ରାଜ୍ୟର ୧୧ଟି ଜିଲ୍ଲାରେ ଅଧିକ ଦାଦନ ଶ୍ରମିକ

ଶ୍ରମ ଅଧିକାରୀମାନଙ୍କ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ, ୫‘ଟି’ ଆଧାରରେ କାମ କରିବାକୁ ଅଧିକାରୀଙ୍କୁ ନିର୍ଦେଶ

ଭୁବନେଶ୍ବର : ସରକାର ଆପଣମାନଙ୍କ ଦାବି ପୂରଣ କରିଛନ୍ତି। ଏବେ ଭଲକାମ କରି ଏ ଋଣ ପରିଶୋଧ କରନ୍ତୁ। ଆଜି ଜିଲ୍ଲା ସ୍ତରୀୟ ଶ୍ରମ ଅଧିକାରୀ ଓ କମିସନରମାନଙ୍କ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଓ ସଚେତନ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି କହିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ। ଏହାସହିତ ଆସନ୍ତା ନୂଆବର୍ଷରୁ ଶ୍ରମ ବିଭାଗ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହେବ ବୋଲି କହିଛନ୍ତି। ଦାଦନ ସମସ୍ୟ ଦୂର କରିବା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି। ରାଜ୍ୟର ୧୧ଟି ଜିଲ୍ଲାରୁ ଅଧିକ ଦାଦନ ଶ୍ରମିକ ଚାଲାଣ ହେଉଥିବା ନେଇ ଚିହ୍ନଟ ହୋଇଛି। ଦାଦନ ରୋକିବାକୁ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ବଡ଼ ଘୋଷଣା କରିବେ ବୋଲି ମନ୍ତ୍ରୀ କହିଛନ୍ତି।

ଶ୍ରମ ଅଧିକାରୀମାନଙ୍କୁ ପରାମର୍ଶ ଦେଇ ମନ୍ତ୍ରୀ ଶ୍ରୀ ସିଂହ କହିଥିଲେ, ପ୍ରତ୍ୟେକ କ୍ଷେତ୍ରୀୟ ଅଧିକାରୀଙ୍କ ପାଇଁ ଶ୍ରମ ଚାର୍ଟ ପ୍ରସ୍ତୁତ କରାଯିବ। ଯେଉଁଥିରେ ସେମାନଙ୍କ କାର୍ଯ୍ୟଦକ୍ଷତା ଆକଳନ କରାଯାଇପାରିବ। ନିର୍ମାଣ କାର୍ଯ୍ୟରୁ ସେସ୍ ଆଦାୟ ପ୍ରତି ଅଧିକାରୀମାନେ ଧ୍ୟାନ ଦିଅନ୍ତୁ। ସେସ୍ କମ ଆଦାୟ କରୁଥିବା ଅଧିକାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଶ୍ରମିକମାନଙ୍କ ପଞ୍ଜୀକରଣ କାର୍ଯ୍ୟ ଖୁବଶୀଘ୍ର ଅନଲାଇନ କରାଯିବ। ଏଣିକି ଜିଲ୍ଲା ଶ୍ରମ କମିସନର ଓ ଜିଲ୍ଲା ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ଆଧାରରେ ପୁରସ୍କୃତ କରାଯିବ ବୋଲି ଶ୍ରୀ ସିଂହ କହିଥିଲେ। କୌଣସି ସରକାରୀ ଅଧିକାରୀଙ୍କୁ ଦଣ୍ଡିତ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ମୋ ସରକାର କାର୍ଯ୍ୟକ୍ରମ ଲାଗୁ ହେବା ପରେ କୌଣସି ଅଧିକାରୀ ଦାୟିତ୍ବରେ ଅବହେଳା କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କୌଣସି ବି ଶ୍ରମିକ ଦଲାଲଙ୍କ ହାବୁଡ଼ରେ ଯେପରି ନ ପଡ଼େ ସେଥିପାଇଁ ବିଭାଗ ସଜାଗ ଅଛି। ୫ଟି ରାଜ୍ୟରେ ଓଡ଼ିଶା ଶ୍ରମିକମାନଙ୍କ ପାଇଁ ହେଲପ୍ ଡେସ୍କ ଖୋଲାଯାଇଛି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡ଼ୁ ଓ ଦିଲ୍ଲୀରେ ଏହିସବୁ ହେଲପ୍ ଡେସ୍କ କାର୍ଯ୍ୟକରୁଛି। ବିଦେଶକୁ ଯାଉଥିବା ଶ୍ରମିକମାନଙ୍କ ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ସହ ସମନ୍ବୟ ରକ୍ଷା କରି ଦିଲ୍ଲୀରେ ସ୍ବତନ୍ତ୍ର ଡେସ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ସଚେତନତା ଅଭାବରୁ ଦଶନ୍ଧି ଧରି ଦାଦନ ସମସ୍ୟା ଲାଗି ରହିଛି। ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ାରେ ଏହି ସମସ୍ୟା ଅଧିକ ବୋଲି ଶ୍ରମ ମନ୍ତ୍ରୀ ଶ୍ରୀ ସିଂହ କହିଥିଲେ।

କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ସୁବାସ ସିଂହ କହିଥିଲେ, ଶ୍ରମିକମାନେ ଯେପରି ଶୋଷଣର ଶିକାର ହେବେନି ଓ ସବୁ ସରକାରୀ ସୁବିଧା ପାଇପାରିବେ ସେଥିପାଇଁ ସଚେତନତା ଆଣିବାକୁ ପ୍ରସ୍ତୁତି ଚାଲିଛି। ଏହି ଅବସରରେ ଶ୍ରମ ବିଭାଗ ପ୍ରମୁଖ ଶାସନ ସଚିବ ଅନୁଗର୍ଗ ୫’ଟି’ ଆଧାରରେ କାମ କରିବାକୁ ସମସ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। କର୍ମଶାଳାରେ ରାଜ୍ୟ ଶ୍ରମ କମିସନର ନିରଞ୍ଜନ ସାହୁ, ସ୍ବତନ୍ତ୍ର ଶାସନ ସଚିବ ଶରତ ଚନ୍ଦ୍ର ମିଶ୍ର, ଯୁଗ୍ମ ଶାସନ ସଚିବ ଲକ୍ଷ୍ମୀକାନ୍ତ ସେଠୀଙ୍କ ସମେତ ସବୁ ଜିଲ୍ଲାର ଶ୍ରମ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର