ପ୍ରବାସୀ ଶ୍ରମିକଙ୍କ ପାଇଁ ବେଫିକର : ରାଜ୍ୟ ଶ୍ରମ ମନ୍ତ୍ରୀ କରୁଛନ୍ତି କ’ଣ? କୁଆଡ଼େ ଗଲେ ଅରୂପ ପଟ୍ଟନାୟକ, ଟ୍ବିଟ୍‌ରେ ପ୍ରଶ୍ନ କଲେ ବିଜୟ ମହାପାତ୍ର

ଭୁବନେଶ୍ବର : ଲକ୍‌ଡାଉନ୍ ପାଇଁ ଦେଶର ବିଭିନ୍ନ ସ୍ଥାନରେ ଲକ୍ଷାଧିକ ଓଡ଼ିଆ ଶ୍ରମିକ ଅଟକି ରହିଛନ୍ତି। କାମଧନ୍ଦା ନ ଥିବାରୁ ସେମାନେ କଲବଲ ହେଉଛନ୍ତି। ଗୁଜରାଟର ସୁରତରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଯାତନା ସୀମା ଲଂଘିଯାଇଛି। ସେମାନଙ୍କ ଅବସ୍ଥା ଏପରି ହୋଇଛି ଯେ ଦୁଇ ଦୁଇ ଥର ରାସ୍ତାକୁ ଓହ୍ଲାଇଲେଣି। କିନ୍ତୁ ଓଡ଼ିଶା ସରକାର ଏ ଦିଗରେ ଯେପରି ତ୍ବରିତ ପଦକ୍ଷେପ ନେବା କଥା ତାହା କରୁ ନାହାନ୍ତି ବୋଲି ବିଭିନ୍ନ ମହଲରେ ଅଭିଯୋଗ ଉଠୁଛି। ଲକ୍ଷାଧିକ ଶ୍ରମିକ ବାହାରେ ଛଟପଟ ହେଉଥିଲା ବେଳେ ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ କ’ଣ କରୁଛନ୍ତି, ତାହା କେହି ଜାଣି ପାରୁ ନାହାନ୍ତି। ସେହିପରି ସୁରତରେ ଓଡ଼ିଆମାନଙ୍କ ଦୁଃଖ ବୁଝିବା ପାଇଁ ସରକାରଙ୍କ ପ୍ରତିନିଧି ଭାବେ ନିଯୁକ୍ତି ଅରୂପ ପଟ୍ଟନାୟକ କୁଆଡ଼େ ଗଲେ ବୋଲି ବିରୋଧୀ ଘେରିବା ଆରମ୍ଭ କଲେଣି।

ପ୍ରଥମ ଥର ପାଇଁ ରାଜ୍ୟ ସରକାର ଗୁଜରାଟରେ ଓଡ଼ିଆ ଲୋକଙ୍କ କଥା ବୁଝିବା ପାଇଁ ସରକାରୀ ପ୍ରତିନିଧି ନିଯୁକ୍ତି ଦେଇଥିଲେ। ମୁମ୍ବାଇର ପୂର୍ବତନ ପୁଲିସ୍‌ କମିସନର୍‌ ଅରୂପ ପଟ୍ଟନାୟକଙ୍କୁ ପ୍ରତିନିଧି ଭାବେ ନିଯୁକ୍ତି ଦିଆଯାଇଥିଲା। ଗତ ୩୦ ତାରିଖରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗୁଜୁରାଟ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କୁ ଏ ସମ୍ପର୍କରେ ଲିଖିତ ଭାବେ ଅବଗତ କରାଇଥିଲେ। ସ୍ଥାନୀୟ ପ୍ରଶାସନ ସହ ସମନ୍ବୟ ରକ୍ଷା କରି ଶ୍ରୀ ପଟ୍ଟନାୟକ କାମ କରିବେ ଓ ମହାରାଷ୍ଟ୍ରର ପୂର୍ବତନ ଏସିପି ରାକେଶ ଶର୍ମା ଏହି କାମରେ ତାଙ୍କୁ ସହାୟତା କରିବେ ବୋଲି ବି ସରକାରୀ ଭାବେ କୁହାଗଲା। ଶ୍ରୀ ପଟ୍ଟନାୟକ ଗୁଜରା‌ଟ ଯିବେ ଏବଂ ତାଙ୍କୁ ଆବଶ୍ୟକ ସହାୟତା ଓ ପୁଲିସ୍‌ ସୁରକ୍ଷା ଯୋଗାଇଦେବାକୁ ଶ୍ରୀ ତ୍ରିପାଠୀ ଗୁଜୁରାଟ ପ୍ରଶାସନକୁ ଅନୁରୋଧ କ‌ରିଥିଲେ।

ଏହା ମଧ୍ୟରେ ଦୁଇ ସପ୍ତାହରୁ ଅଧିକ ଦିନ ବିତିଗଲାଣି। କିନ୍ତୁ ଶ୍ରୀ ପଟ୍ଟନାୟକ ଗୁଜରାଟରେ ଓଡ଼ିଆ ଲୋକଙ୍କ ଦୁଃଖ ଲାଘବ କରିବା ପାଇଁ କି ପଦକ୍ଷେପ ନେଲେ, ସେ ସମ୍ପର୍କରେ କେହି କିଛି ଜାଣିପାରୁନାହାନ୍ତି। ଏହା ମଧ୍ୟରେ ସୁରତରେ ପ୍ରବାସୀ ଓଡ଼ିଆ ‌ଶ୍ରମିକମାନେ ଦୁଇ ଥର ବଡ଼ ଧରଣର ଆନ୍ଦୋଳନ କରିଥିଲେ ବି ଶ୍ରୀ ପଟ୍ଟନାୟକଙ୍କର ଦେଖା ନ ଥିଲା। କେବଳ ସେତିକି ନୁହେଁ, ଗୁଜରାଟରେ ପ୍ରବାସୀ ଶ୍ରମିକଙ୍କ କଥା‌ ବୁଝିବା ପାଇଁ ଆଉ ଜଣେ ଆଇଏଏସ୍‌ ଅଫିସର୍‌ ନୀତିନ ଭାନୁଦାସ ଜାୱଲେଙ୍କୁ ବି ଦାୟିତ୍ବ ଦିଆଯାଇଥିଲା। ପ୍ରବାସୀ ଶ୍ରମିକଙ୍କ ଆନ୍ଦୋଳନ ବେଳେ ସେ ତାହାର ସମାଧାନ ପାଇଁ କି ଭୂମିକାରେ ଅବତୀର୍ଣ୍ଣ ଦେଲେ, ତାହା ଜଣାପଡ଼ିଲା ନାହିଁ।

ସୁରଟରେ ପ୍ରବାସୀଙ୍କ ଅସନ୍ତୋଷ ଓ ଶ୍ରୀ ପଟ୍ଟନାୟକଙ୍କ ନିଯୁକ୍ତି ନେଇ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ବିଜୟ ମହାପାତ୍ର ଆଜି ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଟ୍ବିଟ୍‌ କରି ସେ କହିଛନ୍ତି ଯେ ସୁରତରେ ଓଡ଼ିଆ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଅତ୍ୟନ୍ତ ବେଦନାଦାୟକ। ସେମାନେ ଦୁଇ ଥର ରାସ୍ତାକୁ ଓହ୍ଲାଇ ଧାରଣା ଦେଲେଣି। ଖାଦ୍ୟ ମିଳୁନି କି ରିଲିଫ୍ ମିଳୁନି। ସେମାନଙ୍କ କଥା ବୁଝିବାକୁ କେହି ନାହାନ୍ତି। ସେମାନଙ୍କ ପାଇଁ ନା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନା ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କର ସମବେଦନା ରହିଛି। ଗୁଜୁରାଟରେ ଥିବା ଓଡ଼ିଆ ଲୋକଙ୍କ କଥା ବୁଝିବା ନିମନ୍ତେ ପ୍ରଥମ ଥର ପାଇଁ ଶାସନ କଳ ବାହାରେ ଥିବା ଜଣେ ବ୍ୟକ୍ତି ଅରୂପ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଲେ। କିନ୍ତୁ ସେ କ’ଣ କଲେ କେହି ଜାଣିପାରିଲେ ନାହିଁ। ସୁରତରେ ଭୋଟ୍‌ ପାଇଁ କହୁଥିବା ନେତାମାନେ ‌ଏବେ ସେମାନଙ୍କ ଗୁଳି ସାଜିଛନ୍ତି ବୋଲି ଶ୍ରୀ ମହାପାତ୍ର ତାଚ୍ଛଲ୍ୟ କରିଛନ୍ତି।

ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭୂମିକା ସବୁଠାରୁ ଆଶ୍ଚର୍ଯ୍ୟଜନକ। ଲକ୍ଷ ଲକ୍ଷ ଓଡ଼ିଆ ସୁରତ ସମେତ ଅନ୍ୟ ଆଡ଼େ ଦୁର୍ଦ୍ଦଶାରେ ଥିଲା ବେଳେ ମନ୍ତ୍ରୀ ବେଫକିର ‌ଅଛନ୍ତି। ନା ସୁରଟରେ ଓଡ଼ିଆ ଶ୍ରମିକ ଆନ୍ଦୋଳନ ତାଙ୍କୁ ପ୍ରଭାବିତ କରିପାରୁଛି ନା ଓଡ଼ିଆଙ୍କ ଦୁର୍ଦ୍ଦଶା ସମ୍ପର୍କିତ ଭିଡିଓ ବାର୍ତ୍ତା। ଦିନଟିଏ ବି ଅଧିକାରୀମାନଙ୍କ ସହ ଏ ସମ୍ପର୍କରେ ସମୀକ୍ଷା କରିବାକୁ ଇଚ୍ଛ‌ା ପ୍ରକାଶ କରି ନାହାନ୍ତି। ଯେମିତି ତାଙ୍କର ଏ ଦିଗରେ କିଛି ଦାୟିତ୍ବ ନାହିଁ। ଶ୍ରମ ମନ୍ତ୍ରୀଙ୍କ ଏପରି ଆଭିମୁଖ୍ୟ ପାଇଁ ସରକାର କଡ଼ା ସମାଲୋଚନାର ଶିକାର ହେଉଛନ୍ତି।

ସମ୍ବନ୍ଧିତ ଖବର