ରାୟଗଡ଼ା : 'ଦିନତମାମ ରେଳପଥରେ ଚାଲୁଥିଲୁ, ରାତିରେ ଜଙ୍ଗଲରେ ଶୋଉଥିଲୁ। ପୁଲିସ୍ ଓ କ୍ବାରାଣ୍ଟିନ୍ ଭୟରେ ରାଜରାସ୍ତାକୁ ଯାଉନଥିଲୁ। ରେଳପଥ ହିଁ ଘରକୁ ଫେରିବାର ଏକ ମାତ୍ର ରାସ୍ତା ଥିବାରୁ ୧୪ ଦିନ ହେଲା ବିଜୟୱାଡ଼ାରୁ ଝାଡ଼ଖଣ୍ଡ ଅଭିମୁଖେ ରେଳପଥରେ ହିଁ ଚାଲୁଛୁ।' ୫୩୬ କିମି ରେଳପଥ ଅତିକ୍ରମ କରିବା ପରେ ୧୨ ଶ୍ରମିକଙ୍କୁ ଆଜି ଉଦ୍ଧାର କରିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ। ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ କ୍ବାରାଣ୍ଟିନରେ ରଖାଯାଇଛି।
ଝାଡ଼ଖଣ୍ଡ ରାଜ୍ୟ କାଣ୍ଟି ଥାନା ଅଞ୍ଚଳର ୧୨ଜଣ ନିର୍ମାଣ ଶ୍ରମିକ ବିଜୟୱାଡ଼ା ଯାଇଥିଲେ। ୟୁଆରସି ନାମକ ଘରୋଇ କଂପାନିରେ ଏମାନେ ଘର ତିଆରି କାମରେ ନିୟୋଜିତ ହୋଇଥିଲେ। ସପ୍ତାହେ କାମ କରିବା ପରେ ଲକ୍ଡାଉନ୍ ଲାଗୁ ହେବାରୁ କଂପାନି କର୍ତ୍ତୃପକ୍ଷ ଶ୍ରମିକଙ୍କୁ ଘରକୁ ଚାଲି ଯିବାକୁ କହିଥିଲେ। କିନ୍ତୁ ରେଳ ଚଳାଚଳ ବନ୍ଦ ଯୋଗୁ ଶ୍ରମିକମାନେ ଘରକୁ ଫେରି ପାରିନଥିଲେ। କଂପାନି ଶ୍ରମିକଙ୍କ ରହିବା କ୍ୟାମ୍ପକୁ ଖାଲି କରି ତାଲା ପକାଇ ଦେଇଥିଲେ। ସପ୍ତାହକର ମଜୁରି ମାଗିବା ପରେ କଂପାନି ସୁପରଭାଇଜର ଶ୍ରମିକଙ୍କୁ ଆଉ ଧରାଛୁଆଁ ଦେଇନଥିଲେ। ୩ ଦିନ ଭୋକ ଉପାସରେ କାଟିବା ପରେ ଘରକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ। ରାସ୍ତାକୁ ଆସିଲେ ପୁଲିସ୍ ମାଡ଼ ମାରୁଥିବାରୁ ରେଳପଥରେ ହିଁ ଘରକୁ ଫେରିବା ପାଇଁ ସ୍ଥିର କରିଥିଲେ। ଦିନ ତମାମ ଚାଲିବା ପରେ ସଂଧ୍ୟା ହେଲେ ଜଙ୍ଗଲ ଦେଖି ଶୋଉଥିଲେ ବୋଲି ଶ୍ରମିକ ପ୍ରମୋଦ କୁମାର ରାମ କହିଛନ୍ତି। ପରିବାର ଲୋକ ବ୍ୟାକୁଳ ହେଉଥିବାରୁ ସମସ୍ତ ଶ୍ରମିକ ସୁରକ୍ଷିତ ଭାବେ ଘରେ ପହଞ୍ଚିବା ପାଇଁ ରେଳପଥ ଦେଇ ହିଁ ଚାଲୁଥିଲେ। ୧୪ ଦିନ ପରେ ଶ୍ରମିକମାନେ ଆଜି ସଂଧ୍ୟାରେ ରାୟଗଡ଼ାରେ ପହଞ୍ଚିଥିଲେ।
କୌଣସି ସୂତ୍ରରୁ ପ୍ରଶାସନ ଖବର ପାଇବା ପରେ ରାପିଡ୍ ରେସପନସ୍ ଟିମ୍ ପିତାମହଲ ନିକଟରେ ଅଟକାଇଥିଲେ। ଅଟୋରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ସମସ୍ତ ଶ୍ରମିକଙ୍କୁ କ୍ବାରାଣ୍ଟିନରେ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଆସନ୍ତାକାଲି ଶ୍ରମିକଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/labour-rayagada.jpg)