ଜୀବନ ଜୀବିକାର ଦୋଛକିରେ ସୁରତ ସୂତାକଳ ଓଡ଼ିଆ ଶ୍ରମିକ : ୨ ଦିନ ପରେ ବି ରନ୍ଧାଖାଦ୍ୟ ମିଳିଲାନି

ଘୋଷଣା କରି ଫାଙ୍କିଦେଲା ସୁରତ ଜିଲ୍ଲା ପ୍ରଶାସନ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦୋଷଦେଲେ ବିରୋଧୀ
ଭଡ଼ାଘରେ ଥିବା ଶ୍ରମିକ ପରିବାର ସହ ଉପାସରେ

ବ୍ରହ୍ମପୁର: ଲକ୍‌ଡାଉନ୍‌ ପରେ ଗୁଜରାଟର ସୁରତ ଜିଲ୍ଲା ଡାଇମଣ୍ଡ୍‌ନଗର ସୂତାକଳଗୁଡ଼ିକରେ କାମଧନ୍ଦା ହରାଇଥିବା ହଜାର ହଜାର ଓଡ଼ିଆ ଶ୍ରମିକ ଦୁଇ ଦିନ ତଳେ ରାଜରାସ୍ତାକୁ ଓହ୍ଲାଇଥିଲେ। ଆନ୍ଦୋଳନ କରିବା ସହ ପୋଡ଼ାଜଳା କରିଥିଲେ। ଏହି ଘଟଣା ପରେ ସୁରତ ଜିଲ୍ଲା ପ୍ରଶାସନ ଚେତିଥିଲା। ଡାଇମଣ୍ଡ୍‌ନଗରରେ ଥିବା ୩୪ଟି ମେସ୍‌ର ୮ହଜାର ଶ୍ରମିକଙ୍କୁ ରନ୍ଧାଖାଦ୍ୟ ଦେବା ଲାଗି ନିଷ୍ପତ୍ତି କରି ମେସ୍‌ ମାଲିକଙ୍କ ସହ ସେଠା ପ୍ରଶାସନ ଆଲୋଚନା କରିଥିଲା। ଆଜିଠାରୁ ମେସ୍‌ରେ ରହୁଥିବା ଶ୍ରମିକଙ୍କୁ ରନ୍ଧାଖାଦ୍ୟ ଦେବାକୁ ସ୍ଥିର ହୋଇଥିଲା। ମେସ୍‌ ମାଲିକଙ୍କୁ ଚାଉଳ, ଡାଲି ଓ ତେଲ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିଲା। କିନ୍ତୁ ଆବଶ୍ୟକ ରାସନ୍‌ ସାମଗ୍ରୀ ଓ ପନିପରିବା ଯୋଗାଯାଇ ନ ଥିବାରୁ ଆଜି ପ୍ରଥମ ଦିନରେ ମେସ୍‌ଗୁଡ଼ିକରେ ରନ୍ଧାଖାଦ୍ୟ ପ୍ରସ୍ତୁତ ହୋଇପାରି ନାହିଁ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବାକି ସାମଗ୍ରୀ ଯୋଗାଣ ହୋଇ ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଡାଇମଣ୍ଡ୍‌ନଗର ଅଞ୍ଚଳର ମେସ୍‌ ମାଲିକଙ୍କ ବୈଠକ ବସି କିଭଳି ରନ୍ଧାଖାଦ୍ୟ ବଣ୍ଟନ ହେବ ସେ ଦିଗରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ସୁରତ୍‌ ଜିଲ୍ଲା ପ୍ରଶାସନ ପକ୍ଷରୁ ଡାଇମଣ୍ଡ୍‌ନଗରରେ ଭଡ଼ା ଘରେ ରହୁଥିବା ଗରିବ ଶ୍ରମିକ ଓ ସେମାନଙ୍କ ପରିବାର ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ। ସେମାନେ ଏବେ ବି ଭୋକ ଉପାସରେ ଅଛନ୍ତି। ରାସନ୍‌ କାର୍ଡ଼ ଥିବା ପରିବାରମାନେ ସରକାରଙ୍କ ପକ୍ଷରୁ କିଛି କିଛି ରାସନ୍‌ ପାଇଥିବା ବେଳେ ବାକି ପରିବାର କିଛି ବି ସରକାରୀ ସହାୟତା ପାଇ ନାହାନ୍ତି। ସେମାନଙ୍କ ପାଖରେ ଥିବା ଅର୍ଥ ବି ସରିବାକୁ ବସିଲାଣି। ଲକ୍‌ଡାଉନ୍‌ ହଟି ଟ୍ରେନ ଚଳାଚଳ କରିବା ପରେ ଗାଁକୁ ଫେରିବା ଚିନ୍ତାରେ ଅଧିକାଂଶ ଶ୍ରମିକ ପ୍ରସ୍ତୁତ ଥିବା ଜଣାପଡ଼ିଛି। ଲକ୍‌ଡାଉନ୍‌ ହଟିବା ପରେ ସୂତାକଳ ଚାଲିବ କି ନାହିଁ, ସୂତାକଳରେ କାମ ମିଳିବ କି ନାହିଁ ଏଭଳି ଚିନ୍ତା ସ୍ବଚ୍ଛଳ ବର୍ଗର ଶ୍ରମିକମାନଙ୍କୁ ଘାରିଛି। ଜୀବନଜୀବିକାରେ ଅନିଶ୍ଚିତତାକୁ ନେଇ ଚିନ୍ତାରେ ଦିନ କାଟୁଛନ୍ତି ସୁରତ ସୂତାକଳ ଓଡ଼ିଆ ଶ୍ରମିକ।

ସୁରତ ଶ୍ରମିକଙ୍କ ଏଭଳି ଦୁର୍ଦ୍ଦଶା ଲାଗି ବିଜେପି ଏବଂ ବିଜେଡି ଉପରେ ଦୋଷ ଲଦିଛନ୍ତି ବିରୋଧୀ। ଗଞ୍ଜାମ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା କହିଛନ୍ତି, କେନ୍ଦ୍ର ସରକାର ପ୍ରବାସୀ ଭାରତୀୟଙ୍କୁ ସ୍ବତନ୍ତ୍ର ବିମାନରେ ବିଦେଶରୁ ମୁଣ୍ଡପିଛା ୯୦ଲକ୍ଷ ଟଙ୍କା ଖର୍ଚ୍ଚ କରି ଆଣିଲେ। ଗୁଜରାଟରେ ୫ଲକ୍ଷ ଓଡ଼ିଆ ଶ୍ରମିକ ଭୋକ ଉପାସରେ ନିର୍ଯାତିତ ହୋଇ ପଡ଼ି ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀଙ୍କ ରାଜ୍ୟରେ ଓଡ଼ିଆ ଶ୍ରମିକଙ୍କ ଏଭଳି ସ୍ଥିତି ଦୁର୍ଭାଗ୍ୟଜନକ। ଗତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜରାଟରେ ଓଡ଼ିଆ ମହୋତ୍ସବ ନାମରେ ସୁରତରେ କୋଟି କୋଟି ଟଙ୍କା ଖର୍ଚ୍ଚ କଲେ। ସମସ୍ତ ଶ୍ରମିକଙ୍କ ସୁଖଦୁଃଖରେ ଭାଗିଦାର ହେବେ ବୋଲି ପ୍ରତିଶ୍ରୁତି ଦେଲେ। କିନ୍ତୁ ଏଭଳି ବିପତ୍ତି ସମୟରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଓ ବିଜେଡି ନେତୃତ୍ବାଧୀନ ରାଜ୍ୟ ସରକାର ନିରବ ରହିଛନ୍ତି। ଆନ୍ଦୋଳନର ୪୮ଘଣ୍ଟା ପରେ ସେମାନଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା ହୋଇପାରୁ ନାହିଁ। ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛି ସୁରତରେ ନିର୍ଯାତିତ ଶ୍ରମିକଙ୍କ ସମସ୍ତ ଡାକ୍ତରୀ ପରୀକ୍ଷା କରିବା ପରେ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ସେମାନଙ୍କୁ ତୁରନ୍ତ ଓଡ଼ିଶା ଫେରାଇ ଆଣିବା ବ୍ୟବସ୍ଥା କରାଯାଉ।

ସେହିପରି ସିପିଆଇ(ଏମ୍‌ଏଲ)ର ରାଜ୍ୟ ମୁଖପାତ୍ର ଭାଲଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି, ଗୁଜରାଟ ସରକାର ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଓଡ଼ିଶା ସରକାର କୋଭିଡ଼୍‌-୧୯ ପ୍ରଭାବ ଉପରେ ଗୁରୁତ୍ବ ଦେଉଛନ୍ତି, ଲକ୍‌ଡାଉନ ପ୍ରଭାବିତ ଲୋକମାନଙ୍କ ପାଇଁ ଚିନ୍ତିତ ନୁହଁନ୍ତି। ଓଡ଼ିଶା ସରକାରଙ୍କ ହେଲପ୍‌ଲାଇନ ଜରିଆରେ ଏମାନେ କୌଣସି ସୁଫଳ ପାଉନାହାନ୍ତି।

ସିପିଆଇ ନେତା ତଥା ଛତ୍ରପୁର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ କହିଛନ୍ତି, ବିଭିନ୍ନ ରାଜ୍ୟରେ ଫସିଥିବା ଓଡ଼ିଆ ଶ୍ରମିକଙ୍କ କଥା ବୁଝିବାକୁ ରାଜ୍ୟ ସରକାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଆବଶ୍ୟକ ଅର୍ଥ ଦେବା ଲାଗି ମଧ୍ୟ ଓଡ଼ିଶା ସରକାର କହିଛନ୍ତି। ଏହାସତ୍ତ୍ବେ ଶ୍ରମିକମାନଙ୍କୁ ଖାଦ୍ୟ ଓ ସୁରକ୍ଷା ନ ଦେଇ ଗୁଜରାଟ ସରକାର ମାନବିକ ଅଧିକାରର ଉଲ୍ଲଂଘନ କରୁଛନ୍ତି। ଏହି ଘଟଣା କେନ୍ଦ୍ର ସରକାର ହସ୍ତକ୍ଷେପ କରି ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ଏଥିସହ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ତୁରନ୍ତ ସମସ୍ୟାର ସମାଧାନ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର