ବେଆଇନ୍ ଖାଦାନରେ ଜିଲ୍ଲା ସ୍କ୍ବାଡ୍‌ର ରାତିଅଧିଆ ଚଢଉ

୨ଟି ପୋକ୍ଲିନ୍ ମେସିନ୍, ଗୋଟିଏ ପିକ୍ ଅପ୍‌, ହାଇୱା ଓ ଡମ୍ପର ଜବତ

ଯାଜପୁର/କବାଟବନ୍ଧ : ଲଘୁ ଖଣିଜ ସମ୍ପଦ ଲୁଟ୍ରେ ମାତିଥିବା ମାଫିଆଙ୍କୁ ସାବାଡ଼ କରିବାକୁ ଜିଲ୍ଲା ସ୍କ୍ବାଡ଼ ଆଜି ରାତିରେ ଚଢଉ କରି ସଫଳତା ହାସଲ କରିଛି। ବରଡ଼ା ମୌଜାରେ ବେଆଇନ୍ ଖାଦାନରୁ ଚୋରା ପଥର ଖନନ କରି ଚାଲାଣ କରୁଥିବା ସାଇଶ୍ୟାମ ଷ୍ଠୋନ୍ କ୍ରସର ମ୍ୟାନେଜର ଆଲୋକ ଦାସ(ଗେଣ୍ଡ) ଓ ଜଣେ ଗାଡ଼ି ଡ୍ରାଇଭରକୁ ସ୍କ୍ବାଡ଼ କାବୁ କରିନେଇଛି। ଏହି ଘଟଣାରେ ୨ଟି ପୋକ୍ଲିନ୍ ମେସିନ୍ ଜବତ କରାଯାଇଥିବା ବେଳେ ଗୋଟିଏ ପିକ୍ ଅପ୍‌, ହାଇୱା ଓ ଡମ୍ପର ଜବତ କରାଯାଇଛି। ଏହି ଗାଡ଼ି ଗୁଡ଼ିକ ଚୋରା ପଥର ଚାଲାଣ କରୁଥିଲେ।

ପ୍ରକାଶ ଥାଉକି ଲଘୁ ଖଣିଜ ସମ୍ପଦ ଲୁଟ୍ ବ୍ୟାପକ ଚାଲିଥିବା ବେଳେ ପୁଲିସ ଅତିରିକ୍ତ ମହାନିର୍ଦ୍ଦେଶକ(ଆଇନ ଶୃଙ୍ଖଳା) ଓ ଜିଲ୍ଲାପାଳଙ୍କ ଗଠିତ ସ୍କ୍ବାଡ଼ କୌଣସି କାମ କରୁ ନାହିଁ ବୋଲି ଆଜି ସମ୍ବାଦରେ ପ୍ରକାଶ ପାଇଥିଲା। ଆଜି ରାତିରେ ଏହି ସ୍କ୍ବାଡ୍‌ ଅଚାନକ ଚଢଉ କରି ଏହି ସଫଳତା ହାସଲ କରିଛନ୍ତି। ବେଆଇନ୍ ଖାଦାନ ବରଡ଼ା ଅଞ୍ଚଳ ଉପରେ ଚଢଉ କରାଯାଇ ମେସିନ,ଗାଡ଼ି ଜବତ କରାଯିବା ସହିତ ଅଭିଯୁକ୍ତମାନଙ୍କୁ ଅଟକ ରଖାଯାଇଛି। ତେବେ ଏହାର ମାଷ୍ଟର ମାଇଣ୍ଡ ଓ କ୍ରସର ମାଲିକଙ୍କ ନିକଟରେ ପୁଲିସ ପହଞ୍ଚି ପାରୁଛି କି ନାହିଁ! ତାହା ଆଗାମୀ ଦିନରେ ଦିନରେ ଜଣାପଡ଼ିବ। ଆଜି ଚଢଉରେ ସ୍କ୍ବାଡ଼‌ ସହିତ ଧର୍ମଶାଳା ଭାରପ୍ରାପ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି ସାମିଲ ହେବା ସହିତ ଜେନାପୁର ଥାନାଧିକାରୀ ଆଶିଷ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର