କାଳିଆପାଣି : ନାଗାର୍ଜୁନ କମ୍ପାନିରେ ଶ୍ରମିକ ଅଶାନ୍ତି, ଘରକୁ ଫେରିବାକୁ ବ୍ୟାକୁଳ ୪୭ ଅଣଓଡ଼ିଆ ଶ୍ରମିକ

କାଳିଆପାଣି : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଙ୍କଡ଼ପାଳସ୍ଥିତ ନିର୍ମାଣାଧୀନ ମେଗା ପାନୀୟ ଜଳପ୍ରକଳ୍ପର ଜଳ ବିଶୋଧନ କାରଖାନାରେ ଶ୍ରମିକ ଅଶାନ୍ତି ଲାଗିରହିଛି। ୪୭ ଜଣ ଅଣଓଡ଼ିଆ ଶ୍ରମିକ ଘରକୁ ଫେରିବାକୁ ବ୍ୟାକୁଳ ହେଉଥିଲେ ମଧ୍ୟ ଏଥିପାଇଁ ବାଟ ପାଉନାହାନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତିି ପଶ୍ଚିମବଙ୍ଗର ୩୨ ଜଣ ଓ ବିହାରର ୧୫ଜଣ ଶ୍ରମିକ।

ଶ୍ରମିକମାନେ ନାଗାର୍ଜୁନ କନଷ୍ଟ୍ରକ୍ସନ କମ୍ପାନିରେ ୩ରୁ ୫ ମାସ ଧରି କାମ କରୁଥିଲେ। କିନ୍ତୁ, ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ସମୟରେ କମ୍ପାନି ପକ୍ଷରୁ ସେମାନଙ୍କୁ କୌଣସି ସାହାଯ୍ୟ କରାଯାଉନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ସ୍ବଳ୍ପ ରୋଜଗାର ଥାଇ ସେମାନେ ନିଜସ୍ବ ଖର୍ଚ୍ଚ ଓ ଯୋଗାଡ଼ରେ ଖାଇବାକୁ ବାଧ୍ୟ ହେଉଥିବା ନେଇ ଆଜି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତ। ସେମାନେ ଅଭିଯୋଗ କରିଛନ୍ତି ଯେ, ‘ ଘରକୁ ଫେରିବା ପାଇଁ ସେମାନଙ୍କୁ କୌଣସି ସହାୟତା ଦିଆଯାଉନା‌ହିଁ। ବରଂ, କୁହାଯାଇଛି ଯେ ଯଦି ଘରକୁ ଯିବାକୁ ଚାହୁଁଛ ନିଜ ଖର୍ଚ୍ଚରେ ଯାଅ। ‘

ଫଳରେ, ପଶ୍ଚିମବଙ୍ଗ ରାଜ୍ୟର ମୁର୍ଶିଦାବାଦ, ମାଲ୍‌ଦା, ନଦିଆ ଓ ବାକୁଡ଼ା ଜିଲ୍ଲା ଏବଂ ବିହାର ମୁଜାଫରପୁର ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଗାଁର ଏହି ଶ୍ରମିକମାନଙ୍କ ମଧ୍ୟରେ କୁହୁଳୁଥିବା ଅଶାନ୍ତି ଏବେ ଚରମ ସୀମାରେ ପହଞ୍ଚିଥିବା ସୂଚନା ମିଳିଛି। କମ୍ପାନି ସହଯୋଗ ଆଶାରେ ବାରମ୍ବାର ବିଫଳ ହେବା ପରେ ଆଜି ଶ୍ରମିକମାନେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ଚନ୍ଦ୍ର ପାତ୍ରଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ସଂପର୍କରେ କମ୍ପାନିର ପ୍ରକଳ୍ପ ପ୍ରବନ୍ଧକଙ୍କୁ ଯୋଗାଯୋଗ ଉଦ୍ୟମ ହୋଇଥିଲେ ମଧ୍ୟ ସମ୍ଭବ ହୋଇ ନଥିଲା। ଶ୍ରମିକ ସମସ୍ୟା ସଂକ୍ରାନ୍ତରେ ଯାଜପୁରରୋଡ଼ ଶ୍ରମ ନିରୀକ୍ଷକ ଗୋପାଳକୃଷ୍ଣ ମଙ୍ଗରାଜଙ୍କୁ ଯୋଗାଯୋଗ କରିବାରେ ଯଥାଶୀଘ୍ର ସେ କାଙ୍କଡ଼ପାଳ ଯାଇ ଶ୍ରମିକଙ୍କ ସମସ୍ୟା ସଂପର୍କ‌ରେ ଅବଗତ ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର