ଭଦ୍ରକ: ପ୍ରଶାସନକୁ ନଜଣାଇ ଘରେ ରହୁଛନ୍ତି ପ୍ରବାସୀ?

ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୩: ନୂଆ ପଜିଟିଭ ୧୨, ସୁସ୍ଥ ୩୦୫

ଭଦ୍ରକ: ଜିଲ୍ଲାକୁ ୫୦ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଘରକୁ ଫେରିଥିବା ବେଳେ ଏଇ ପ୍ରବାସୀଙ୍କ ଉପରେ ଅଧିକ ନଜର ରଖିବା ଦିଗରେ ଜିଲ୍ଲା ପ୍ରାଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଅନେକ ପ୍ରବାସୀ ଘରକୁ ଫେରିଥିବା ବେଳେ ଏବେ ସୁଦ୍ଧା ପ୍ରଶାସନକୁ କିଛି ରିପୋର୍ଟ ନକରି ନିଜ ଘରେ ରହିଯାଉଥିବାର ଅନେକ ନଜର ଆସିଛି। ଏପରିସ୍ଥଳେ ସ୍ଥାନୀୟ ସରପଞ୍ଚମାନଙ୍କୁ ଏଇ ସବୁ ଫେରନ୍ତା ପ୍ରବାସୀଙ୍କ ସଂପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗତକାଲି ଭଦ୍ରକ ଜିଲ୍ଲାରେ ସର୍ବାଧିକ ୫୮ ପଜିଟିଭ କେସ୍ ବାହାରିବା ପରେ ଆଜି ପୁଣି ୧୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ଆଜି ସେମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିକିତ୍ସା ନିମେନ୍ତ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଯାଇଛି। ଆଜି ଆଉ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲାରେ ଆଜି ସୁଦ୍ଧା ୧୪ ହଜାର ୨୪୬ ଜଣଙ୍କର ସ୍ବାବ ଟେଷ୍ଟ କରାଯାଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୩ରେ ପହଞ୍ଚିଛି। ମୋଟ ୩୦୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ୮୭ ଜଣ ଆକ୍ଟିଭ୍ କେସ୍ କୋଭିଡ୍ ହସିପିଟାଲରେ ଚିକିତ୍ସିତ ହେଉଛନ୍ତି।

ଆଜି ତୃତୀୟ ଦିନ ପାଇଁ ଭଦ୍ରକ ଓ ଧାମନଗର ସହରକୁ ଲକ୍ ଡାଉନ୍ କରାଯାଇଛି। ଦିନ ଗୋଟାଏ ବେଳକୁ ସହର ଶୂନ୍ ଶାନ୍ ହୋଇଯାଇଥିଲା। ଏପରିକି ଜନଗହଳିପୂର୍ଣ୍ଣ ଭଦ୍ରକ ସହରର ଆଜି ସକାଳ ବେଳାର ମାର୍କେଟ୍ ଖାଁ ଖାଁ ଲାଗୁଥିଲା। ଜିଲ୍ଲାରେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହା ସ୍ବାଭାବିକ ଭାବେକ ଲୋକଙ୍କ ଭିତରେ ଭୟ ସଂଚାର କରିଛି। ବିଶେଷକରି ପ୍ରଶାସନିକ ଅଧିକାରୀ ଓ ପୁଲିସ କମର୍ଚାରୀମାନେ କରୋନା ଆକ୍ରାନ୍ତ ହେବା ପରେ ଅନେକ ସରକାରୀ ଅଫିସ୍ ରେ ମଧ୍ୟ କୋକୁଆ ଭୟ ‌ ସୃଷ୍ଟି ହୋଇଛି। ସେହିପରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଲଗାତର ଭାବେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଇ ଏରିଆକୁ ଲୋକେ ଆସିବାକୁ ଭୟ କରୁଛନ୍ତି।

ସାଧରଣ ରୋଗୀଟିଏ ମଧ୍ୟ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିବାକୁ ଡରୁଛି। ଲକ୍ ଡାଉନକୁ ଦୃଷ୍ଟିରେ ରଖି ଆଜି ଭଦ୍ରକ ସହରରେ ପୁଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ବିନା କାରଣରେ ଯେଉଁମାନେ ସହର ଭିତରେ ବୁଲୁଥିଲେ। ସେମାନଙ୍କୁ ଅଟକ ରଖାଯାଇଥିଲା। ମେଡିକାଲ କାମରେ ଯେଉଁ ଲୋକମାନେ ସହର ଭିତରକୁ ଆସୁଥିଲେ ସେହିମାନଙ୍କୁ କେବଳ ଦିନ ୨ଟା ପରେ ସହର ଭିତରକୁ ଛଡାଯାଉଥିଲା।

ସମ୍ବନ୍ଧିତ ଖବର