ଟ୍ରେନ୍‌ର ଚେନ୍‌ ଟାଣି ପ୍ରବାସୀ ଶ୍ରମିକଙ୍କ ଫେରାର୍‌ ଉଦ୍ୟମ : କଣ୍ଟାବାଞ୍ଜି ଷ୍ଟେସନରେ ୩୦୫ ଅଟକ

କଂଟାବାଞ୍ଜି : ଗୁଜରାଟରୁ କଟକ ନିର୍ଗୁଣ୍ଡି ଆସୁଥିବା ଏକ ଶ୍ରମିକ ସ୍ପେସାଲ ଟ୍ରେନ୍‌ ସୋମବାର ସକାଳେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପହଞ୍ଚିବା ପରେ ୩୦୫ ଜଣ ଶ୍ରମିକ ଚେନ୍‌ଟାଣି ଫେରାର୍‌ ଉଦ୍ୟମ କରିଥିଲେ। ହେଲେ ସମସ୍ତ ଶ୍ରମିକଙ୍କୁ ରେଳବାଇ ପୁଲିସ କାବୁ କରି କଣ୍ଟାବାଞ୍ଜି ଷ୍ଟେସନରେ ଅଟକ ରଖିଥିବା ଜଣାପଡ଼ିଛି। ରେଳବା‌ଇ ପୁଲିସଠାରୁ ଖବର ପାଇବା‌ ପରେ ଏସ୍‌ଡିପିଓ ସରୋଜ ମହାପାତ୍ର ଓ ସ୍ଥାନୀୟ ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକର ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହି ଶ୍ରମିକମାନଙ୍କ ମଧ୍ୟରେ ନୂଆପଡ଼ା ଜିଲ୍ଲାର ୨୮୩, ବଲାଙ୍ଗୀର ଜିଲ୍ଲାର ୧୭ ଏବଂ କଳାହାଣ୍ଡି ଜିଲ୍ଲାର ୫ଜଣ ଶ୍ରମିକ ଥିବା ଜଣାପଡ଼ିଛି।

ଏହି ସ୍ୱତନ୍ତ୍ର ଟ୍ରେନ୍‌ରେ ଆସୁଥିବା ଶ୍ରମିକମାନେ ନିର୍ଗୁଣ୍ଡି ପହଞ୍ଚି ସେଠାରୁ ବସ୍‌ ଯୋଗେ ନିଜ ନିଜ ଅଂଚଳକୁ ଯାଇଥାନ୍ତେ। ତେବେ ନିଜ ଅଞ୍ଚଳ କଣ୍ଟାବାଞ୍ଜି ଷ୍ଟେସନ ପାଖ‌ ହୋଇଥିବାରୁ ସେମାନେ ଚେନ୍‌ ଟାଣି ଓହ୍ଲାଇବାକୁ ଉଦ୍ୟମ କରିଥିବା ପ୍ରକାଶ କରିଥିଲେ। କଂଟାବାଞ୍ଜି ତହସିଲଦାର ଅଶୋକ ମାଝୀ, ୩ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଫୋନ୍‌ ଯୋଗେ କଥା ହୋଇ ଶ୍ରମିକମାନଙ୍କୁ ନିଜ ନିଜ ଅଂଚଳରେ ଛାଡ଼ିବାର ବ୍ୟବସ୍ଥା କରିଥିଲେ। ପ୍ରଶାସନ ପକ୍ଷରୁ ଏମାନଙ୍କୁ ସକାଳ ଜଳଖିଆ ଓ ଦିନବେଳା ରନ୍ଧା ଖାଦ୍ୟ ଦିଆଯାଇଥିଲା। ଶ୍ରମିକମାନେ ଚେନ୍‌ ଟାଣି ଓହ୍ଲାଇଥିବା ଘଟଣା ପ୍ରଚାର ହେବା ପରେ ଷ୍ଟେସନ ପାଖରେ ଥିବା ସମସ୍ତ ଦୋକାନ ବନ୍ଦ ହୋଇଯାଇଥିଲା। ସେହିପରି କିଛି ଶ୍ରମିକ ପ୍ଲାଟଫର୍ମରୁ ବାହାରି କୁଆଡ଼େ ଚାଲି ଯାଇଥିବା ସନ୍ଦେହ କରି ସହରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର