ଭୁବନେଶ୍ବର : ଦିନେ ନା ଦିନେ ଲକ୍ଡାଉନ୍ ଖୋଲିବ। ଲକ୍ଡାଉନ୍ ଖୋଲିବା ପରେ ବାହାର ରାଜ୍ୟରେ ଅଟକି ରହିଥିବା ପ୍ରାୟ ୫ଲକ୍ଷ ଓଡ଼ିଆ ଘରକୁ ଫେରିବାର ସମ୍ଭାବନା ରହିଛି। ତେବେ ଯେଉଁମାନେ ଓଡ଼ିଶାକୁ ଫେରିବେ ସେମାନଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ। ସରକାରୀ ବ୍ୟବସ୍ଥାରେ ୧୪ଦିନ ସଙ୍ଗରୋଧରେ ରହିବା ପରେ ସେମାନଙ୍କୁ ଘରକୁ ଯିବା ପାଇଁ ଅନୁମତି ମିଳିବ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଡି.କେ ସିଂହ।
ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଲେ ଯେ ରାଜ୍ୟ ବାହାରେ ପ୍ରାୟ ସାଢ଼େ ୭ଲକ୍ଷ ଓଡ଼ିଆ ରହିଛନ୍ତି। ସେମାନେ ଘରକୁ ଆସିବା ପାଇଁ ବ୍ୟାକୁଳ ଅଛନ୍ତି। ତେବେ ଘରକୁ ଫେରିବା ପାଇଁ ହେଲେ ସେମାନଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ। ନିଜେ, ଅନ୍ୟ ଲୋକ କିମ୍ବା ନିଜ ସଂପର୍କୀୟ ଏହି ପଞ୍ଜୀକରଣ କରିପାରିବେ। ଆସନ୍ତା ୨୪ତାରିଖରୁ ପଞ୍ଜୀକରଣ ଆରମ୍ଭ ହେବ। ଏଥିପାଇଁ ଏକ ସ୍ବତନ୍ତ୍ର ପୋର୍ଟାଲ କାର୍ଯ୍ୟକାରୀ କରାଯିବ। ଓଡ଼ିଶା ଆସିବା ପରେ ବସ୍ଷ୍ଟାଣ୍ଡ, ରେଲୱେ ଷ୍ଟେସନ୍ ନିକଟରେ ବ୍ଲକ୍ ଓ ଗ୍ରାମ ପଞ୍ଚାୟତ ଅନୁଯାୟୀ ସେମାନଙ୍କୁ ବିଭକ୍ତ କରାଯିବ। ଏଥିପାଇଁ ସଂପୃକ୍ତ ଜିଲ୍ଲାରୁ ନିର୍ଦ୍ଦିଷ୍ଟ ଭାବେ ଗାଡ଼ି ଆସିବା ସହିତ ସେମାନଙ୍କୁ ନିଜ ନିଜ ଗ୍ରାମ ପଞ୍ଚାୟତକୁ ନିଆଯିବ। ସେଠାରେ ଥିବା ସରକାରୀ ସଙ୍ଗରୋଧ ବ୍ୟବସ୍ଥାରେ ସେମାନଙ୍କୁ ୧୪ଦିନ ପାଇଁ ରହିବାକୁ ହେବ। ସେଠାରେ ପିଇବା ପାଣିଠାରୁ ଟଏଲେଟ୍ ଓ ଖାଇବା ପିଇବାର ବ୍ୟବସ୍ଥା କରାଯାଇଛି। ଗ୍ରାମ ପଞ୍ଚାୟତ ସ୍ତରରେ ୭ହଜାର ଅସ୍ଥାୟୀ ମେଡିକାଲ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିବା ବେଳେ ଏବେ ୨ଲକ୍ଷ ଶଯ୍ୟାର ବ୍ୟବସ୍ଥା ରହିଛି। ସଙ୍ଗେରୋଧ ରହିବା ସମୟରେ ଯଦି ସେମାନଙ୍କ ସ୍ବାସ୍ଥ୍ୟରେ କୌଣସି ସୁଧାର ଆସେ ତାହାଲେ ସେମାନଙ୍କୁ ଘରକୁ ଯିବା ପାଇଁ ଅନୁମତି ମିଳିବ। ଗ୍ରାମାଞ୍ଚଳରେ ଘରେ ସଙ୍ଗରୋଧ ରହିବା ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ। ପଞ୍ଜୀକରଣ ଅନୁଯାୟୀ ପରବର୍ତୀ ସମୟରେ ଶଯ୍ୟା ସଂଖ୍ୟାରେ ବୃଦ୍ଧି କରାଯିବ।
ବିଶେଷକରି ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅଧିକ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଫେରିବାର ସମ୍ଭାବନା ଥିବାରୁ ସେହି ଜିଲ୍ଲାଗୁଡ଼ିକରେ ଶଯ୍ୟା ସଂଖ୍ୟାରେ ବୃଦ୍ଧି କରାଯିବ। ପ୍ରତି ପଞ୍ଚାୟତ ପାଇଁ ଜଣେ ଲେଖାଏ ନୋଡାଲ ଅଧିକାରୀ ରହିବେ। ବିଡିଓମାନେ ପ୍ରତି ପଞ୍ଚାୟତରେ ତଦାରଖ ପାଇଁ ୫ ଜଣିଆ ଗଠନ କରିବେ। ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରହିବା ସମୟରେ ଯଦି କୌଣସି ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହୁଅନ୍ତି ତାହାଲେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ତାଙ୍କୁ ସ୍ଥାନାନ୍ତରିତ କରାଯିବ। ସଂପୃକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଏଥିପାଇଁ ଆବଶ୍ୟକ ସଂଖ୍ୟକ ସ୍ବାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ସିଂହ ସୂଚନା ଦେଇଛନ୍ତି।