ଗୋଦାମରୁ ବାହାରିଲା, ୨ଦିନ ପରେ ସ୍କୁଲ୍‌ରେ ପହଞ୍ଚିଲା
ହଡ଼ପ କରାଯାଉଛି ଶହଶହ କ୍ବିଣ୍ଟାଲ ଚାଉଳ
୪ ବର୍ଷ ହେଲା କାହିଁକି ହୋଇନି ଟେଣ୍ଡର?

Advertisment

ସୁନ୍ଦରଗଡ଼ : ମଧ୍ୟାହ୍ନଭୋଜନ ଚାଉଳ ନେଇ ଯେଉଁ ଗାଡ଼ି ଗୋଦାମରୁ ସିଧା ସ୍କୁଲ୍‌ରେ ପହଞ୍ଚିବା କଥା, ତାହା ଅଧାବାଟରେ ଅଟକୁଛି। ଏମିତିକି, ସ୍କୁଲ୍‌ରେ ପହଞ୍ଚିବା ପାଇଁ ଦିନେ ଦୁଇଦିନ ବି ଲାଗିଯାଉଛି। ଗୋଟିଏ କି ଦୁଇଟି ସ୍କୁଲ୍‌ରେ ନୁହେଁ, ଅଧିକାଂଶ ସ୍କୁଲ୍‌ କ୍ଷେତ୍ରରେ ଏହିଭଳି ଘଟଣା ଘଟୁଥିବାବେଳେ ଏହାର ଚାଞ୍ଚଲ୍ୟକର ତଥ୍ୟ ‘ସମ୍ବାଦ’ର ହସ୍ତଗତ ହୋଇଛି। ତେବେ, କାହିଁକି ଏବଂ କେଉଁ ପ୍ରରିପ୍ରେକ୍ଷୀରେ ମଧ୍ୟାହ୍ନ ଭୋଜନ ଗାଡ଼ି ଅଧାବାଟରେ ଅଟକୁଛି? କାହିଁକି କୁନିକୁନିଙ୍କ ଭାତଥାଳିକୁ ଲୁଟିବା ପାଇଁ ଉଦ୍ୟମ କରାଯାଉଛି? ଏହିଭଳି ପ୍ରଶ୍ନ ଏବେ ବୁଦ୍ଧିଜୀବୀ ମହଲରେ ଆନ୍ଦୋଳନ ସୃଷ୍ଟି କରିଛି।

ଗତ ଫେବ୍ରୁଆରି ୨୬ତାରିଖରେ ଏହିଭଳି ଏକ ଘଟଣା ସାମ୍‌ନାକୁ ଆସିଥିଲା। ସୁନ୍ଦରଗଡ଼ ଜିଲ୍ଲା ଉଜ୍ବଳପୁରରେ ଥିବା ରାଜ୍ୟ ସରକାରଙ୍କ ଗୋଦାମରୁ ସୁନ୍ଦରଗଡ଼ ବ୍ଲକ୍‌ ଭବାନୀଶଙ୍କର ହାଇସ୍କୁଲ ଓ କର୍ଲା ସୁବାସଚନ୍ଦ୍ର ହାଇସ୍କୁଲକୁ ପିଲାଙ୍କ ଖାଦ୍ୟ ପାଇଁ ୧୭୮ ବ୍ୟାଗ ବା ୮୮ କ୍ବିଣ୍ଟାଲ ଚାଉଳ ପଠାଯାଇଥିଲା। କିନ୍ତୁ ସେଦିନ ଭବାନୀଶଙ୍କର ହାଇସ୍କୁଲକୁ ଚାଉଳ ପହଞ୍ଚିନଥିଲା। ୨ ଦିନ ପରେ ଅର୍ଥାତ୍‌ ୨୮ ତାରିଖରେ ସ୍କୁଲ୍‌ରେ ପହଞ୍ଚି ଥିଲା। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସ୍କୁଲ୍‌କୁ ଆସିଥିଲା ୭୯ ବସ୍ତା ଚାଉଳ । ଗୋଦାମରୁ ସିଧା ପଞ୍ଚାୟତ ଓ ସ୍କୁଲରେ ପହଞ୍ଚିବାର ନିୟମ ରହିଥିବାବେଳେ ୨ ଦିନ କେଉଁଠି ଓ କାହିଁକି ରଖାଯାଇଥିଲା, ତାହା ଏବେ ରହସ୍ୟଘେରରେ। ଖାଲି ଏହି ଗୋଟିଏ ଘଟଣା ନୁହେଁ, ସେହି ୨୬ ତାରିଖରେ ଆଉ ଏକ ଘଟଣା ବି ଘଟିଥିଲା। ସେଦିନ ଟାଙ୍ଗରପାଲି ବ୍ଲକ୍‌ ‌ମେଘଡେଗା ଆଶ୍ରମ ସ୍କୁଲ ଓ ଅଲେଇକେରା ହାଇସ୍କୁଲକୁ ୧୩୩ ବ୍ୟାଗ ବା ୬୬ କ୍ବିଣ୍ଟାଲ, ମଝାପଡ଼ା ବ୍ରଜଲାଲ ହାଇସ୍କୁଲ ଓ ଲେଢ଼ିମଙ୍ଗ ପିଏସ୍‌ ହାଇସ୍କୁଲକୁ ୧୭୪ ବ୍ୟାଗ ବା ୮୭ କ୍ବିଣ୍ଟାଲ ଚାଉଳ ପଠାଯାଇଥିବା ସରକାରୀ ତଥ୍ୟ କହୁଛି। କିନ୍ତୁ ୬ଟି ସ୍କୁଲକୁ ଚାଉଳ ପହଞ୍ଚାଇବାକୁ ଗୋଟିଏ ମାତ୍ର ଟ୍ରକ୍‌ (ଓଆର୧୬ଇ-୧୯୭୨) ହିଁ ବ୍ୟବହୃତ ହୋଇଥିବା ସରକାରୀ ରେକର୍ଡ଼ କହୁଛି। ଏହା ଆଦୌ ସମ୍ଭବ ନୁହେଁ ବୋଲି ଏହି ବ୍ୟବସାୟ ସହ ସମ୍ପୃକ୍ତ ଅଧିକାଂଶ ଲୋକ କହିଛନ୍ତି। ସେମା‌ଙ୍କର ଯୁକ୍ତି ହେଉଛି, ‘ ଗୋଦାମ ବା ୬ଟି ସ୍କୁଲ୍‌ର ଦୂରତାକୁ ହିସାବକୁ ନେଲେ ଗୋଟିଏ ଦିନରେ ଗୋଟିଏ ଟ୍ରକ୍‌ରେ ୩ଥର ଚାଉଳ ପରିବହନ ଆଦୌ ସମ୍ଭବ ନୁହେଁ । ଉଜ୍ବଳପୁରରୁ ସୁନ୍ଦରଗଡ଼ ବିଏସ ହାଇସ୍କୁଲର ଦୂରତା ୧୫ କିଲୋମିଟର ହୋଇଥିବା ବେଳେ କର୍ଲାର ଦୂରତା ୪୪ କିଲୋମିଟର। ସେହିପରି ମଝାପଡ଼ା ଓ ଲେଢ଼ିମଙ୍ଗ ୩୫ କିଲୋମିଟର, ମେଘଡେଗା ୧୨, ଅଲେଇକେରା ୨୫ କିଲୋମିଟର ଦୂରତାରେ ରହିଛି। ଏଥିରେ ପୁଣି ଲୋଡିଂ ଓ ଅନ୍‌ଲୋଡିଂର ସମୟ ରହିଛି। ’ ତେଣୁ ସ୍କୁଲ୍‌ରେ କିଭଳି ଚାଉଳ ପହଞ୍ଚିଲା, ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

publive-image Sify.com

ମାତ୍ର, ଏହା ଛୋଟଛୋଟ ପିଲାଙ୍କ ଖାଦ୍ୟ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିଲେ ବି ଏହି ବାଟମାରଣା ପ୍ରତି କେହି ଗୁରୁତ୍ବ ଦେଉନାହାନ୍ତି। ପୂର୍ବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗୋଦାମରୁ ଚାଉଳ ଉଠାଇବାପରେ ସେ ଚାଉଳକୁ ବଦଳକରି ପରିବହନକାରୀ ସଂସ୍ଥା କମ୍ ଓଜନ ବିଶିଷ୍ଟ ଏବଂ ନିମ୍ନମାନର ଅନ୍ୟ ଚାଉଳ ବସ୍ତା ସ୍କୁଲ ଓ ପଞ୍ଚାୟତଗୁଡ଼ିକୁ ଦେଉଥିବାର ଅଭିଯୋଗ ହୋଇଥିଲା। ଯେଉଁଥିପ‌ାଇଁ ଗୋଦାମରୁ ସିଧା ସ୍କୁଲକୁ ଓ ପଞ୍ଚାୟତକୁ ଚାଉଳ ପହଞ୍ଚାଇବାର କଡ଼ା ନିୟମ ରଖାଯାଇଛି। ମାତ୍ର, ଏହାର ବାସ୍ତବ ଚିତ୍ର କ’ଣ, ସୁନ୍ଦରଗଡ଼ ଜିଲ୍ଲାର ଉପରୋକ୍ତ ଘଟଣାରୁ ସ୍ପଷ୍ଟ ଅନୁମେୟ। ସ୍ଥାନୀୟ ଅଭିଭାବକ ଆହୁରି ମଧ୍ୟ କହିଛନ୍ତି, ‘ ସଦର ବ୍ଲକ୍‌ରେ ଯଦି ଏହିଭଳି ସ୍ଥିତି, ତା’ହେଲେ କୋଇଡ଼ା, ନୂଆଗାଁ ଓ ବାଲିଶଙ୍କରା ଭଳି ସୀମାନ୍ତ ବ୍ଲକଗୁଡ଼ିକରେ ବାଟମାରଣା କିଭଳି ହେଉଥିବ ତାହା ଜଳଜଳ ଦିଶୁଛି। ’ ଏସୁବୁକୁ ଦୃଷ୍ଟିକୁ ଆଣିଲେ ସୁନ୍ଦରଗଡ଼ ଜିଲ୍ଲା ଯୋଗାଣ ବିଭାଗରେ ଯେ ବଡ଼ଧରଣର ଦୁର୍ନୀତି ଚାଲିଛି, ତାହାକୁ ଅସ୍ବୀକାର କରି ହେବନାହିଁ।

ଜିଲ୍ଲାର ୧୭ଟି ବ୍ଲକ୍‌ ଓ ୪ଟି ପୌରାଞ୍ଚଳରେ ଥିବା ୨୩୨୨ ଗଣଶିକ୍ଷା ବିଭାଗ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ସମେତ ଅନୁସୂଚୀତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ସ୍କୁଲରେ ୧୮୬୯୩୭ ଛାତ୍ରଛାତ୍ରୀଙ୍କୁ ପ୍ରତି ମାସରେ ମଧ୍ୟାହ୍ନ ଭୋଜନ ପାଇଁ ୨୨୪୫୦୮୦୦ କ୍ବିଣ୍ଟାଲ ଚାଉଳ ଯୋଗାଇଦେବାକୁ ବ୍ୟବସ୍ଥା ହୋଇଛି। ସେହିପରି ୪୯୩ ଅନୁସୂଚୀତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଆଶ୍ରମ ସ୍କୁଲର ୫୫ ହଜାର ପିଲାଙ୍କ ପାଇଁ ପ୍ରତି ମାସରେ ୩୫୬୫୦୩ କ୍ବିଣ୍ଟାଲ ଯୋଗାଇ ଦିଆଯାଉଛି। ସବୁଠାରୁ ବଡ଼ କଥା ହେଲା, ଏସବୁ ଚାଉଳ ଯୋଗାଣ କଳିଙ୍ଗ କମରସିଆଲ କର୍ପୋରେସନ ଲିମିଟେଡ୍‌ ନାମକ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଠିକା ଦିଆଯାଇଥିବା ବେଳେ ଗତ ୪ ବର୍ଷ ହେଲା ଏଥିପାଇଁ ଆଉ ଟେଣ୍ଡର ଡକାଯାଉ ନାହିଁ। ବିନା ଟେଣ୍ଡରରେ କେବଳ ନବୀକରଣ ଜରିଆରେ ସମ୍ପୃକ୍ତ ସଂସ୍ଥା ଚାଉଳ ପରିବହନ କରିଚାଲିଛି। କେଉଁସ୍ଥିତିରେ ବର୍ଷ ବର୍ଷ ଧରି ଚାଉଳ ଯୋଗାଣ ବା ପରିବହନ ପାଇଁ ପ୍ରଶାସନ ଟେଣ୍ଡର ଡାକୁନାହିଁ ଏବଂ ବେନିୟମ ଭାବେ ଏକ ନିର୍ଦ୍ଦିଷ୍ଟ ଠିକା ସଂସ୍ଥାକୁ ନବୀକରଣ କରିଚାଲିଛି, ତା ପ୍ରତି ପ୍ରଶାସନର ଏତେ ଅନୁକମ୍ପା ପଛର କାରଣ କ'ଣ ? ଏହିଭଳି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି।

ଅନ୍ୟପଟେ ପରିବହନ ପାଇଁ ଯେଉଁ ଟ୍ରକ୍‌ ବ୍ୟବହାର କରା ଯାଇଛି, ତାର ସ୍ଥିତି ମଧ୍ୟ ଦେଖିବା କଥା। ଏହି ଟ୍ରକ୍‌ର ଫିଟନେସ ନଥିବାବେଳେ ଟ୍ୟାକ୍ସ ସମୟ ବି ୨୦୨୧ ଜୁନରୁ ଶେଷ ହୋଇଯାଇଛି। ଏପରି ଟ୍ରକ୍‌ରେ ଚାଉଳ ପରିବହନ କରାଯିବା ଘଟଣାରୁ ଅଧିକାରୀମାନେ ନୀତି ନିୟମକୁ ନେଇ କେତେ ଗମ୍ଭୀର ଜାଣି ହେଉଛି। ତେବେ ଏହି ଅନିୟମିତତା ୬ଟି ସ୍କୁଲରେ ସୀମିତ ନୁହେଁ, ଜିଲ୍ଲାର ସମସ୍ତ ଅନୁସୂଚୀତ ଜାତି ଓ ଜନଜାତି କଲ୍ୟାଣ ସ୍କୁଲ (ଆଶ୍ରମ) ସହ ଉଚ୍ଚ ମାଧ୍ୟମିକ ସ୍କୁଲ ପିଲାଙ୍କ ଚାଉଳ ଯୋଗାଣରେ ଏପରି ଅନିୟମିତତା କରାଯାଉଥିବା ଅଭିଯୋଗ ହୋଇଛି।