ବ୍ରହ୍ମପୁର : ଲକ୍ଡାଉନ୍ ଯୋଗୁଁ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀରେ ଦେଢ଼ ମାସ କାଳ ଫସି ରହିବା ପରେ ବହୁ କଷ୍ଟରେ ଏକ ଟ୍ରକ୍ରେ ଭିଟାମାଟିକୁ ଫେରୁଥିଲେ। କିନ୍ତୁ ଭିଟାମାଟିରେ ପହଞ୍ଚିବା ପୂର୍ବରୁ ଉଡ଼ିଗଲା ପ୍ରାଣବାୟୁ। ମୃତ ଯୁବକ ଜଣକ ହେଲେ ନୟାଗଡ଼ ଜିଲ୍ଲା ଗଣିଆ ଥାନା ହରିହରପୁର ଗ୍ରାମର ବିମଳ ସାହୁ(୩୨)। ତାଙ୍କ ପରିବାରବର୍ଗ ଆସିବା ପରେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି। ବିଳମ ରାଜମହେନ୍ଦ୍ରୀର ଏକ ଢାବାରେ କାମ କରୁଥିଲେ। ଲକ୍ଡାଉନ୍ ଯୋଗୁଁ ବିମଳ ସେଠାରେ ଫସି ରହିଥିଲେ। ବିଳମ ଓ ଅନ୍ୟ କିଛି ଶ୍ରମିକ ସେଠାରୁ ଗତକାଲି ଚାଲିଚାଲି ଓଡ଼ିଶା ଅଭିମୁଖେ ବାହାରିଥିଲେ। ରାସ୍ତାରେ ସେମାନେ ଏକ ଟ୍ରକ୍ରେ ଚଢ଼ିଥିଲେ। ଆଜି ମଧ୍ୟାହ୍ନରେ ସେମାନେ ଓଡ଼ିଶାରେ ପ୍ରବେଶ କରିଥିଲେ। ଟ୍ରକ୍ରେ ଯାଉଥିବା ବେଳେ ଜଗନ୍ନାଥପୁର ନିକଟରେ ହଠାତ୍ ବିମଳ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରି ପୁଲିସ ସହାୟତାରେ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ତାଙ୍କ ସହିତ ଥିବା ଅନ୍ୟ ୫ଜଣଙ୍କୁ ପ୍ରଶାସନ ତରଫରୁ ଉଦ୍ଧାର କରି ସରକାରୀ ସଙ୍ଗରୋଧ କକ୍ଷରେ ରଖାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp