୨୫୦ ଶ୍ରମିକଙ୍କୁ ସୀମାରେ ପହଞ୍ଚାଇଲା ପୁଲିସ୍‌, ଚାଲିଚାଲି ଯାଉଥିଲେ, ବସ୍‌ରେ ନେଇ ଛାଡ଼ିଲା

କଟକ : ଓଡ଼ିଶା ଦେଇ ଚାଲିଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟ ସୀମାରେ ଛାଡ଼ିଲା ପୁଲିସ। ବସ୍‌ ମାଧ୍ୟମରେ ଗଲାକାଲିଠାରୁ ଆଜି ପର୍ଯ୍ୟନ୍ତ ୨୫୦ ପ୍ରବାସୀ ଶ୍ରମିକଙ୍କୁ ଛଡ଼ାଯାଇଛି। ମାନବିକତା ଦୃଷ୍ଟିକୋଣରୁ ପୁଲିସ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଆରମ୍ଭ କରାଯାଇଛି। ଏଣିକି ଶ୍ରମିକମାନେ ଚାଲାଚାଲି ଆଉ ଯିବେ ନାହିଁ। ପଡେ଼ାଶୀ ରାଜ୍ୟ ସୀମାରେ ଏହି ଶ୍ରମିକଙ୍କୁ ଛାଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଶହ ଶହ ପ୍ରବାସୀ ଶ୍ରମିକ ଓଡ଼ିଶା ଦେଇ ସେମାନଙ୍କ ରାଜ୍ୟକୁ ଚାଲିଚାଲି ଯାଉଥିବା ଘଟଣା ଗଣମାଧ୍ୟମରେ ସାମନାକୁ ଆସିଥିଲା। ଏମାନେ ମୁଖ୍ୟତଃ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡଖଣ୍ତ ଓ ବିହାରକୁ ଯାଉଛନ୍ତି। ଏହି ଶ୍ରମିକମାନଙ୍କୁ ବସ୍‌ ମାଧ୍ୟମରେ ସେମାନଙ୍କ ରାଜ୍ୟର ସୀମାରେ ଛାଡ଼ିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ବସ୍‌ର ବନ୍ଦୋବସ୍ତ କରାଯାଇଛି। ଏହି ସବୁ ବସ୍‌ ରାଜ୍ୟର ପ୍ରମୁଖ ସୀମା ତନଖି ଫାଟକ ସୋହେଲା, ଗିରିଶୋଳା ଓ କେରଡ଼ାଠାରୁ ପ୍ରବାସୀଙ୍କୁ ନେଇ ସେମାନଙ୍କ ରାଜ୍ୟର ସୀମାରେ ଛାଡ଼ିବାର ବ୍ୟବସ୍ଥା କରାଯାଇଛି। ଗଲାକାଲି ସନ୍ଧ୍ୟାରୁ ଆଜି ସୁଦ୍ଧା ୨୫୦ ପ୍ରବାସୀ ଶ୍ରମିକଙ୍କୁ ୬ଟି ବସରେ ସେମାନଙ୍କ ରାଜ୍ୟର ସୀମାରେ ଛଡ଼ାଯାଇଛି। ବରଗଡ଼ ସୋହେଲାଠାରୁ ଝାଡ଼ଖଣ୍ତ ରାଜ୍ୟର କିଛି ପ୍ରବାସୀଙ୍କୁ ଦୁଇଟି ବସରେ ବୀରମିତ୍ରପୁରଠାରେ ଛଡ଼ା ଯାଇଛି। ସେହିଭଳି ପଶ୍ଚିମବଙ୍ଗର ପ୍ରବାସୀଙ୍କୁ ମୟୂରଭଞ୍ଜର ଜାମଶୋଳାଠାରେ ପହଞ୍ଚାଯାଇଛି। ରାୟଗଡ଼ା ଜିଲ୍ଲା କେରଡ଼ାଠାରୁ ଦୁଇଟି ବସ୍‌ ଛତିଶଗଡ଼ର କିଛି ପ୍ରବାସୀଙ୍କୁ ନେଇ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାର ରାଜ୍ୟ ସୀମାରେ ପହଞ୍ଚାଇଛି। ବ୍ରହ୍ମପୁର ପୁଲିସ ପକ୍ଷରୁ ଜିଲ୍ଲାର ଗିରିଶୋଳାଠାରୁ ଦୁଇଟି ବସରେ ପଶ୍ଚିମବଙ୍ଗର କିଛି ପ୍ରବାସୀଙ୍କୁ ମୟୂରଭଞ୍ଜ ଜିଲ୍ଲା ସୀମା ଜାମଶୋଳାଠାରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର