ସୁନ୍ଦରଗଡ଼: ତାମିଲନାଡ଼ୁର ଜୋଲାରପେଟ୍ଟାଇରୁ ସୁନ୍ଦରଗଡ଼ର ଜଣେ ଦାଦନ ଶ୍ରମିକଙ୍କ ପରିବାରର ଛାତିଥରା କାହାଣୀ ସାମ୍ନାକୁ ଆସିଛି। କୋଏମ୍ବାଟୁର ଚାହା ବଗିଚାକୁ ଦାଦନ ଖଟିବାକୁ ଯାଉଥିବା ସବଡେଗା ବ୍ଲକ୍ ଫଗୁଆପଡ଼ାର ମନୋରଞ୍ଜନ ନାଏକ ନାମକ ଶ୍ରମିକ ବାଟରେ ଟ୍ରେନରୁ ଖସି ଶ୍ରମିକ ପ୍ରାଣ ହରାଇବା ପରେ ସାଥିରେ ଥିବା ସ୍ତ୍ରୀ ଓ ପୁଅ ମୃତଦେହ ସହ ୬ ଦିନ କାଳ ଅସହାୟ ହୋଇ ପଡ଼ି ରହିବା, ଗାଁକୁ ଶବ ଆଣିବା କି ସେଠା ରେ ଟଙ୍କା ଦେଇ ସତ୍କାର କରିବାକୁ ସକ୍ଷମ ନଥିବା ପରିବାର ଗୁହାରି କରିବା ପରେ ମଧ୍ୟ ଶ୍ରମିକ ପଞ୍ଜୀକରଣ କରି ନଥିବା ଦର୍ଶାଇ ସୁନ୍ଦରଗଡ଼ ଶ୍ରମ ବିଭାଗ ହାତ ଟେକିଦେବା ଓ ଶେଷକୁ ସୁନ୍ଦରଗଡ଼ର କିଛି ସମାଜସେବୀ ଆର୍ଥିକ ସହାୟତା ଯୋଗାଇ ଦେବା ପରେ ଶବ ସତ୍କାର ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ସବୁଠାରୁ ଉଦବେଗଜନକ କଥା ହେଲା, ଏ ଦୁଃଖଦ ବେଳାରେ ଜୋଲାରପେଟ୍ଟାଇ ରେଲବାଇ ପୁଲିସ ଶବ ସତ୍କାର ପାଇଁ ୮ ହଜାର ଟଙ୍କା ନେଇଥିଲା।

Advertisment

ଶ୍ରମିକ ମନୋରଞ୍ଜନ ଗତ ୬ ତାରିଖରେ ପତ୍ନୀ ମୁନୁମତି ଓ ପୁଅ ବିଶାଳକୁ ନେଇ ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ଚାହା ବଗିଚାକୁ ରେଳ ଯୋଗେ ଦାଦନ ଖଟିବାକୁ ଯାଉଥିଲେ। ପୂର୍ବରୁ ସେଠାରେ କାମ କରୁଥିବା ସୁନ୍ଦରଗଡ଼ର ଜଣେ ଯୁବକ ବଗିଚାରେ ଦୈନିକ ମଜୁରି ୬ ଶହ ଟଙ୍କା ମିଳୁଥିବା କହିବା ପରେ ସେ ରୋଜଗାର ଆଶାରେ ଘର ଛାଡ଼ିଥିଲେ। ୭ ତାରିଖରେ ତିରୁପାଥୁର ଜିଲ୍ଲାର ଜୋଲାରପେଟ୍ଟାଇ ଷ୍ଟେସନ ପହଞ୍ଚିବା ପରେ ସେ ବାଥରୁମକୁ ଯାଇ ଫେରି ନଥିଲେ। ପତ୍ନୀ, ପୁଅ ଏ ବଗି, ସେ ବଗି ଖୋଜିବା ପରେ ବି ତାଙ୍କୁ ନପାଇବାରୁ ଚେନ୍ ଟାଣି ରେଳକୁ ଅଟକାଇଥିଲେ। ଷ୍ଟେସନରୁ କିଛି ଦୂରରେ ଟ୍ରକ କଡ଼ରେ ତାଙ୍କ ମୃତଦେହ ମିଳିଥିଲା। ଅସାବଧାନତା ଯୋଗୁ ରେଳରୁ ଖସି ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଥିଲା। ଅସହାୟ ହୋଇପଡ଼ିଲେ ମା’ ପୁଅ। ହାତରେ ଟିକଟ ଓ ମାତ୍ର ଟଙ୍କା ଦି’ ହଜାର ଥିଲା।

ଶବବାହକ ଗାଡ଼ି ଯୋଗେ ସୁନ୍ଦରଗଡ଼କୁ ଶବ ଆଣିବାକୁ ୯୦ ହଜାର ଟଙ୍କା ଦାବି କରିଥିଲା ଏକ ପରିବହନ ସଂସ୍ଥା। କାର୍ଗୋ ଫ୍ଲାଇଟ ଭଡ଼ା ୧ ଲକ୍ଷ ୨୦ ହଜାର ଟଙ୍କା ନେବ କହିଥିଲା ସଂସ୍ଥା। ଗରିବ ପରିବାର ପାଇଁ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ନଥିବାରୁ ଗାଁକୁ ଶବ ଫେରାଇ ନେବା କଥା ମନରୁ କାଢ଼ି ଦେଇ ସେଠାରେ ସତ୍କାର କରିବାକୁ ମନସ୍ଥ କରିଥିଲେ। କିନ୍ତୁ ସେଥିପାଇଁ ବି ୧୨ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ରେଲବାଇ ପୁଲିସ କହିବା ପରେ ଚିନ୍ତାରେ ପଡ଼ି ଯାଇଥିଲେ ମା’ପୁଅ। ଏହା ପରେ ସୁନ୍ଦରଗଡ଼ ଶ୍ରମ ବିଭାଗର ସହଯୋଗ ଲୋଡ଼ିଥିଲେ ପରିବାର। କିନ୍ତୁ ଶ୍ରମିକ ପଞ୍ଜୀକରଣ କରି ନଥିବା ଓ ତାମିଲନାଡ଼ୁ ସରକାର ସହ ଯୋଗସୂତ୍ର ନଥିବା ଦର୍ଶାଇ ଶ୍ରମ ବିଭାଗ ମୁହଁ ମୋଡ଼ି ଦେଇଥିଲା। ହତାଶ ମା’ପୁଅ ଶେଷକୁ ସୁନ୍ଦରଗଡ଼ର ସମର୍ପିତ ସେବା ସଂସ୍ଥାନର ସିଦ୍ଧାନ୍ତ ପଣ୍ଡାଙ୍କୁ କଲ୍ କରି ଦୁଃଖ ଜଣାଇଥିଲେ। ଏହା ପରେ ଶ୍ରୀ ପଣ୍ଡା ଜୋଲାରପେଟ୍ଟାଇ ରେଳବାଇ ପୁଲିସ ସହ ଯୋଗାଯୋଗ କରିଥିହଲେ। କିନ୍ତୁ ୮ ହଜାର ଟଙ୍କା ନଦେଲେ ଶବସଂସ୍କାର ହୋଇ ପାରିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲା ରେଲବାଇ ପୁଲିସ ନିରୀକ୍ଷକ କେ.ରବିକୁମାର । ଶେଷକୁ ସଂସ୍ଥାନ ସଦସ୍ୟ ଅଶୋକ କୁମାର ବରାଇ, ନୀରଜ ଅଗ୍ରୱାଲ ଓ ସିଦ୍ଧାେନ୍ତ ପଣ୍ଡା ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ୮ ହଜାର ଟଙ୍କା ରେଲବାଇ ପୁଲିସ ନିରୀକ୍ଷକ କେ.ରବିକୁମାରଙ୍କ ଆକାଉଣ୍ଟକୁ ପଠାଇବା ପରେ ଗୁରୁବାର ମୃତ ଶ୍ରମିକ ମନୋରଞ୍ଜନଙ୍କ ଶବର ପଞ୍ଚନାମା ଓ ବ୍ୟବଚ୍ଛେଦ ପରେ ସତ୍କାର କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ମା’ପୁଅ ଫେରିବାକୁ ଆଉ କିଛି ଟଙ୍କା ପଠାଯିବ ବୋଲି କହିଛନ୍ତି ସମାଜସେବୀ ସିଦ୍ଧାନ୍ତ ପଣ୍ଡା। ତେବେ ଦାଦନ ଶ୍ରମିକ ପରିବାର ପ୍ରତି ଶ୍ରମ ବିଭାଗର ଏ ପ୍ରକାର ଉଦାସୀନତା ଓ ଅବହେଳା ପ୍ରଶ୍ନବାଚୀ ସୃଷ୍ଟି କରିଛି।