ଭୁବନେଶ୍ବର : ତାଲାବନ୍ଦ ଯୋଗୁଁ ଖାଲି ଗରିବ ନୁହଁନ୍ତି ନିମ୍ନମଧ୍ୟବିତ୍ତ ଶ୍ରେଣୀର ଲୋକ ବି ଦୁର୍ଦ୍ଦିନରେ ରହିଛନ୍ତି। ରାଜ୍ୟ ବାହାରେ ଥିବା ଓଡ଼ିଆ ଶ୍ରମିକମାନେ ଅକଥନୀୟ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ପ୍ରବାସୀ ଶ୍ରମିକମାନଙ୍କୁ ସରକାର ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ। ଶ୍ରମିକମାନଙ୍କ ସମସ୍ୟା ନ ସୁଧୁରିବା ନେଇ ଆଜି ପୁଣି ଥରେ ସରକାରଙ୍କୁ ଏପରି ନିବେଦନ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି, ଗରିବଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସରକାର ଅନେକ ଜନକଲ୍ୟାଣକାରୀ ଯୋଜନା କରିଛନ୍ତି ସତ, କିନ୍ତୁ ତାହା ସମସ୍ତଙ୍କ ପାଖରେ ପହଞ୍ଚିପାରିନି। ରାଜନୈତିକ ଦୃଷ୍ଟିରୁ ଯେଉଁ କାର୍ଡ଼ ବଣ୍ଟନ କରାଯାଇଛି, ଅନେକ ଲୋକ ସେହି କାର୍ଡ଼ ପାଇବାରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କ ପାଇଁ ସରକାର ରାସନ୍ ପହଞ୍ଚାଇବାର ବ୍ୟବସ୍ଥା କରନ୍ତୁ। ମେ ୩ ତାରିଖ ପରେ ପ୍ରବାସୀ ଶ୍ରମିକମାନେ ରାଜ୍ୟକୁ କିପରି ଫେରିବେ; ଯଦି ସେମାନଙ୍କ ଭିତରୁ କେତେଜଣ ସଂକ୍ରମିତ ହୋଇଥିବେ ତାହେଲେ କେମିତି ତାର ମୁକାବିଲା କରାଯିବ; ସେ ଦୃଷ୍ଟିରୁ ଏବେ ସେମାନେ ଯେଉଁଠି ଅଛନ୍ତି ସେହିଠାରେ ହିଁ ସ୍ବାସ୍ଥ୍ୟ କଥା ବୁଝି ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ। ରାଜ୍ୟକୁ ଫେରିବା ପରେ କାମଧନ୍ଦା ଯୋଗାଇ ଦେବା ପାଇଁ ସରକାର ଏବେଠାରୁ ପଦକ୍ଷେପ ନିଅନ୍ତୁ। ପଞ୍ଚାୟତରେ ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା ନ କରି ସେମାନଙ୍କୁ ରଖିଲେ ପୁଣି ଥରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ଏଥିପାଇଁ ସରକାର ତ୍ବରିତ୍ ପଦକ୍ଷେପ ନେବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।
ପ୍ରବାସୀ ଶ୍ରମିକଙ୍କୁ ୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉ: ପିସିସି ସଭାପତି
/sambad/media/post_attachments/wp-content/uploads/2019/04/Niranjan_Patnaik.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)