‘ଆମ ପାଖରୁ ସବୁନିଅ, ଖାଇବାକୁ ଦିଅ’, ଭୋକଜ୍ବାଳାରେ ବସ୍ତିକୁ ପଶିଗଲେ ଶହଶହ ପ୍ରବାସୀ

ବାଲେଶ୍ବର : ‘ ଦୁଇ ଦିନ ହେଲା ଆଜ୍ଞା ଖାଡ଼ା ଉପାସ। ପାଣି ଟୋପେ ବି ପିଇନୁ। ଆପଣମାନଙ୍କ ଘରେ ଯାହା ଅଛି, ଦୟାକରି ଖାଇବାକୁ ଦିଅନ୍ତୁ। ନ ହେଲେ ମରିଯିବୁ ଆଜ୍ଞା…’ ଏମିତି ଅଭାବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ବାଲେଶ୍ବର ରେଳଷ୍ଟେସନ ନିକଟସ୍ଥ ଗୋଧିବସା ବସ୍ତିରେ। କରୋନା ସଂକ୍ରମଣ ଆଶଙ୍କାରେ ଷ୍ଟେସନ ନିକଟ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିବାବେଳେ ଟ୍ରେନ୍‌ରୁ ଓହ୍ଲାଇ ଶହଶହ ଭୋକିଲା ପ୍ରବାସୀ ଓଡ଼ିଆଙ୍କର ଏହି ବିକଳ ଚିତ୍କାର ଶୁଭିଥିଲା। ଚିତ୍କାର ଶୁଣି ବସ୍ତିବାସିନ୍ଦା ଭୟଭୀତ ହୋଇ ଯାଇଥିଲେ ସତ, କିନ୍ତୁ ନିଜ ନିଜ ଘରେ ଯାହା ସବୁ ଖାଦ୍ୟସାମଗ୍ରୀ ରଖିଥିଲେ ତୁରନ୍ତ ଆଣି ସେମାନଙ୍କୁ ଦେଇଥିଲେ।

ଦୁଇଦିନ ହେଲା ବାଲେଶ୍ବରକୁ ପ୍ରବାସୀ ଓଡ଼ିଆମାନେ ଫେରୁଛନ୍ତି। ଶୁକ୍ରବାର ଦିନ ପ୍ରାୟ ୧୨ଟା ବେଳକୁ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରରୁ ଆସିଥିଲା ଏକ ଟ୍ରେନ୍। ଯଦିଓ ଷ୍ଟେସନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟପାନୀୟର ବ୍ୟବସ୍ଥା କରାଯାଇଥିଲା, ତାହା କିନ୍ତୁ ଥିଲା ସମୁଦ୍ରକୁ ଶଙ୍ଖେ। ଟ୍ରେନରୁ ଓହ୍ଲାଇବା ପରେ ଆନ୍ଧ୍ର ଫେରନ୍ତା ଶ୍ରମିକ ଭୋକ ବିକଳରେ ଖାଦ୍ୟ ଦରାଣ୍ଡିଥିଲେ। ସେଠାରେ ଥିବା ସରକାରୀ ଅଧିକାରୀଙ୍କୁ ନେହୁରା ହୋଇଥିଲେ ଖାଦ୍ୟ ପାଇଁ। ହେଲେ ଖାଦ୍ୟ ସରି ଯାଇଥିବାରୁ ଆଉ କେହି ଶୁଣିବା ସ୍ଥିତିରେ ନଥିଲେ। ଫଳରେ ସେମାନେ ବସ୍ତିକୁ ଯାଇଥିଲେ। ବସ୍ତିବାସିନ୍ଦା ଭୟଭୀତ ହୋଇ ଖବର ଦେଇଥିଲେ ହେଁ ପୁଲିସ୍‌ ସେଠାକୁ ଆସିନଥିଲା। କିଛି ବ୍ୟକ୍ତି ନିଜ ବ୍ୟାଗ୍‌, ପର୍ସ ଓ ଟଙ୍କା ବସ୍ତି ଲୋକଙ୍କ ନିକଟକୁ ଫିଙ୍ଗି ଘରେ ଯାହା ଅଛି ଖାଇବାକୁ ଦିଅ,’ ବୋଲି ନିବେଦନ କରୁଥିବା ଦେଖିବାକୁ ମିଳିଥିଲା।

ଏ ନେଇ ଜିଲ୍ଲା ଜରୁରିକାଳୀନ ଅଧିକାରୀ ରିଜୁଆନା କଅକବଙ୍କୁ କହିଛନ୍ତି, ବାଲେଶ୍ବର ଷ୍ଟେସନରେ କେବଳ ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ପ୍ରବାସୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ହୋଇଥିଲା। ହେଲେ ଅନ୍ୟ ଜିଲ୍ଲାର ପ୍ରବାସୀ ଆସିବାରୁ ଏତେ ଲୋକଙ୍କ ପାଇଁ ଖାଇବା ବ୍ୟବସ୍ଥା ଯୋଗାଡ଼ କରାଯାଇପାରିନଥିଲା।

ସମ୍ବନ୍ଧିତ ଖବର