ବିଦ୍ୟାଳୟ ମଧ୍ୟାହ୍ନଭୋଜନକୁ ମହଙ୍ଗା ମାଡ଼, ସ୍ୱଳ୍ପ ଖର୍ଚ୍ଚରେ ପିଲାଙ୍କୁ ଖାଦ୍ୟ ଯୋଗାଇବେ କେମିତି?

ପ୍ରାଥମିକ ପାଇଁ ମିଲ୍‌ ଦର ୫ ଟଙ୍କା ୪୨ ପଇସା, ଉଚ୍ଚ ପ୍ରାଥମିକ ପାଇଁ ୮ ଟଙ୍କା ୧୦ ପଇସା

ଯାଜପୁର ଟାଉନ୍‌/କାଳିଆପାଣି : କରୋନା କାଳରେ ବିଦ୍ୟାଳୟ ବନ୍ଦ ଯୋଗୁଁ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ବାବଦରେ ଅର୍ଥ ଏବଂ ଚାଉଳ ଯୋଗାଇ ଦେଉଥିଲେ। ଚଳିତ ମାସ ୨୫ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲରେ ଅଷ୍ଟମ ଶ୍ରେଣୀ ଖୋଲିଛି। ନଭେମ୍ବର ମାସରୁ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ସବୁ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ବିଦ୍ୟାଳୟ ନିୟମିତ ଖୋଲିବାପରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି ପିଲାଙ୍କୁ ଦିଆଯିବ। ହେଲେ ବଜାର ଦରଦାମ୍‌ ଯେଭଳି ବଢ଼ିଛି, ସରକାରଙ୍କ ଦ୍ବାରା ଧାର୍ଯ୍ୟ ମିଲ୍‌ ଦରରେ ପିଲାଙ୍କୁ ଖାଦ୍ୟ ଯୋଗାଇବା ସମ୍ଭବ ହେବ କି ବୋଲି ପ୍ରଶ୍ନ ଉଠିଲାଣି। ଜାଳେଣି ଠାରୁ ଆରମ୍ଭ କରି ସବୁ ସାମଗ୍ରୀର ଦର ଆକାଶଛୁଆଁ ହୋଇଥିବାରୁ ରାଜ୍ୟର ଅଧିକାଂଶ ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି।

କରୋନା ଆଳରେ ପେଟ୍ରୋଲିଅମ୍‌ ପଦାର୍ଥକୁ ତାଳଦେଇ ତେଜରାତି ଦର ହୁ’ହୁ’ ହୋଇ ବଢ଼ିବାରେ ଲାଗିଛି। ଅଣ୍ଡା‌ ଗୋଟିକୁ ୬ ରୁ ୭ ଟଙ୍କାରେ ବିକ୍ରି ହେଲାଣି। ଖାଇବା ତେଲ ଦର ଲିଟର ପିଛା ୨ ଶହ ଟପିଲାଣି। ଡାଲି କିଲୋ ଶହେରୁ ଶହେ କୋଡ଼ିଏ। ୬ ମାସ ତଳେ ସୋୟା ବଡ଼ି(ମିଲ୍‌ ମେକର) କିଲୋକୁ ଶହେ ଟଙ୍କା ଥିବା ବେଳେ ‌ଏବେ ଦେଢ଼ଶହ ଛୁଇଁଛି। ଆଳୁ କିଲୋ ୧୭ ରୁ ୨୦ ଟଙ୍କା, ପିଆଜ କିଲୋ ୫୦ ଟଙ୍କା ରହିଥିବା ବେଳେ ଅଧିକାଂଶ ପରିବା ଦର ୮୦ ଟଙ୍କା ପାଖାପାଖି। ରନ୍ଧନ ଗ୍ୟାସ ମୂଲ୍ୟ ସିଲିଣ୍ଡର ପିଛା ‌୧ ହଜାର ହେଲାଣି। ଜାଳକାଠ ଦର ନକହିବା ଭଲ। ବର୍ଷକୁ ବର୍ଷ ‌ଦେଢ଼ଗୁଣା ବଢ଼ୁଛି। କିନ୍ତୁ ସରକାରଙ୍କ ପକ୍ଷରୁ ପ୍ରାଥମିକ ସ୍କୁଲ ପିଲାଙ୍କ ଲାଗି ଜଣ ପିଛା ୫ ଟଙ୍କା ୪୨ ପଇସା ଓ ଉଚ୍ଚ ପ୍ରାଥମିକ ସ୍କୁଲ ପିଲାଙ୍କ ଲାଗି ୮ ଟଙ୍କା ୧୦ ପଇସା ଧାର୍ଯ୍ୟ ହୋଇଛି। ଏଭଳି ଏକ ତିରୋଟ ସମୟରେ ପୂର୍ବ ନିର୍ଦ୍ଧାରିତ ଦରରେ ସ୍କୁଲ ପିଲାଙ୍କୁ ସପ୍ତାହରେ ୨ ଦିନ ଲେଖାଏଁ ଅଣ୍ଡା ତରକାରି, ମିଲମେକର ତରକାରି ଓ ଡାଲ୍‌ମା ଦିଆଯାଇ ପାରିବ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବଜାର ଦର ଦେଖି ମଧ୍ୟାହ୍ନଭୋଜନ ଦାୟିତ୍ବରେ ଥିବା ପ୍ରଧାନଶିକ୍ଷକ, ସ୍ବୟଂ ସହାୟିକା ଗୋଷ୍ଠୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନର ମୁଣ୍ଡ ଘୂରାଇ ଦେଉଛି। ସ୍କୁଲରେ ଛାତ୍ର ଉପସ୍ଥାନକୁ ବଢ଼ାଇ ଚଢ଼ାଇ ନଦେଖାଇଲେ ଧାର୍ଯ୍ୟ ସରକାରୀ ଦରରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେଇପାରିବୁ ନାହିଁ ବୋଲି ବହୁ ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କ ନାମ ଗୋପନ ରଖିବା ସର୍ତ୍ତରେ ମତ ରଖିଛନ୍ତି।

ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ଯେ ଯେଉଁ ବିଦ୍ୟାଳୟରେ ପ୍ରକୃତ ଉପସ୍ଥାନ ଶତ ପ୍ରତିଶତ କିମ୍ବା ପାଖାପାଖି ଉପସ୍ଥାନ ରହିଲା ସେଇଠି ଶିକ୍ଷକ ନିଜ ପକେଟରୁ ଟଙ୍କା ଗଣିବାକୁ ବାଧ୍ୟ ହେବେ ବୋଲି ମତ ଦେଇଛନ୍ତି।

ମଧ୍ୟାହ୍ନ ଭୋଜନ ପାଇଁ ଧାର୍ଯ୍ୟ ଦର ବହୁ ତଳେ ଥିବା ଦର୍ଶାଇ ସୁକିନ୍ଦା ବ୍ଲକ ସହକାରୀ ଶିକ୍ଷା ଅଧିକାରୀ(ଏବିଇଓ) ଗୟାଧର ପରିଡ଼ାଙ୍କୁ ପଚାରିବାରେ ସରକାର ଦର ଧାର୍ଯ୍ୟ କରିଛନ୍ତି, ଆମେ ଆଉ କ’ଣ କରିପାରିବୁ ବୋଲି କହି ଅସହାୟତା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର