ମୁରିବାହାଲ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍‌ରେ ପୁଣି ଜଣେ ଦାଦନଙ୍କ କରୁଣ କାହାଣୀ ଦେଖିବାକୁ ମିଳିଛି। ଘରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ଦାଦନ ଯାଇଥିବା ସ୍ବାମୀ ଓ ପୁଅ ଫେରି ପାରି ନାହାନ୍ତି। ମୃତ୍ୟୁର ୧୧ ଦିନ ପରେ ବି ଶୁଦ୍ଧିକ୍ରିୟା କରି ପାରି ନାହାନ୍ତି।

Advertisment

ପ୍ରକାଶ ଯେ, ମୁରିବାହାଲ ବ୍ଲକ୍‌ ଗୁଡ଼ିଘାଟ ପଞ୍ଚାୟତ ସଦର ମହକୁମାର ଭୀଷ୍ମ ନାଗ ତାଙ୍କ ବଡ଼ପୁଅ ଅରୁଣ(୧୮)କୁ ନେଇ ଆନ୍ଧ୍ରପ୍ରଦେଶକୁ ୩ ମାସ ତଳେ ଦାଦନ ଖଟିବାକୁ ଯାଇଛନ୍ତି। ଘରେ ସ୍ତ୍ରୀ ପଙ୍କଜିନୀ ନାଗ, ଦୁଇ ପୁଅ ଝିଅ ଓ ବୁଢ଼ୀ ମା’ ଥିଲେ। ଆଉ ଗୋଟିଏ ଝିଅକୁ ବିବାହ କରିସାରିଛନ୍ତି। କିଡ୍‌ନି ରୋଗରେ ଆକ୍ରାନ୍ତ ଥିବା ପଙ୍କଜିନୀଙ୍କ ଅବସ୍ଥା କିଛିଦିନ ତଳେ ଗୁରୁତର ହୋଇଥିଲା। ତାଙ୍କ ସଂପର୍କୀୟମାନେ ତାଙ୍କୁ ପ୍ରଥମେ ପାଟଣାଗଡ଼, ଟିଟିଲାଗଡ଼, ବଲାଙ୍ଗୀର ଓ ଶେଷରେ ବୁର୍ଲାକୁ ଚିକିତ୍ସା ପାଇଁ ନେଇଥିଲେ। ଗତ ମାସ ୩୦ ତାରିଖ ଦିନ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲାରେ ତାଙ୍କ ମୃତ୍ୟୁ ହୋଇଥିଲା। ସଂପର୍କୀୟମାନେ ଏ ସଂପର୍କରେ ସ୍ବାମୀ ଭୀଷ୍ମ ଓ ବଡ଼ପୁଅଙ୍କୁ ଜଣାଇବା ସହ  ଗୁଡ଼ିଘାଟରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ଖବର ପାଇ ଭୀଷ୍ମ କରୋନା ଲକ୍‌ଡାଉନ୍‌ କଟକଣା ସତ୍ତ୍ୱେ ଘରକୁ ଫେରିବା ପାଇଁ ଇଟାଭାଟି ମାଲିକଙ୍କୁ ନେହୁରା ହେବାରୁ ସେ ସାମାନ୍ୟ ନରମିଥିଲେ। ହେଲେ ଦାଦନ ସର୍ଦ୍ଦାର ଖଗସା ଗ୍ରାମର ସୂରଯ ମହାନନ୍ଦ ବଇନା ପଇସା ନ ଶୁଝିବା ପର୍ଯ୍ୟନ୍ତ ଛଡ଼ାଯିବ ନାହିଁ ବୋଲି କହିଥିବା ଭୀଷ୍ମ ପ୍ରକାଶ କରିଛନ୍ତି। ପଙ୍କଜିନୀଙ୍କ ମୃତ୍ୟୁର ୧୧ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର ଶୁଦ୍ଧିକ୍ରିୟା କରାଯାଇ ନାହିଁ। ବୃଦ୍ଧା ମାଆ ପାଖରେ ରହୁଥିବା ଦୁଇ ସନ୍ତାନ ପଞ୍ଚାୟତ ତରଫରୁ ଦିଆଯାଉଥିବା ଦୁଇଓଳି ରନ୍ଧା ଖାଦ୍ୟ ଖାଇ ବଞ୍ଚୁଥିବା ଜଣାପଡ଼ିଛି। ତୁରନ୍ତ ପୁଅ ଓ ନାତିଙ୍କୁ ଘରକୁ ଫେରାଇ ଆଣିବାକୁ ବୃଦ୍ଧା ମାଆ କୋହଭରା କଣ୍ଠରେ ନିବେଦନ କରିଛନ୍ତି।

ଏ ସମ୍ପର୍କରେ ସରପଞ୍ଚ ମିଥିଳା ମାଝୀଙ୍କୁ ପଚାରିବାରୁ ବୃଦ୍ଧା ଓ ଦୁଇ ଶିଶୁଙ୍କୁ ଦୁଇଓଳି ରନ୍ଧା ଖାଦ୍ୟ ଦିଆଯାଉଛି, ହରିଶ୍ଚନ୍ଦ୍ର ଯୋଜନା ସହାୟତା ଯୋଗାଇଦେବାକୁ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଥିଲେ। ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ପଚାରିବାରୁ ଯଦି ବି ଇଟାଭାଟି ମାଲିକ ଛାଡ଼ିଦିଏ ସେମାନେ ଟ୍ରେନ୍‌ ବନ୍ଦ ଥିବାରୁ କେମିତି ଆସିବେ, ତଥାପି ସେ ଦୃଷ୍ଟି ଦେବେ ବୋଲି ପ୍ରକାଶ କରିଥିଲେ।