ଏପ୍ରିଲରୁ ମିଳିବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ବର: ରାଜ୍ୟର ସ୍କୁଲଗୁଡିକରେ ଏବେ ରନ୍ଧାଖାଦ୍ୟ ମିଳିବ। ଆସନ୍ତା ଏପ୍ରିଲରୁ ଏହା କାର୍ଯ୍ୟକ୍ଷମ ହେବ ବୋଲି ସ୍କୁଲ ଏବଂ ଗଣ ଶିକ୍ଷା ବିଭାଗ ତରଫରୁ କୁହାଯାଇଛି। ଏ ସଂକ୍ରାନ୍ତରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। କୋଭିଡ ପରଠାରୁ ପିଏମ ପୋଷଣା ଯୋଜନା ଅନ୍ତର୍ଗତ ମଧ୍ୟାହ୍ନ ଭୋଜନରେ ଯେଉଁ ରନ୍ଧା ଖାଦ୍ୟ ପିଲାଙ୍କୁ ଦିଆଯାଉଥିଲା ତାହା ବନ୍ଦ ଥିଲା। ଫଳରେ ପିଲାଙ୍କୁ ଶୁଖିଲା ରାସନ ଦିଆଯାଉଥିଲା।

ରନ୍ଧା ବାବଦ ଅର୍ଥ ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯାଉଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅନୁଦାନ ମିଳୁଥିଲା। ବର୍ତ୍ତମାନ ସ୍କୁଲ ଖୋଲିଛି। ତେଣୁ ରନ୍ଧାଖାଦ୍ୟ ପିଲାଙ୍କୁ ଦେବାକୁ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ମୁତାବକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଦ୍ବାରା ଅବଗତ କରାଯାଇଛି। ଏଥିଲାଗି ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ସ୍ବତନ୍ତ୍ର ଏସଓପି ମଧ୍ୟ ଜାରି କରାଯାଇଛି।

ଏଥିରେ କୁହାଯାଇଛି ଯେ, ଅନେକ ଦିନ ଧରି ଏହି ବ୍ୟବସ୍ଥା ବନ୍ଦ ଥିଲା। ତେଣୁ ଖାଦ୍ୟ ରୋଷେଇ କରିବା ପୂର୍ବରୁ ରୋଷେଇ ଶାଳର ବାହାର ଓ ଭିତର ପରିଷ୍କାର କରିବାକୁ ପଡିବ। ଯେଉଁଠି ପିଲାମାନେ ହାତଧୋଇବେ ସେହି ସ୍ଥାନକୁ ସାନିଟାଇଜ କରିବାକୁ ପଡିବ। ରୋଷେଇ କରିବା ତଷଲା ଓ ହଣ୍ଡାହାଣ୍ଡିକୁ ପରିଷ୍କାର କରିବା, ପୂର୍ବରୁ ମଧ୍ୟାହ୍ନ ଭୋଜନ ପାଇଁ ଯାହା ଷ୍ଟାକ ଥିଲା ତାହା ଭଲ ଅଛି କି ନାହିଁ ଓ ଖାଦ୍ୟ ଉପଯୋଗୀକି ନୁହେଁ ତାହାକୁ ଠିକ୍‌ ଭାବେ ଯାଞ୍ଚ କରିବା, ୨୦୨୦ ମାର୍ଚ୍ଚ ୧୩ ତାରିଖରୁ ମଧ୍ୟାହ୍ନଭୋଜନ ବନ୍ଦ ଥିବାରୁ ଯାହା ଷ୍ଟକ ଥିଲା ତାହା ନଷ୍ଟ ହୋଇଯାଇଥିବ। ତେଣୁ ତାହାକୁ ତଦନ୍ତ କରି ସ୍କୁଲର ପ୍ରଧାନ ଶିକ୍ଷକ ଉଚ୍ଚଅଧିକାରୀଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି। ଖାଦ୍ୟରନ୍ଧା ବେଳେ ଠିକ୍‌ ଭାବେ ସିଆରସିସି, ବିଇଓ ଓ ଡିଇଓ ମନିଟରିଂ କରିବାକୁ କୁହାଯାଇଛି। ରନ୍ଧାଖାଦ୍ୟ ପାଇଁ ଯେଉଁ ସାମଗ୍ରୀ କିଣାଯାଉଛି ତାହାକୁ ଠିକ୍‌ ଭାବେ ଯାଞ୍ଚ କରିବା ଏବଂ ଠିକ୍‌ ଭାବେ ପରିବେଷଣ କରିବା ଉପରେ ଗୁରୁତ୍ବ ଦେବାକୁ ଏହି ଏସଓପିରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର