍ନ ଏବେ ଆଲୋଚନା ପରିସରକୁ ଆସିଛି।

ଛୋଟ ଛୋଟ ନିଷ୍ପାପ ଶିଶୁଙ୍କ ସହିତ ସରକାରଙ୍କ ଏ ଖେଳ ସେମାନଙ୍କ ପାଇଁ ଯେ କୌଣସି ମୁହୂର୍ତରେ କାଳ ହୋଇପାରେ, ଏ ଆଶଙ୍କାକୁ ବି ଏଡ଼ାଇ ଦେଇ ହେବ ନାହିଁ। ହେଲେ ରାଜ୍ୟ ସରକାର ଏହା ଉପରେ ତନାଘନା କରିନାହାନ୍ତି। ଓଲଟା କମିସନଙ୍କ ଏହି ରିପୋର୍ଟକୁ ହାଲକା ଭାବେ ଗ୍ରହଣ କରାଯାଇଥିବା ଜଣାପଡିଛି। ରାଜ୍ୟ ସରକାରଙ୍କର ଜଣେ ଅଧିକାରୀ କହିଛନ୍ତି, ମଧ୍ୟାହ୍ନ ଭୋଜନର ବ୍ୟବସ୍ଥାର ବିକେନ୍ଦ୍ରୀକରଣ କରାଯାଇଛି। ଅର୍ଥାତ୍‌ ସରକାର ଏହାର ଉତ୍ତରଦାୟିତ୍ୱ ମୁଣ୍ଡାଇବାକୁ ନାରାଜ। ଏପରିସ୍ଥଳେ ଖାଦ୍ୟର ମାନ କିଏ ଯାଞ୍ଚ କରିବ, କାର୍ଯ୍ୟାନୁଷ୍ଠାନ ଦାୟିତ୍ୱ କାହାର, ସେ ନେଇ ପ୍ରଶ୍ନ ଉଠିଛି।

ଓଡ଼ିଶା ରାଜ୍ୟ ଖାଦ୍ୟ କମିସନର ସଦସ୍ୟ ସଚିବ ରାଜଶ୍ରୀ ମହାନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ସଚିବ, ରାଜ୍ୟ ଖାଦ୍ୟ ନିରାପତ୍ତା କମିସନର୍‌, ମଧ୍ୟାହ୍ନ ଭୋଜନ ପରିଚାଳନା ଦାୟିତ୍ୱରେ ଥିବା ରାଜ୍ୟ ପ୍ରକଳ୍ପ ଅଧିକାରୀଙ୍କୁ ଗତକାଲି ଏକ ଚିଠି ଲେଖିଥିଲେ। ଏଥିରେ କୁହାଯାଇଛି ଯେ ୨୦୧୬ ଓ ୨୦୧୭ ମସିହାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷଣ କରାଯାଇଛି। ଚଳିତ ବର୍ଷ ଏପ୍ରିଲ୍‌ରୁ ଅକ୍ଟୋବର ମଧ୍ୟରେ ରାଜ୍ୟ ଖାଦ୍ୟ ବିଶ୍ଳେଷଣ ବିଭାଗର ଉପନିର୍ଦ୍ଦେଶକ (ଡିଡ଼ିଏଫ୍‌ଏ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁନ୍ଦରଗଡ଼ସ୍ଥିତ ଭବାନୀ ଶଙ୍କର ହାଇସ୍କୁଲ, ବାଲେଶ୍ୱରସ୍ଥିତ ପବ୍ଲିକ୍‌ ନୋଡ଼ାଲ ୟୁପି ସ୍କୁଲ, ଖୋର୍ଦ୍ଦା ଦେଉଳଟାଙ୍ଗୀ ପ୍ରକଳ୍ପ ୟୁପି ସ୍କୁଲ, ଯାଜପୁରସ୍ଥିତ ଭଗତପୁର ପ୍ରାଥମିକ ସ୍କୁଲ, କୋରାପୁଟର ମାଳି ଷ୍ଟ୍ରିଟ୍‌ ଓ ଭଣ୍ଡି ଷ୍ଟ୍ରିଟ୍‌ସ୍ଥିତ ପ୍ରାଥମିକ ସ୍କୁଲ ଏବଂ ମାଲକାନାଗିରିସ୍ଥିତ ମାଟାପକା ଆବାସିକ ସ୍କୁଲ ଆଦିରୁ ମଧ୍ୟାହ୍ନ ଭୋଜନ ଖାଦ୍ୟର ନମୁନା ସଂଗ୍ରହ କରାଯାଇଥିଲା। ସେଗୁଡ଼ିକୁ ପରୀକ୍ଷା କରାଯିବା ପରେ ଜଣାପଡ଼ିଛି ଯେ ସମ୍ପୃକ୍ତ ସ୍କୁଲଗୁଡ଼ିକରେ ପରିବେଷଣ କରାଯାଉଥିବା ମଧ୍ୟାହ୍ନ ଭୋଜନ ଖାଦ୍ୟରେ ସର୍ବନିମ୍ନ ପୁଷ୍ଟିକର ମାନ ନାହିଁ। ୨୦୧୬ ମସିହାରେ ବଙ୍ଗୋମୁଣ୍ଡା ଏଚ୍‌ଏମ୍‌ ସରକାରୀ ଉପ୍ରା ବିଦ୍ୟାଳୟ, ପୁଇଁତଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ସେହି ବଲାଙ୍ଗୀରର ଏଚ୍‌ ଏମ୍‌ କାଟ୍ରାକେଲା ସେବାଶ୍ରମର ଖାଦ୍ୟ ମାନ ଯାଞ୍ଚ ପରେ ବି ଅନୁରୂପ ରିପୋର୍ଟ ଆସିଛି ଯେ ଖାଦ୍ୟ ନିରାପତ୍ତା ଓ ମାନ ଆଇନ-୨୦୦୬ରେ ନିର୍ଦ୍ଧାରିତ ମାପକାଠି ଦୃଷ୍ଟିରୁ ତାହା ନିରାପଦ ନୁହେଁ। ଏହି ଆଇନ ଅନୁଯାୟୀ ଆଇନ ଉଲ୍ଲଙ୍ଘନକାରୀଙ୍କ ପାଇଁ ୧ଲକ୍ଷରୁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ୬ମାସରୁ ୬ବର୍ଷ ପର୍ଯ୍ୟନ୍ତ ଜେଲ ବ୍ୟବସ୍ଥା ରହିଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟର ୫୮,୨୦୫ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୪୮,୭୯,୨୦୩ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଯୋଗାଣର ବ୍ୟବସ୍ଥା ରହିଛି। ମଧ୍ୟାହ୍ନଭୋଜନ ଯୋଗାଣ ଲାଗି ରାଜ୍ୟରେ ଏବେ ଅକ୍ଷୟପାତ୍ର ଫାଉଣ୍ଡେସନ, ପଶ୍ଚିମ ଘେରି କ୍ଲବ, ମାନା ଟ୍ରଷ୍ଟ, ପିପୁଲ୍‌ ଓ ଫୋରମ, ଦାମୋଦର ଜୀଉ ସଂଗଠନ ଏବଂ ଗୋଟିଏ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଆଦି କାର୍ଯ୍ୟ କରୁଥିବାବେଳେ ଆହୁରି ୪୧ ଟି ସଂସ୍ଥା ମଧ୍ୟାହ୍ନଭୋଜନ ଯୋଗାଣ ପାଇଁ ସରକାରଙ୍କ ନିକଟରେ ଆବେଦନ କରି ଅପେକ୍ଷାରେ ରହିଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଯୋଗାଣ ଲାଗି ପ୍ରାଥମିକ ବିଦ୍ୟାଳୟର ପ୍ରତି ପିଲା ପିଛା ଦୈନିକ ୪ ଟଙ୍କା ୫୮ ପଇସା ଦିଆଯାଉଥିବାବେଳେ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଲାଗି ୬ ଟଙ୍କା ୮୩ ପଇସା କରି ଯୋଗାଇ ଦିଆଯାଉଛି। ଏଥିପାଇଁ ଆବଶ୍ୟକ ପଡୁଥିବା ଚାଉଳକୁ ସରକାର ମାଗଣାରେ ଯୋଗାଉଛନ୍ତି।

ସମ୍ବନ୍ଧିତ ଖବର