ସୁନ୍ଦରଗଡ଼ରେ ପ୍ରଶାସନ ଓ ରେଳବାଇ ମଧ୍ୟରେ ବୁଝାମଣାର ଅଭାବ : ଚେନ୍‌ ଟାଣି ଟ୍ରେନ୍‌ରୁ ଓହ୍ଲାଇଗଲେ ୨୬୫ ପ୍ରବାସୀ

ରାଉରକେଲା/ନୂଆଗାଁ :ଜିଲ୍ଲା ପ୍ରଶାସନ ଓ ରେଳବାଇ ଭିତରେ ବୁଝାମଣାର ଅଭାବ ଯୋଗୁ ଅଧିକାଂଶ ଷ୍ଟେସନରେ ଟ୍ରେନ୍‌ ଅଟକୁ ନଥିବାରୁ ପ୍ରବାସୀ ଶ୍ରମିକମାନେ ଚେନ୍‌ ଟାଣି ଓହ୍ଲାଇ ପଡୁଛନ୍ତି। ଏହା ଜିଲ୍ଲା ପ୍ରଶାସନ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି। ଏହାର ପରିଣାମ ଆଜି ସୁନ୍ଦରଗଡ ଜିଲ୍ଲାରେ ଦେଖିବାକୁ ମିଳିଛି।

ଆଜି ସୁନ୍ଦରଗଡ଼ର ନୂଆଗାଁ ଷ୍ଟେସନରେ ଚେନ୍‌ ଟାଣି ଓହ୍ଲାଇ ପଡିଥିଲେ ୨୬୫ ଜଣ ପ୍ରବାସୀ ଶ୍ରମିକ। ସେମାନେ ଝାରସୁଗୁଡ଼ା ଓ ରାଉରକେଲା ଷ୍ଟେସନରେ ଓହ୍ଲାଇବାକୁ ଠିକ୍ କରିଥିଲେ। ହେଲେ ସେଠାରେ ସେମାନଙ୍କୁ ଓହ୍ଲାଇବା ଲାଗି ଅନୁମତି ଦିଆଯାଇ ନଥିଲା। କୁହାଯାଉଛି ଯେ, ଝାରସୁଗୁଡ଼ାରେ ସେମାନଙ୍କ ପାଇଁ କୌଣସି ବନ୍ଦୋବସ୍ତ ନଥିବାରୁ ପ୍ରବାସୀ ଶ୍ରମିକମାନଙ୍କୁ ଟ୍ରେନରୁ ଓହ୍ଲାଇବାକୁ ବାରଣ କରାଯାଇଥିଲା। ଫଳରେ ସେହି ଶ୍ରମିକମାନେ ନୂଆଗାଁ ରେଳଷ୍ଟେସନରେ ଚେନ୍ ଟାଣି ଓହ୍ଲାଇ ପଡ଼ିଥିଲେ। ପୁଣି ଦୁଇ ଜଣ ଶ୍ରମିକ ରାଉରକେଲା ଉପକଣ୍ଠରେ ଥିବା ବନ୍ଧମୁଣ୍ଡା କେ. କେବିନ ନିକଟରେ ଚେନ୍‌ ଟାଣି ଟ୍ରେନରୁ ଡେଇଁ ପଡ଼ିଥିଲେ। ସେ ଦୁଇ ପ୍ରବାସୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରେ ଅବଶ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ଟି ବସ୍‌ ଓ ଗୋଟିଏ ବୋଲେରୋରେ ସମସ୍ତ ପ୍ରବାସୀଙ୍କୁ ନିଜ ନିଜ ଗାଁକୁ ପଠାଯାଇଛି।

ମିଳିଥିବା ସୂଚନା ମୁତାବକ, ଦୁଇ ଦିନ ତଳେ ଏହି ଶ୍ରମିକମାନଙ୍କୁ ନେଇ ଟ୍ରେନ୍‌ଟି ମହାରାଷ୍ଟ୍ରର କୋହ୍ଲାପୁରରୁ ଝାଡ଼ଖଣ୍ଡର ବୋକାରୋ ଆସୁଥିଲା। ଶ୍ରମିକ ଟ୍ରେନ୍‌ ଝାରସୁଗୁଡା ଓ ରାଉରକେଲା ଦେଇ ଯାଉଥିବା ଜାଣିବା ପରେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ସତର୍କ ହୋଇଥିଲେ। ତେବେ ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ଟ୍ରେନ୍‌ଟି ଝାରସୁଗୁଡ଼ା ଷ୍ଟେସନରେ ପହଞ୍ଚିବାମାତ୍ରେ ଜିଲ୍ଲା ପ୍ରଶାସନ ତରବରିଆ ଭାବେ କୌଣସି ନିଷ୍ପତ୍ତି ନେଇ ପାରି ନଥିଲା। ‌ରାଉରକେଲା ଷ୍ଟେସନରେ ବ୍ୟବସ୍ଥା କରାଯାଇଛି ବୋଲି କହି ଝାରସୁଗୁଡ଼ା ଷ୍ଟେସନରେ ଟ୍ରେନ୍‌ଟିକୁ ଅଟକାଇ ନଥିଲେ। ଟ୍ରେନ୍‌ଟି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା। ଟ୍ରେନ୍‌ ପ୍ରାୟ ୧୫ ମିନିଟ୍‌ ରୁ ଅଧିକ ସମୟ ରାଉରକେଲା ଷ୍ଟେସନରେ ରହିଥିଲା। କିନ୍ତୁ ଶ୍ରମିକଙ୍କୁ ଓହ୍ଲାଇବାକୁ ଅନୁମତି ଦିଆଯାଇ ନଥିଲା। କେବଳ ଆର୍‌ଏମ୍‌ସି ପକ୍ଷରୁ ପାଣି ବୋତଲ, ଖାଦ୍ୟ ଦିଆଯାଇ ସେଠାରୁ ଛାଡ଼ି ଦିଆଯାଇଥିଲା। ରାଉରକେଲା ଷ୍ଟେସନଠାରୁ ମାତ୍ର ୨୦ କି.ମି. ଦୂର ଯିବା ପରେ ଓଡ଼ିଆ ପ୍ରବାସୀ ଶ୍ରମିକମାନେ ବାଧ୍ୟ ହୋଇ ନୂଆଗାଁ ଷ୍ଟେସନ ନିକଟରେ ଚେନ୍‌ ଟାଣି ଓହ୍ଲାଇ ପଡିଥିଲେ। ଖବରପାଇ ନୂଆଗାଁ ବିଡିଓ ମାଧବ ଚନ୍ଦ୍ର ପାଣିଗ୍ରାହୀ, ଅଧ୍ୟକ୍ଷ ମଖଲୁ ଏକ୍କାଙ୍କ ସମେତ ବରିଷ୍ଠ ଅଧିକାରୀ, ନୂଆଗାଁ ପୁଲିସ ପହଞ୍ଚି ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ଏ ବିଷୟରେ ଜଣାଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମସ୍ତଙ୍କୁ ଖାଇବାର ବ୍ୟବସ୍ଥା କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ ପରେ ଉକ୍ତ ଟ୍ରେନ୍‌ରେ ଯାଉଥିବା ଅନ୍ୟ ପ୍ରାୟ ୩୨୦ ଶ୍ରମିକ ଝାରଖଣ୍ଡର ବାନୋ ନିକଟସ୍ଥ କାନାରୋଇୟାଁ ଷ୍ଟେସନରେ ଚେନ୍ ଟାଣି ଓହ୍ଲାଇ ପଡ଼ିଥିଲେ।

ସମ୍ବନ୍ଧିତ ଖବର