ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ସ୍ବଦେଶୀ ଜ୍ଞାନକୌଶଳରେ ନର୍ମିତ ମିସାଇଲ୍‌ର ସଫଳ ପରୀକ୍ଷଣ

ଚାନ୍ଦିପୁର: ବାଲେଶ୍ବର ନିକଟ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼ରୁ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଉତ୍‌କ୍ଷେପିତ ହୋଇପାରୁଥିବା ମଧ୍ୟମ ରେଞ୍ଜର ମିସାଇଲ୍‌ ସଫଳତାର ସହିତ ପରୀକ୍ଷା ହୋଇଛି। ଆଜି ପୂର୍ବାହ୍ନ ୧୦.୩୦ ମିନିଟରେ ଏହି ପରୀକ୍ଷା କରାଯାଇଥିବା ଜଣାଯାଇଛି । ପରୀକ୍ଷା ସମୟରେ ଖଞ୍ଜା ଯାଇଥିବା ରାଡ଼ାରରୁ ମିଳିଥିବା ତଥ୍ୟକୁ ପ୍ରତିରକ୍ଷା ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି। ଏହି ମିସାଇଲ୍‌କୁ ପୂର୍ବରୁ ବହୁବାର ପରୀକ୍ଷା କରାଯାଇଥିଲେ ମଧ୍ୟ ଏଥିରେ ଲକ୍ଷ୍ୟଭେଦ କ୍ଷମତା, ଦିଗ ଓ ବେଗକୁ ନେଇ ବିକାଶ କରାଯାଇଛି । ଏଥିସହିତ ପୂର୍ବରୁ ଏହି କ୍ଷେପଣାସ୍ତ୍ରରେ ଇସ୍ରାଇଲର ମିଳିତ ଉଦ୍ୟମରେ ପ୍ରସ୍ତୁତ କରାଯାଇଥିଲା ।

ଚଳିତ ଥର ଏହି ମିସାଇଲ୍‌ରେ ସ୍ବଦେଶୀ  ଜ୍ଞାନକୌଶଳ ବ୍ୟବହାର କରାଯାଇଛି । ମିସାଇଲରେ ବ୍ୟବହାର କରାଯାଇଥିବା ଇଞ୍ଜିନ୍‌ ସହିତ କେତେକ ସ୍ବତନ୍ତ୍ର ଭାବେ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଯନ୍ତ୍ରାଶଂ ମଧ୍ୟ ଖଞ୍ଜା ଯାଇଛି । ଏହି ପ୍ରକ୍ରିୟାକୁ ଆଜିର ପରୀକ୍ଷାରେ ତର୍ଜମା କରାଯିବ ବୋଲି ଜଣାପଡ଼ିଛି । ସ୍ଥଳ ଭାଗରୁ ଆକାଶକୁ ଲକ୍ଷ୍ୟଭେଦ କ୍ଷ୍ୟମତା ରଖିଥିବା ଏହି ମିସାଇଲ୍‌ ମାଧ୍ୟମରେ ଯୁଦ୍ଧ ଜାହାଜ, ହେଲିକପ୍ଟର, ନୌଜାହାଜ, ବାଲେଷ୍ଟିକ୍‌ ମିସାଇଲକୁ ଟାର୍ଗେଟ୍‌ କରାଯାଇ ପାରିବ ।

ଏହାର ଓଜନ ୨୭୫ କିଲୋଗ୍ରାମ ଥିବାବେଳେ,  ଲମ୍ବ ସାଢେ ୪ ମିଟର ଓ ଏଥିରେ ୬୦ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ଉତ୍‌କ୍ଷେପଣ ପରେ ମିସାଇଲକୁ କଣ୍ଟ୍ରୋଲରୁମ୍‌ରୁ ତଥ୍ୟ ପ୍ରେରଣ କରାଯିବା ସହିତ ମିସାଇଲ ମାଧ୍ୟମରେ ଲକ୍ଷ୍ୟସ୍ଥଳର ଫଟୋ ଓ ଭିଡ଼ିଓ ମଧ୍ୟ କଣ୍ଟ୍ରୋଲରୁମ୍‌ରେ ସଂଗ୍ରହ କରାଯାଇ ପାରିବ । ଏହି ପରୀକ୍ଷା ପାଇଁ ଲଞ୍ଚପ୍ୟାଡ଼ର ଅଢେଇ କିଲୋମିଟର ପରିଧି ମଧ୍ୟରେ ଥିବା ତୁଣ୍ଡରା, କୁସୁମୁଳି, ଜୟଦେବକସବା ପାହି, ଖଡ଼ୁପାହି ଗାଁରୁ ପ୍ରାୟ ୭୦୦୦ ସ୍ଥାନାନ୍ତରିତ ଲୋକଙ୍କୁ ସ୍ଥାନୀୟ ବାତ୍ୟା ଆଶ୍ରୟ ସ୍ଥଳୀ ଓ ସ୍କୁଲ ଘରେ ଥିବା ଅସ୍ଥାୟୀ ଶିବିରରେ ରଖା ଯାଇଛି । ଏଥିରେ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ପ୍ରତିରକ୍ଷା ବିଭାଗ ତରଫରୁ କ୍ଷତିପୂରଣ ପ୍ରଦାନ କରାଯାଇଛି ।

ସମ୍ବନ୍ଧିତ ଖବର