ମନରେଗା କାମକୁ ମୁହଁ ମୋଡ଼ୁଛନ୍ତି ପ୍ରବାସୀ

୧୯ ହଜାର ଫେରିଲେଣି, ହଜାରେ ଛୁଇଁଲାନି ଆବେଦନ

କଟକ : ପ୍ରବାସୀଙ୍କୁ ଗାଁରେ ମିଳିବ କାମ। ମନରେଗା ଯୋଜନାରେ ସେମାନେ ପାଇବେ ରୋଜଗାର। ପ୍ରବାସୀମାନେ ଫେରିବାକୁ ଆରମ୍ଭ କରିଥିବାବେଳେ ଏଭଳି ଘୋଷଣା କରିଥିଲେ ସରକାର। ହେଲେ ମନରେଗାରେ ମାଟି କାମ କରିବାକୁ ପ୍ରବାସୀ ଆଗ୍ରହ ଦେଖାଉନାହାନ୍ତି, କି ଆବେଦନ କରୁନାହାନ୍ତି। ଫଳରେ, ଏବେ କଟକ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଶ୍ରମ ଦିବସ ସୃଷ୍ଟି ହୋଇଥିଲେ ବି ମାତ୍ର ୨ ଶହ ଭିତରେ ଶ୍ରମିକ କାମ କରିଛନ୍ତି। ଅଧିକାଂଶ ବ୍ଲକ୍‌ ଓ ପଞ୍ଚାୟତରେ ଶ୍ରମିକଙ୍କ ଅଭାବ କାରଣରୁ ମେସିନ୍‌ କରୁଛି କାମ। ଏହାକୁ ନେଇ ବ୍ଲକ୍‌ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ମାଳ ମାଳ ଅଭିଯୋଗ ପହଞ୍ଚିଲାଣି। ଆଶ୍ଚର୍ଯ୍ୟର ବିଷୟ ଯେ, କଟକ ଜିଲ୍ଲାରେ ପ୍ରତିଦିନ ୫୦ହଜାର ମନରେଗା ଯୋଜନାରେ କାମ କରୁଛନ୍ତି ଓ ତିନିମାସ ଭିତରେ ୬ଲକ୍ଷ ୩୧ ହଜାର ଶ୍ରମ ଦିବସ ସୃଷ୍ଟି ହେଲା‌ଣି ବୋଲି ସରକାରୀ ତଥ୍ୟ କହୁଛି। ଏହି ପରସ୍ପର ବିରୋଧୀ ତଥ୍ୟ ଏବେ ଚର୍ଚାର ବିଷୟ ହୋଇଛି।

Deccan Herald

ସୂଚନା ଅନୁସାରେ, କଟକ ଜିଲ୍ଲାକୁ ଏଯାବତ୍ ୧୯ହଜାର ପ୍ରବାସୀ ହିତାଧିକାରୀ ଫେରିଲେଣି। ତା’ଭିତରୁ ୧୩ହଜାର ହିତାଧିକାରୀ ଟିଏମ୍‌ସିରେ ସଙ୍ଗରୋଧ ସାରି ହୋମ୍‌ କ୍ବାରାଣ୍ଟିନ୍‌କୁ ଯାଇଥିବାବେଳେ ସେମାନଙ୍କ ଭିତରୁ ୭ହଜାରଙ୍କ ହୋମ କ୍ବାରାଣ୍ଟିନ୍‌ ମଧ୍ୟ ସରିଲାଣି। ହେଲେ, ସେମାନେ ମନରେଗାରେ କାମ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି। ସୁରତରେ ସୂତା‌ କାମ କରୁଥିବା ପ୍ରବାସୀ ହୁଅନ୍ତୁ ବା ତେଲେଙ୍ଗାନାରେ ଢାବା ଖୋଲିଥିବା/କାମ କରୁଥିବା ଲୋକ ଏବେ ଗାଁରେ ବନ୍ଧକାମ ପାଇଁ ମାଟି ତାଡ଼ିବାକୁ ରାଜି ହେଉନାହାନ୍ତି। ହୁଅନ୍ତେ ବା କାହିଁକି? ନିଜ ଯୋଗ୍ୟତାକୁ ଭିତ୍ତି କରି କାମ ମିଳୁ ନଥିବାରୁ ପ୍ରବାସୀମାନେ ମନରେଗା କାମ କରିବାକୁ ଆଗ୍ରହ ଦେଖାଉ ନଥିବା ଜଣାପଡ଼ିଛି। ଉଦାହରଣ ଭାବେ ଆଠଗଡ଼ ଓ ସାଲେପୁର ବ୍ଲକ୍‌ର ଦୁଇଟି ପଂଚାୟତକୁ ଯଦି ନିଆଯାଏ, ତାହେଲେ ସେହି ଦୁଇ ପଂଚାୟତରେ କେହି ଜଣେ ହେଲେ ବି ପ୍ରବାସୀ ମନରେଗାରେ କାମ ପାଇଁ ଆବେଦନ କରି ନାହାନ୍ତି। ଗୋପୀନାଥପୁର ପଞ୍ଚାୟତକୁ ୨୭ଜଣ ଫେରିଥିଲେ ବି କେହି ମନରେଗା କାମ ପାଇଁ ଆବେଦନ କରି ନଥିବା ସରପଞ୍ଚ ଦିଲ୍ଲୀପ କୁମାର ରାଉତ ସୂଚନା ଦେଇଛନ୍ତି। ସେହିପରି ଆଠଗଡର ଯୋରନ୍ଦା ପଞ୍ଚାୟତରେ ୮ଜଣ ଫେରିଥିଲେ ବି କେହି ଜଣେ ମନରେଗାରେ କାମ ପାଇନାହାନ୍ତି। ସେହିପରି ସାଲେପୁର ବ୍ଲକ୍‌ର ପିକୋଳ ପଞ୍ଚାୟତକୁ ୬୮ଜଣ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଫେରିଥିବାବେଳେ ମାତ୍ର ୧୦ଜଣ କାମ ପାଇଁ ଆବେଦନ କରିଥିବା ସରପଞ୍ଚ ରଞ୍ଜିତ କୁମାର ଦାସ ସୂଚନା ଦେଇଛନ୍ତି। କୟଳପଡାରେ ୨୫ଜଣ ପ୍ରବାସୀ ଫେରିଥିବାବେଳେ ୧୦ଜଣ କାମ ପାଇଁ ଆବେଦନ କରିଥିବା ସରପଞ୍ଚ ରଶ୍ମିରଂଜନ ପ୍ରଧାନ ସୂଚନା ଦେଇଛନ୍ତି। ବଡ଼ଭୂଇଁ ପଞ୍ଚାୟତର ସରପଞ୍ଚ ପ୍ରମିଳା ସାହୁଙ୍କ ସୂଚନା ମୁତାବକ ତାଙ୍କ ପଞ୍ଚାୟତକୁ ୬୫ଜଣ ଫେରିଥିବା ବେଳେ ମନରେଗା ଯୋଜନାରେ ୧୪ଜଣ କାମ କରିଛନ୍ତି।

ସରକାରୀ ତଥ୍ୟ ମୁତାବକ, କଟକ ଜିଲ୍ଲାରେ ଗଲା ତିନିମାସ ଭିତରେ ୬ଲକ୍ଷ ୩୧ହଜାର ଶ୍ରମ ଦିବସ ସୃଷ୍ଟି କରାଯାଇଛି ଓ ପ୍ରତିଦିନ ୫୦ହଜାର ଶ୍ରମିକ ମନରେଗା ଯୋଜନାରେ ଜିଲ୍ଲାର ୧୪ଟି ବ୍ଲକ୍‌ରେ କାମ କରୁଛନ୍ତି। ଏଥିସହ କାମ ପାଇଁ ୮୯,୫୯୮ଜଣ ଆବେଦନ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ୮୯,୨୨୦ଜଣଙ୍କୁ କାମ ଦିଆଯାଇଛି। ଜିଲ୍ଲାର ଡମପଡ଼ା, ତିଗିରିଆ ଓ ନିଶ୍ଚିନ୍ତକୋଇଲି ବ୍ଲକ୍‌ରେ କିଛି ପ୍ରବାସୀଙ୍କୁ ସ୍କୁଲ ପରିସରରେ କାମ ଦିଆଯାଇଥିଲା। କିନ୍ତୁ ଘରକୁ ଗଲାପରେ ସେମାନେ ଆଉ କାମ ମାଗୁନାହାନ୍ତି। ଏ ସବୁକୁ ଦେଖି ଜିଲ୍ଲାକୁ ଫେରିଥିବା ପ୍ରବାସୀଙ୍କୁ ଯୋଗ୍ୟତା ଅନୁସାରେ କାମ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ରଭାବେ ପ୍ରତି ଟିଏମ୍‌ସିରେ ଏକ ଡାଟାବେସ୍‌ ପ୍ରସ୍ତୁତ କରାଯାଇଛି। ସେମାନେ ବାହାର ରାଜ୍ୟରେ କି କାମ କରୁଥିଲେ ଓ ଏବେ କେଉଁ କାମ କରିପାରିବେ, ତାହାର ରିପୋର୍ଟ ପ୍ରସ୍ତୁତ କରାଯାଇ ଅନୁଧ୍ୟାନ ଚାଲିଛି। ସେହି ଅନୁସାରେ ପ୍ରବାସୀଙ୍କୁ କାମ ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଯୋଜନା କରାଯାଉଥିବା ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର