ପ୍ଲାଷ୍ଟିକ ଚାଉଳ ନା ଭିଟାମିନଯୁକ୍ତ ଚାଉଳ? ଦ୍ୱନ୍ଦ୍ୱରେ ଅଭିଭାବକ, ମଧ୍ୟାହ୍ନ ଭୋଜନକୁ ବନ୍ଦ କଲେ ଗାଁ ଲୋକ

ବଲାଙ୍ଗୀର : ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ବଢ଼ାଇବା ପାଇଁ ସ୍କୁଲମାନଙ୍କରେ ମଧ୍ୟାହ୍ନ ଭୋଜନ ଦେଉଛନ୍ତି ସରକାର। କିନ୍ତୁ କେବେ ନିମ୍ନ ମାନର ଖାଦ୍ୟ ତ ପୁଣି କେବେ ପଚା ଅଣ୍ଡା ଦିଆଯାଉଥିବାର ଅଭିଯୋଗ ଅସିଥାଏ। କିନ୍ତୁ ଏବେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଝାଙ୍କରପାଲି ଗାଁରୁ ଗୁରୁତର ଅଭିଯୋଗ ଆସିଛି। ମଧ୍ୟାହ୍ନ ଭୋଜନରେ ପ୍ଲାଷ୍ଟିକ ଚାଉଳ ଦିଆଯାଉଥିବା ଗାଁ ଲୋକ ସନ୍ଦେହ କରିଛନ୍ତି। ଚାଉଳର ଆକାର ବଡ଼ ଥିବା ବେଳେ ତାହା ପ୍ଲାଷ୍ଟିକ ଭଳି ଜଣାପଡୁଥିବା ସନ୍ଦେହ କରି ମଧ୍ୟାହ୍ନ ଭୋଜନକୁ ବନ୍ଦ କରିଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୧୮ ତାରିଖ ସବୁଦିନ ଭଳି ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା। ଭାତ ଖାଇ ସାରିବା ପରେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ପେଟ ବ୍ୟଥା ହୋଇଥିଲା। କଣ ପାଇଁ ଛାତ୍ରଛାତ୍ରୀଙ୍କୁ ପେଟ ବ୍ୟଥା ହେଲା ତାକୁ ନେଇ ଝାଙ୍କରପାଲି ଗାଁରେ ବୈଠକ ବସିଥିଲା। ବୈଠକରେ ନିଷ୍ପତ୍ତି ଅନୁସାରେ ସ୍କୁଲ ଉପରେ ଚଢ଼ଉ କରିଥିଲେ ଗାଁ ଲୋକେ। ଗାଁ ଲୋକେ ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ଚାଉଳକୁ ଛାନଭିନ କରିଥିଲେ। ଚାଉଳ ଭିତରେ କିଛି ବଡ଼ ବଡ଼ ସାଇଜର ଧଳା ରଙ୍ଗର ଚାଉଳ ଥିବା ଗାଁ ଲୋକେ ଦେଖିଥିଲେ। ସେ ଚାଉଳକୁ ପାଣିରେ ପକାଇବାରୁ ତାହା ବତୁରି ନଯାଇ ଟାଣ ରହିଥିଲା। ତାପରେ ଚାଉଳ ବତୁରାଯାଇଥିବା ପାଣିରେ କିଛି ଧଳା ରଙ୍ଗର ଜିନିଷ ଭାସୁଥିବା ଦେଖିବାକୁ ପାଇଥିଲେ। ଏପରିକି ସେ ବଡ଼ ବଡ଼ ଚାଉଳକୁ ନିଆଁରେ ପୋଡ଼ିଥିଲେ। ଧୂଆଁରୁ ପ୍ଲାଷ୍ଟିକ ବାସ୍ନା ଆସୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଗାଁ ଲୋକେ ମଧ୍ୟାହ୍ନ ଭୋଜନରେ ପ୍ଲାଷ୍ଟିକ ଚାଉଳ ଦିଆଯାଉଥିବା ଅଭିଯୋଗ କରି ମଧ୍ୟାହ୍ନ ଭୋଜନକୁ ବନ୍ଦ କରି ଦେଇଛନ୍ତି।

ଅନ୍ୟପଟେ ଗାଁ ଲୋକଙ୍କ ଠାରୁ ଅଭିଯୋଗ ପାଇବା ପରେ ସ୍କୁଲର ପ୍ରଧାନ ଶିକ୍ଷକ ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଉପରିସ୍ଥ ଅଧିକାରୀ ସେଇଟା ପ୍ଲାଷ୍ଟିକ ଚାଉଳ ନୁହେଁ ଏବଂ ତାହା ଫୋର୍ଟିଫାଏଡ ରାଇସ୍‌ ଭିଟାମିନଯୁକ୍ତ ଚାଉଳ ବୋଲି କହିଥିଲେ। କିନ୍ତୁ ଗାଁ ଲୋକେ ମାନିବାକୁ ନାରାଜ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କହିବା ହେଲା, ଜିଲ୍ଲାରେ ବହୁ ସଂଖ୍ୟାରେ ଛୋଟ ଛୋଟ ଛୁଆ ପୁଷ୍ଟିହୀନତାର ଶିକାର ହେଉଛନ୍ତି। ତେଣୁ ଜିଲ୍ଲାରେ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ଚାଉଳରେ ଭିଟାମିନ ମିଶାଯାଉଛି। ସ୍କୁଲମାନଙ୍କୁ ଫୋର୍ଟିଫାଏଡ ରାଇସ୍‌ ଦିଆଯାଉଛି। ସେହି ଚାଉଳରେ ଆଇରନ ସହିତ ବିଭିନ୍ନ ପ୍ରକାର ଭିଟାମିନ ମିଶାଯାଉଛି। ତେଣୁ ସେହି ଚାଉଳକୁ ଲୋକେ ପ୍ଲାଷ୍ଟିକ ଚାଉଳ କହୁଥିବା ସେ କହିଛନ୍ତି। କିନ୍ତୁ ଯଦି ଭିନ୍ନ ଧରଣର ଚାଉଳ ଦିଆଗଲା, ତେବେ ଏ ସମ୍ପର୍କରେ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କୁ ସଚେତନ କରିବା କଥା। କିନ୍ତୁ ତାହା କରାଯାଉ ନାହିଁ। ଫଳରେ ଚାଉଳକୁ ନେଇ ଦ୍ୱନ୍ଦ୍ବ ଦେଖାଯାଇଛି।

ସମ୍ବନ୍ଧିତ ଖବର